इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୪

ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଶିଖନ୍ତୁ

ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଶିଖନ୍ତୁ

“ଜ୍ଞାନୀ ଲୋକମାନେ ବୁଝିବେ ।”—ଦାନି. ୧୨:୧୦.

ଗୀତ ୯୮ ପରମେଶ୍ୱର୍‌ କି ପ୍ରେର୍‌ଣା ସେ ଲିଖା ଶାସ୍ତ୍ର

ଲେଖାର ଝଲକ a

୧. କʼଣ ଜାଣିବା ଦ୍ୱାରା ହୁଏତ ଆପଣଙ୍କୁ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ଭଲ ଲାଗିପାରେ ?

 “ମୋତେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଉପରେ ଅଧ୍ୟୟନ କରିବା ବହୁତ ମଜା ଲାଗେ ।” ଏହି କଥା ଜଣେ ଯୁବା ଭାଇ ବେନ୍‌ କହିଲେ । କʼଣ ଆପଣଙ୍କୁ ବି ବେନ୍‌ଙ୍କ ଭଳି ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ଭଲ ଲାଗେ ? କିମ୍ବା କʼଣ ଆପଣଙ୍କୁ ଏପରି କରିବା ବହୁତ କଠିନ ଲାଗେ ? କିଛି ଲୋକଙ୍କୁ ଭବିଷ୍ୟତବାଣୀଗୁଡ଼ିକ ଉପରେ ଅଧ୍ୟୟନ କରିବା ବହୁତ ବିରକ୍ତିକର ଲାଗେ । କିନ୍ତୁ ଯେବେ ଆପଣ ଜାଣିବେ ଯେ ଯିହୋବା ନିଜ ବାକ୍ୟରେ ଏହି ଭବିଷ୍ୟତବାଣୀଗୁଡ଼ିକ କାହିଁକି ଲେଖାଇଛନ୍ତି, ତେବେ ହୁଏତ ଆପଣଙ୍କ ମନ ବଦଳିଯିବ ।

୨. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ଜାଣିବା ଯେ ଆମକୁ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କାହିଁକି ଅଧ୍ୟୟନ କରିବା ଉଚିତ୍‌ ଏବଂ ଆମେ ଏହା କିପରି କରିପାରିବା । ତାʼପରେ ଆମେ ଦାନିୟେଲ ବହିରେ ଲେଖାଥିବା ଦୁଇଟି ଭବିଷ୍ୟତବାଣୀ ଉପରେ ଧ୍ୟାନ ଦେବା ଓ ଜାଣିବା ଯେ ସେଗୁଡ଼ିକୁ ବୁଝିବା ଦ୍ୱାରା ଆଜି ଆମକୁ କʼଣ ଲାଭ ହୋଇପାରେ ।

ବାଇବଲର ଭବିଷ୍ୟତବାଣୀଗୁଡ଼ିକ କାହିଁକି ଅଧ୍ୟୟନ କରିବା ?

୩. ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

ଯଦି ଆମେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ଚାହୁଁ, ତେବେ ଆମକୁ କାହାରି ସାହାଯ୍ୟ ନେବାକୁ ପଡ଼ିବ । ଟିକେ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଆପଣ ଗୋଟିଏ ଏପରି ଜାଗା ବୁଲିବା ପାଇଁ ଯାଇଛନ୍ତି, ଯାହା ବିଷୟରେ ଆପଣ ଅଧିକ ଜାଣି ନାହାନ୍ତି । କିନ୍ତୁ ଆପଣଙ୍କ ସହ ଆପଣଙ୍କ ଜଣେ ସାଙ୍ଗ ଅଛି । ସେ ଏହି ଅଞ୍ଚଳ ବିଷୟରେ ଭଲଭାବେ ଜାଣେ । ତାକୁ ଜଣାଅଛି ଯେ ଆପଣ ଠିକ୍‌ କେଉଁଠି ଅଛନ୍ତି ଓ କେଉଁ ରାସ୍ତା କୁଆଡ଼େ ଯାଉଛି । ଆପଣ ବହୁତ ଖୁସି ଯେ ଆପଣଙ୍କ ସାଙ୍ଗ ଆପଣଙ୍କ ସହ ଆସିଛି । ଯିହୋବା ବି ସେହି ସାଙ୍ଗ ଭଳି ଅଟନ୍ତି । ସେ ଜାଣନ୍ତି ଯେ ଆମେ କେଉଁ ସମୟରେ ବଞ୍ଚୁଛୁ ଏବଂ ଆମେ ଯେଉଁ ରାସ୍ତାରେ ଚାଲୁଛୁ, ତାହା କେଉଁଠି ଯାଉଛି ଅର୍ଥାତ୍‌ ଆମ ଭବିଷ୍ୟତ କିପରି ହେବ । ତେଣୁ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ଆମକୁ ନମ୍ର ହୋଇ ଯିହୋବାଙ୍କ ସାହାଯ୍ୟ ନେବାକୁ ପଡ଼ିବ ।—ଦାନି. ୨:୨୮; ୨ ପିତ. ୧:୧୯, ୨୦.

ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ଯୋଗୁଁ ଆମେ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇପାରିବା (ପାରାଗ୍ରାଫ ୪)

୪. ଯିହୋବା ନିଜ ବାକ୍ୟରେ ଭବିଷ୍ୟତବାଣୀଗୁଡ଼ିକ କାହିଁକି ଲେଖାଇଛନ୍ତି ? (ଯିରିମୀୟ ୨୯:୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

ସମସ୍ତ ବାପାମାଆ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଖୁସି ରହନ୍ତୁ ଏବଂ ସେମାନଙ୍କ ଭବିଷ୍ୟତ ଭଲ ହେଉ । ଯିହୋବା ବି ନିଜ ସମସ୍ତ ପିଲାମାନଙ୍କ ପାଇଁ ଏହା ହିଁ ଚାହାନ୍ତି । (ଯିରିମୀୟ ୨୯:୧୧ ପଢ଼ନ୍ତୁ ।) ବାପାମାଆ ତ ଏହା ଜାଣନ୍ତି ନାହିଁ ଯେ ଆଗକୁ ଯାଇ ସେମାନଙ୍କ ପିଲାମାନଙ୍କ ଜୀବନ କିପରି ହେବ, କିନ୍ତୁ ଯିହୋବା ଜାଣନ୍ତି । ସେ ହିଁ ସଠିକ୍‌ ଭାବେ କହିପାରିବେ ଯେ ଭବିଷ୍ୟତରେ କʼଣ କʼଣ ହେବ । ତେଣୁ ସେ ନିଜ ବାକ୍ୟରେ ଭବିଷ୍ୟତବାଣୀଗୁଡ଼ିକ ଲେଖାଇଛନ୍ତି, ଯାହାକୁ ପଢ଼ିବା ଦ୍ୱାରା ଆମେ ପୂର୍ବରୁ ଜାଣିପାରିବା ଯେ ଆଗକୁ ଯାଇ କେଉଁ କେଉଁ ଘଟଣାଗୁଡ଼ିକ ଘଟିବ । (ଯିଶା. ୪୬:୧୦) ଏହି ଭବିଷ୍ୟତବାଣୀଗୁଡ଼ିକ କୌଣସି ଉପହାରରୁ କମ୍‌ ନୁହେଁ ! କିନ୍ତୁ ଆମେ କାହିଁକି ଭରସା ରଖିପାରିବା ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତରେ ପୂରା ହେବ ?

୫. ଯୁବା ଭାଇଭଉଣୀମାନେ ମୈକ୍ସଙ୍କ ଉଦାହରଣରୁ କʼଣ ଶିଖିପାରିବେ ?

ସ୍କୁଲରେ ପ୍ରାୟ ଆମ ପିଲାମାନେ ଏପରି ଲୋକମାନଙ୍କର ସାମନା କରନ୍ତି, ଯେଉଁମାନେ ବାଇବଲ ଉପରେ ବିଶ୍ୱାସ କରନ୍ତି ନାହିଁ କିମ୍ବା ବାଇବଲରେ କʼଣ ଲେଖାଅଛି ସେଥିରୁ ସେମାନଙ୍କୁ କିଛି ଫରକ ପଡ଼େ ନାହିଁ । ସେମାନେ ଯାହା କହନ୍ତି କିମ୍ବା ଯେଉଁ କାମ କରନ୍ତି, ସେଥିରୁ ହୁଏତ ଆମ ପିଲାମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇପାରେ । ଟିକେ ଭାଇ ମୈକ୍ସଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଯେବେ ମୁଁ ସ୍କୁଲରେ ଥିଲି, ତେବେ ମୋତେ ସନ୍ଦେହ ହେବାକୁ ଲାଗିଲା ଯେ ବାପାମାଆ ଯେଉଁ ଧର୍ମ ବିଷୟରେ ମୋତେ ଶିଖାଉଛନ୍ତି, ତାହା ସତ ଅଟେ ନା ନୁହେଁ ଏବଂ କʼଣ ସତରେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ ।” ତେବେ ତାଙ୍କ ବାପାମାଆ କʼଣ କଲେ ? ସେ କହନ୍ତି, “ଏହାଶୁଣି ସେମାନଙ୍କୁ ଟିକେ ଚିନ୍ତା ତ ହେଲା, ତଥାପି ସେମାନେ ମୋ ଉପରେ ରାଗିଲେ ନାହିଁ ।” ମୈକ୍ସଙ୍କ ବାପାମାଆ ବାଇବଲରୁ ତାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ ଏବଂ ମୈକ୍ସ ବି ନିଜ ତରଫରୁ କିଛି କଲେ । ସେ କହନ୍ତି, “ମୁଁ ବାଇବଲରେ ଦିଆଯାଇଥିବା ଭବିଷ୍ୟବାଣୀଗୁଡ଼ିକର ଅଧ୍ୟୟନ କଲି । ଆଉ ମୁଁ ଯାହା ଶିଖିଲି ସେବିଷୟରେ ମଣ୍ଡଳୀର ଅନ୍ୟ ଯୁବାମାନଙ୍କ ସହ ବି କଥା ହେଲି ।” ଏଥିରୁ କʼଣ ଲାଭ ହେଲା ? ମୈକ୍ସ କହନ୍ତି, “ଏହା ପରେ ମୋତେ ପୂରା ଭରସା ହୋଇଗଲା ଯେ ବାଇବଲ ଈଶ୍ୱରଙ୍କ ତରଫରୁ ହିଁ ଅଟେ ।”

୬. ଯଦି ଆପଣଙ୍କୁ ସନ୍ଦେହ ହୁଏ, ତେବେ ଆପଣଙ୍କୁ କʼଣ କରିବା ଉଚିତ୍‌ ଓ କାହିଁକି ?

ମୈକ୍ସଙ୍କ ଭଳି ଯଦି ଆପଣଙ୍କୁ ବି ସନ୍ଦେହ ହେବାକୁ ଲାଗେ ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ ଅଟେ ନା ନୁହେଁ, ତେବେ ଆପଣ ନିଜକୁ ଦୋଷୀ ଭାବନ୍ତୁ ନାହିଁ । କିନ୍ତୁ ଏହାକୁ ଛୋଟ କଥା ବୋଲି ବି ଭାବନ୍ତୁ ନାହିଁ । ସନ୍ଦେହ କଳଙ୍କି ଭଳି ଅଟେ । ଯଦି କଳଙ୍କିକୁ ସଫା କରା ନ ଯାଏ, ତେବେ ଧୀରେ ଧୀରେ ଆପଣଙ୍କ କୌଣସି ବହୁମୂଲ୍ୟ ଜିନିଷ ଖରାପ ହୋଇପାରେ । ସେହିପରି, ଯଦି ଆପଣ ନିଜ ମନରୁ ସନ୍ଦେହକୁ ବାହାର କରିବେ ନାହିଁ, ତେବେ ଆପଣଙ୍କ ବିଶ୍ୱାସ ଭାଙ୍ଗି ଯାଇପାରେ । ତେଣୁ ନିଜକୁ ପଚାରନ୍ତୁ, ‘ବାଇବଲରେ ଭବିଷ୍ୟତ ବିଷୟରେ ଯାହା ଲେଖାଅଛି, କʼଣ ମୋତେ ତାʼଉପରେ ପୂରା ଭରସା ଅଛି ?’ ଯଦି ଆପଣଙ୍କୁ ଟିକେ ବି ସନ୍ଦେହ ହୁଏ, ତେବେ ବାଇବଲରେ ଲେଖାଥିବା ସେହି ଭବିଷ୍ୟତବାଣୀଗୁଡ଼ିକର ଅଧ୍ୟୟନ କରନ୍ତୁ ଯାହା ପୂରା ହୋଇସାରିଛି । ଆପଣ ଏହା କିପରି କରିପାରିବେ ?

ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ଅଧ୍ୟୟନ କରିବା ?

ଦାନିୟେଲଙ୍କ ଭଳି ଯିହୋବାଙ୍କ ଉପରେ ଭରସା ବଢ଼ାଇବା ପାଇଁ ଆମକୁ ନମ୍ର ହୋଇ, ଭଲଭାବେ ଓ ସଠିକ୍‌ ଉଦ୍ଦେଶ୍ୟରେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବାକୁ ପଡ଼ିବ (ପାରାଗ୍ରାଫ ୭)

୭. ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ମାମଲାରେ ଦାନିୟେଲ କାହିଁକି ବଢ଼ିଆ ଉଦାହରଣ ଅଟନ୍ତି ? (ଦାନିୟେଲ ୧୨:୧୦) (ଚିତ୍ର ମଧ୍ୟ ଦେଖନ୍ତୁ ।)

ଦାନିୟେଲ ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ମାମଲାରେ ବଢ଼ିଆ ଉଦାହରଣ ଅଟନ୍ତି । ସେ ସଠିକ୍‌ ଉଦ୍ଦେଶ୍ୟରେ ଅର୍ଥାତ୍‌ ସତ୍ୟ ଜାଣିବା ପାଇଁ ଭବିଷ୍ୟତବାଣୀଗୁଡ଼ିକର ଅଧ୍ୟୟନ କଲେ । ଦାନିୟେଲ ନମ୍ର ବି ଥିଲେ । ସେ ଜାଣିଥିଲେ ଯେ ଯଦି ସେ ଯିହୋବାଙ୍କ ନିକଟତର ରହିବେ ଓ ତାଙ୍କ ଉଚ୍ଚ ସ୍ତରଗୁଡ଼ିକୁ ମାନିବେ, ତେବେ ଯିହୋବା ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ତାଙ୍କୁ ସାହାଯ୍ୟ କରିବେ । (ଦାନି. ୨:୨୭, ୨୮; ଦାନିୟେଲ ୧୨:୧୦ ପଢ଼ନ୍ତୁ ।) ତେଣୁ ଦାନିୟେଲ ସବୁବେଳେ ଯିହୋବାଙ୍କୁ ସାହାଯ୍ୟ ମାଗୁଥିଲେ ଓ ତାଙ୍କ ଉପରେ ନିର୍ଭର ରହୁଥିଲେ । (ଦାନି. ୨:୧୮) ତାʼଛଡ଼ା ଦାନିୟେଲ ଭଲଭାବେ ଅଧ୍ୟୟନ କଲେ । ତାଙ୍କ ପାଖରେ ଶାସ୍ତ୍ରର ଯେଉଁ ଭାଗଗୁଡ଼ିକ ଥିଲା, ସେଗୁଡ଼ିକୁ ସେ ପଢ଼ିଲେ ଓ ସେଥିରେ ଅନୁସନ୍ଧାନ କଲେ । (ଯିରି. ୨୫:୧୧, ୧୨; ଦାନି. ୯:୨) ଆପଣ ଦାନିୟେଲଙ୍କଠାରୁ କʼଣ ଶିଖିପାରିବେ ?

୮. (କ) କିଛି ଲୋକମାନେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କାହିଁକି ଅଧ୍ୟୟନ କରନ୍ତି ? (ଖ) କିନ୍ତୁ ଆମକୁ କେଉଁ ଉଦ୍ଦେଶ୍ୟରେ ସେଗୁଡ଼ିକର ଅଧ୍ୟୟନ କରିବା ଉଚିତ୍‌ ?

ଭାବନ୍ତୁ ଯେ ଆପଣ କେଉଁ ଉଦ୍ଦେଶ୍ୟରେ ଅଧ୍ୟୟନ କରୁଛନ୍ତି । କʼଣ ଆପଣ ଏହି କାରଣ ଯୋଗୁଁ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରୁଛନ୍ତି, କାରଣ ଆପଣଙ୍କ ଭିତରେ ସତ୍ୟ ଜାଣିବା ପାଇଁ ବହୁତ ଇଚ୍ଛା ଅଛି ? ଯଦି ଏପରି ଅଟେ, ତାହେଲେ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ । (ଯୋହ. ୪:୨୩, ୨୪; ୧୪:୧୬, ୧୭) କିନ୍ତୁ କିଛି ଲୋକ ଅନ୍ୟ କାରଣଗୁଡ଼ିକ ଯୋଗୁଁ ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରନ୍ତି । ସେମାନେ ବାଇବଲରେ ଦିଆଯାଇଥିବା ସ୍ତରଗୁଡ଼ିକ ଅନୁସାରେ ନୁହେଁ, ବରଂ ନିଜ ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଚାହାନ୍ତି । ତେଣୁ ହୁଏତ ସେମାନେ ବାଇବଲରେ ଏପରି କୌଣସି କଥା ଖୋଜିବା ଉଦ୍ଦେଶ୍ୟରେ ଅଧ୍ୟୟନ କରିବେ, ଯାହାଦ୍ୱାରା ଏହା ପ୍ରମାଣିତ ହେବ ଯେ ବାଇବଲ ଈଶ୍ୱରଙ୍କ ତରଫରୁ ନୁହେଁ । କିନ୍ତୁ ଆମକୁ ସେହି ଲୋକମାନଙ୍କ ଭଳି ହେବା ଉଚିତ୍‌ ନୁହେଁ, ବରଂ ଆମକୁ ସଠିକ୍‌ ଉଦ୍ଦେଶ୍ୟରେ ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରିବା ଉଚିତ୍‌ । ତାʼଛଡ଼ା ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ଆମ ଭିତରେ ଆଉ ଗୋଟିଏ ଗୁଣ ହେବା ଜରୁରୀ ।

୯. ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ କେଉଁ ଗୁଣ ହେବା ଜରୁରୀ ? ବୁଝାନ୍ତୁ ।

ନମ୍ର ହୁଅନ୍ତୁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ନମ୍ର ଲୋକମାନଙ୍କୁ ସାହାଯ୍ୟ କରିବେ । (ଯାକୁ. ୪:୬) ତେଣୁ ଏହା ଜରୁରୀ ଯେ ଆମେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ବୁଝିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରୁ । ତାʼଛଡ଼ା ଏହା ବି ଜରୁରୀ ଯେ ଆମେ ଏକଥାକୁ ସ୍ୱୀକାର କରୁ ଯେ ଭବିଷ୍ୟତବାଣୀଗୁଡ଼ିକର ଅର୍ଥ ଆମେ ଆପେ ଆପେ ବୁଝିପାରିବାନି, ଆମକୁ ବିଶ୍ୱସ୍ତ ଦାସର ସାହାଯ୍ୟ ନେବାକୁ ପଡ଼ିବ । ଆଜି ଯିହୋବା ସେମାନଙ୍କ ଜରିଆରେ ହିଁ ଆମକୁ ସଠିକ୍‌ ସମୟରେ ଆଧ୍ୟାତ୍ମିକ ଖାଦ୍ୟ ଦେଉଛନ୍ତି । (ଲୂକ ୧୨:୪୨) ଯିହୋବା ଗଡ଼ବଡ଼ିର ଈଶ୍ୱର ନୁହନ୍ତି, ତେଣୁ ଆମେ କହିପାରିବା ଯେ ସେ ଅନ୍ୟ ଅନ୍ୟ ଉପାୟରେ ନୁହେଁ, ବରଂ ଗୋଟେ ଉପାୟରେ ହିଁ ନିଜ ବାକ୍ୟରେ ଲେଖାଥିବା ସତ୍ୟଗୁଡ଼ିକ ବୁଝାଇବେ ।—୧ କରି. ୧୪:୩୩; ଏଫି. ୪:୪-୬.

୧୦. ଆପଣ ଏଷ୍ଟରଙ୍କଠାରୁ କʼଣ ଶିଖିଲେ ?

୧୦ ଭଲଭାବେ ଅଧ୍ୟୟନ କରନ୍ତୁ । ଭାବନ୍ତୁ ଯେ ଆପଣଙ୍କୁ କେଉଁ ଭବିଷ୍ୟତବାଣୀ ମଜାଦାର ଲାଗେ । ତାʼପରେ ସବୁଠୁ ପ୍ରଥମେ ସେବିଷୟରେ ଅନୁସନ୍ଧାନ କରନ୍ତୁ । ଏଷ୍ଟର ନାମକ ଭଉଣୀ ଏପରି ହିଁ କଲେ । ତାଙ୍କୁ ମସୀହଙ୍କ ଆସିବା ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ବହୁତ ମଜାଦାର ଲାଗୁଥିଲା । ସେ କହନ୍ତି, “ଯେବେ ମୁଁ ୧୫ ବର୍ଷର ଥିଲି, ତେବେ ମୁଁ ଏକଥାର ପ୍ରମାଣ ଖୋଜିବାକୁ ଲାଗିଲି ଯେ ଏହି ଭବିଷ୍ୟତବାଣୀଗୁଡ଼ିକ ଯୀଶୁଙ୍କ ପୃଥିବୀରେ ଆସିବାର ବହୁତ ପୂର୍ବରୁ ହିଁ ଲେଖାଯାଇଥିଲା ।” ତାʼପରେ ସେ ମୃତ ସାଗର ପାଖରେ ମିଳିଥିବା ଚର୍ମପତ୍ରଗୁଡ଼ିକ ବିଷୟରେ ପଢ଼ିଲେ, ଯାହାଦ୍ୱାରା ତାଙ୍କ ସନ୍ଦେହ ଦୂର ହୋଇଗଲା । ସେ କହନ୍ତି, “ସେମଧ୍ୟରୁ କିଛି ଚର୍ମପତ୍ର ଯୀଶୁଙ୍କ ପୃଥିବୀରେ ଆସିବାର ବହୁତ ପୂର୍ବରୁ ହିଁ ଲେଖାଯାଇଥିଲା । ତେବେ ଏଥିରୁ ପ୍ରମାଣିତ ହୋଇଯାଏ ଯେ ସେଥିରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଈଶ୍ୱର ହିଁ ଲେଖାଇଥିବେ ।” ଏଷ୍ଟର ଏହା ବି କହିଲେ, “କିଛି କଥାଗୁଡ଼ିକ ବୁଝିବା ପାଇଁ ମୋତେ ସେଗୁଡ଼ିକୁ ଅନେକଥର ପଢ଼ିବାକୁ ପଡ଼ିଲା ।” କିନ୍ତୁ ସେ ଖୁସି ଯେ ତାʼପାଇଁ ସେ ଏତେ ପରିଶ୍ରମ କଲେ । ବାଇବଲର ଅନେକ ଭବିଷ୍ୟତବାଣୀଗୁଡ଼ିକ ଭଲଭାବେ ଅଧ୍ୟୟନ କରିବା ପରେ ସେ କହିଲେ, “ଏବେ ମୁଁ ସ୍ପଷ୍ଟ ଭାବେ ବୁଝିଯାଇଛି ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ବିଲକୁଲ୍‌ ସତ ଅଟେ !”

୧୧. ଯଦି ଆମେ ନିଜକୁ ଏହା ଭରସା କରାଇବା ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ ଅଟେ, ତେବେ ଏଥିରୁ ଆମକୁ କʼଣ ଲାଭ ହେବ ?

୧୧ ଯେବେ ଆମେ ବୁଝୁ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହୋଇଛି, ତେବେ ଯିହୋବାଙ୍କ ଉପରେ ଆମ ଭରସା ଆହୁରି ଦୃଢ଼ ହୋଇଯାଏ ଓ ଆମକୁ ବିଶ୍ୱାସ ହୋଇଯାଏ ଯେ ସେ ଆମକୁ ସଠିକ୍‌ ରାସ୍ତା ଦେଖାଉଛନ୍ତି । ତାʼଛଡ଼ା ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଆମକୁ ଗୋଟିଏ ବଢ଼ିଆ ଭବିଷ୍ୟତର ଆଶା ମିଳେ । ତେଣୁ ଯେବେ ଆମେ ସେଗୁଡ଼ିକର ଅଧ୍ୟୟନ କରୁ, ତେବେ ଆମେ ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ଖୁସି ରହିପାରୁ । ଏବେ ଆସନ୍ତୁ ଦାନିୟେଲଙ୍କ ଜରିଆରେ ଲେଖାଯାଇଥିବା ଏପରି ଦୁଇଟି ଭବିଷ୍ୟତବାଣୀ ଉପରେ ଚର୍ଚ୍ଚା କରିବା, ଯାହା ଆଜି ପୂରା ହେଉଛି । ସେଗୁଡ଼ିକୁ ଭଲଭାବେ ବୁଝିବା ଦ୍ୱାରା ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା ।

ଲୌହ ଓ ମୃତ୍ତିକାରୁ ତିଆରି ପାଦଗୁଡ଼ିକ ବିଷୟରେ ଜାଣିବା କାହିଁକି ଜରୁରୀ ?

୧୨. ଲୌହ ଓ କଞ୍ଚା ମାଟିରେ ତିଆରି ପାଦ କାହାକୁ ଦର୍ଶାଏ ? (ଦାନିୟେଲ ୨:୪୧-୪୩)

୧୨ ଦାନିୟେଲ ୨:୪୧-୪୩ ପଢ଼ନ୍ତୁ । ଥରେ ଦାନିୟେଲ ରାଜା ନବୂଖଦ୍‌ନିତ୍ସରଙ୍କ ଗୋଟିଏ ସ୍ୱପ୍ନର ଅର୍ଥ କହିଥିଲେ, ଯେଉଁଥିରେ ରାଜା ଗୋଟିଏ ବଡ଼ ମୂର୍ତ୍ତି ଦେଖିଥିଲେ । ସେହି ମୂର୍ତ୍ତିର ପାଦ ‘କର୍ଦ୍ଦମ ଅର୍ଥାତ୍‌ କଞ୍ଚା ମାଟି ଓ ଲୌହ ମିଶି’ ତିଆରି ହୋଇଥିଲା । ଯେବେ ଆମେ ଏହି ଭବିଷ୍ୟତବାଣୀର ତୁଳନା ଦାନିୟେଲ ଓ ପ୍ରକାଶିତ ବାକ୍ୟ ବହିରେ ଲେଖାଯାଇଥିବା ଅନ୍ୟ ଭବିଷ୍ୟତବାଣୀ ସହ କରୁ, ତେବେ ଆମେ ବୁଝିପାରୁ ଯେ ମୂର୍ତ୍ତିର ପାଦ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତିକୁ ଦର୍ଶାଏ, ଯାହା ଆଜି ଦୁନିଆର ସବୁଠୁ ଶକ୍ତିଶାଳୀ ସରାକାରଗୁଡ଼ିକ ଅଟେ । ଏହି ବିଶ୍ୱଶକ୍ତି ବିଷୟରେ ଦାନିୟେଲ କହିଥିଲେ, ‘ଏହି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ଅର୍ଥାତ୍‌ ଦୁର୍ବଳ ହେବ ।’ ଏହା ଦୁର୍ବଳ କାହିଁକି ହେବ ? କାରଣ ସାଧାରଣ ଲୋକେ ଯେଉଁମାନଙ୍କୁ ମୃତ୍ତିକା ସହ ଦର୍ଶାଯାଇଛି, ତାʼର ଲୌହ ଭଳି ଶକ୍ତିକୁ ଦୁର୍ବଳ କରିଦିଅନ୍ତି । ତେଣୁ ଏହି ବିଶ୍ୱଶକ୍ତି ଯାହା କରିବା ପାଇଁ ଚାହେଁ, ତାହା କରିପାରେ ନାହିଁ । b

୧୩. ଆମେ ଏହି ଭବିଷ୍ୟତବାଣୀରୁ କେଉଁ ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକ ଶିଖିପାରିବା ?

୧୩ ଦାନିୟେଲ ମୂର୍ତ୍ତି ବିଷୟରେ ଯାହା ଯାହା କହିଲେ ବିଶେଷ କରି ତାʼପାଦ ବିଷୟରେ, ସେଥିରୁ ଆମେ କିଛି ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକ ଶିଖୁ । ପ୍ରଥମ, ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ଅନେକଥର ଏହା ପ୍ରମାଣ କଲା ଯେ ସେ ଦୃଢ଼ କିମ୍ବା ଶକ୍ତିଶାଳୀ ଅଟେ । ଯେପରି, ବ୍ରିଟେନ୍‌ ଓ ଆମେରିକା ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଧିକରୁ ଅଧିକ ଭାଗ ନେଲା ଓ ତାʼପକ୍ଷ ହିଁ ଜିତିଲା । କିନ୍ତୁ ଏହି ବିଶ୍ୱଶକ୍ତି ଦୁର୍ବଳ ବି ହୋଇଯାଇଛି ଓ ଆଗକୁ ଆହୁରି ଦୁର୍ବଳ ହୋଇଯିବ । କାରଣ ତାʼର ନାଗରିକ ପରସ୍ପର ମଧ୍ୟରେ ଲଢ଼େଇ କରୁଥାନ୍ତି ଓ ସରକାର ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ କରନ୍ତି । ଦ୍ୱିତୀୟ କଥା, ଏହି ବିଶ୍ୱଶକ୍ତି ଶେଷ ବିଶ୍ୱଶକ୍ତି ହେବ । ଏହା ପରେ ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ସମସ୍ତ ସରକାରଗୁଡ଼ିକୁ ସବୁଦିନ ପାଇଁ ବିନାଶ କରିଦେବ । ଏପରି ହୋଇପାରେ ଯେ ଅନେକଥର ଅନ୍ୟ ରାଷ୍ଟ୍ର ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ସହ ମୁକାବିଲା କରିବେ କିନ୍ତୁ ସେମାନେ ତାହାକୁ ହରାଇ ପାରିବେନି । ଆମେ ଏପରି ଏଥିପାଇଁ କହିପାରୁ କାରଣ “ଏକ ପ୍ରସ୍ତର” ଯାହା ଈଶ୍ୱରଙ୍କ ରାଜ୍ୟକୁ ଦର୍ଶାଏ, ମୂର୍ତ୍ତିର ପାଦଗୁଡ଼ିକୁ ଖଣ୍ଡ ଖଣ୍ଡ କରିଦେବ, ଅର୍ଥାତ୍‌ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତିକୁ ବିନାଶ କରିଦେବ ।—ଦାନି. ୨:୩୪, ୩୫, ୪୪, ୪୫.

୧୪. ଲୌହ ଓ ମୃତ୍ତିକାରେ ତିଆରି ପାଦଗୁଡ଼ିକ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀର ଅର୍ଥ ବୁଝିବା ଦ୍ୱାରା ଆମେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବା ?

୧୪ କʼଣ ଆପଣଙ୍କୁ ଭରସା ଅଛି ଯେ ଦାନିୟେଲ ଲୌହ ଓ ମୃତ୍ତିକାରେ ତିଆରି ପାଦ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଲେ, ତାହା ସତ ଅଟେ ? ଯଦି ହଁ, ତାʼହେଲେ ଏହା ଆପଣଙ୍କ ଜୀବନ ଶୈଳୀରୁ ଜଣାପଡ଼ିବ । ଆପଣ ଏହି ଦୁନିଆରେ ପଇସା ଓ ଜିନିଷଗୁଡ଼ିକ ଏକାଠି କରିବା ପାଇଁ ଚେଷ୍ଟା କରିବେ ନାହିଁ, କାରଣ ଆପଣ ଜାଣନ୍ତି ଯେ ଏହି ଦୁନିଆ ସବୁଦିନ ପାଇଁ ବିନାଶ ହୋଇଯିବ । (ଲୂକ ୧୨:୧୬-୨୧; ୧ ଯୋହ. ୨:୧୫-୧୭) ଏହି ଭବିଷ୍ୟତବାଣୀଗୁଡ଼ିକୁ ବୁଝିବା ଦ୍ୱାରା ଆପଣ ଏହା ବି ବୁଝିପାରିବେ ଯେ ଆଜି ପ୍ରଚାର ଓ ଶିଖାଇବା କାମ କରିବା କେତେ ଜରୁରୀ ଅଟେ । (ମାଥି. ୬:୩୩; ୨୮:୧୮-୨୦) ତାʼହେଲେ ଏହି ଭବିଷ୍ୟତବାଣୀର ଅଧ୍ୟୟନ କଲା ପରେ, ଆପଣ ଚାହିଁଲେ ନିଜକୁ ପଚାରିପାରିବେ, ‘ମୋ ନିଷ୍ପତ୍ତିଗୁଡ଼ିକରୁ କʼଣ ଜଣାପଡ଼େ ? କʼଣ ମୋତେ ଭରସା ଅଛି ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍‌ ଶୀଘ୍ର ମଣିଷମାନଙ୍କ ସବୁ ସରକାରକୁ ବିନାଶ କରିବ ?’

“ଉତ୍ତର ଦେଶର ରାଜା” ଓ “ଦକ୍ଷିଣ ଦେଶର ରାଜା” ବିଷୟରେ ଜାଣିବା କାହିଁକି ଜରୁରୀ ?

୧୫. ଆଜି “ଉତ୍ତର ଦେଶର ରାଜା” ଓ “ଦକ୍ଷିଣ ଦେଶର ରାଜା” କିଏ ଅଟେ ? (ଦାନିୟେଲ ୧୧:୪୦)

୧୫ ଦାନିୟେଲ ୧୧:୪୦ ପଢ଼ନ୍ତୁ । ଦାନିୟେଲ ଅଧ୍ୟାୟ ୧୧ରେ ଦୁଇଟି ରାଜା ଅର୍ଥାତ୍‌ ସରକାରଗୁଡ଼ିକ ବିଷୟରେ କୁହାଯାଇଛି, ଯେଉଁମାନେ ସାରା ଦୁନିଆରେ ଶାସନ କରିବାକୁ ଚାହାନ୍ତି । ତେଣୁ ସେମାନେ ପରସ୍ପରଠାରୁ ଆଗକୁ ବଢ଼ିବା ପାଇଁ ସଂଘର୍ଷ କରନ୍ତି । ଏହି ଭବିଷ୍ୟତବାଣୀର ତୁଳନା ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ ସହ କରିବା ଦ୍ୱାରା ଆମେ ବୁଝିପାରୁ ଯେ “ଉତ୍ତର ଦେଶର ରାଜା” ରୁଷ ଓ ତାʼର ମିତ୍ର ରାଷ୍ଟ୍ରଗୁଡ଼ିକ ଅଟେ ଓ “ଦକ୍ଷିଣ ଦେଶର ରାଜା” ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ଅଟେ । c

ଯେବେ “ଉତ୍ତର ଦେଶର ରାଜା” ଓ “ଦକ୍ଷିଣ ଦେଶର ରାଜା” ଆମର ବିରୋଧ କରନ୍ତି, ତେବେ ବାଇବଲର ଭବିଷ୍ୟତବାଣୀ ପୂରା ହୁଏ । ଏହା ବୁଝିବା ଦ୍ୱାରା ଆମକୁ ଅତ୍ୟଧିକ ଚିନ୍ତା ହେବନି ଓ ଆମ ବିଶ୍ୱାସ ବି ଦୃଢ଼ ହେବ (ପାରାଗ୍ରାଫ ୧୬-୧୮)

୧୬. ଈଶ୍ୱରଙ୍କ ଯେଉଁ ସେବକମାନେ ‘ଉତ୍ତର ଦେଶର ରାଜାର’ ଅଞ୍ଚଳରେ ରହନ୍ତି, ସେମାନଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ୁଛି ?

୧୬ ଈଶ୍ୱରଙ୍କ ଯେଉଁ ସେବକମାନେ ‘ଉତ୍ତର ଦେଶର ରାଜାର’ ଅଞ୍ଚଳରେ ରହନ୍ତି, ସେମାନଙ୍କ ଉପରେ ସେହି ରାଜା ସିଧାସଳଖ ଅତ୍ୟାଚାର କରୁଛି । ଯିହୋବାଙ୍କ ବିଶ୍ୱସ୍ତ ରହିବା ଯୋଗୁଁ ଯିହୋବାଙ୍କ ସାକ୍ଷୀମାନଙ୍କୁ ମାରପିଟ୍‌ କରାଯାଇଛି ଓ କିଛିମାନଙ୍କୁ ଜେଲରେ ପୂରାଯାଇଛି । କିନ୍ତୁ ‘ଉତ୍ତର ଦେଶର ରାଜାର’ ଏହି ବ୍ୟବହାର ଯୋଗୁଁ ଆମ ଭାଇଭଉଣୀ ଡରି ନାହାନ୍ତି, ବରଂ ସେମାନଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଯାଇଛି । ଆମେ ଏପରି କାହିଁକି କହିପାରିବା ? କାରଣ ସେ ଜାଣନ୍ତି ଯେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଯେଉଁ ଅତ୍ୟାଚାର କରାଯାଉଛି, ତାʼଯୋଗୁଁ ଦାନିୟେଲଙ୍କ ଭବିଷ୍ୟତବାଣୀ ପୂରା ହେଇଛି । d (ଦାନି. ୧୧:୪୧) ଏବିଷୟରେ ଜାଣିବା ଯୋଗୁଁ ଆମ ଆଶା ଓ ବିଶ୍ୱସ୍ତ ରହିବାର ଆମ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇପାରିବ ।

୧୭. ‘ଦକ୍ଷିଣ ଦେଶର ରାଜାର’ ଅଞ୍ଚଳରେ ରହୁଥିବା ଈଶ୍ୱରଙ୍କ ଲୋକମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରିଛନ୍ତି ?

୧୭ ପ୍ରାଚୀନ ସମୟରେ “ଦକ୍ଷିଣ ଦେଶର ରାଜା” ମଧ୍ୟ ଯିହୋବାଙ୍କ ଲୋକମାନଙ୍କ ଉପରେ ସିଧାସଳଖ ଅତ୍ୟାଚାର କରିଛି । ଯେପରି, ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଷ୍ପକ୍ଷ ରହିବା ଯୋଗୁଁ ଅନେକ ସାକ୍ଷୀମାନଙ୍କୁ ଜେଲରେ ପୂରାଗଲା । ଆଉ ଏହି କାରଣ ଯୋଗୁଁ ସାକ୍ଷୀମାନଙ୍କ କିଛି ପିଲାମାନଙ୍କୁ ସ୍କୁଲରୁ ବାହାର କରିଦିଆଗଲା । କିନ୍ତୁ କିଛି ବର୍ଷ ମଧ୍ୟରେ ‘ଦକ୍ଷିଣ ଦେଶର ରାଜାର’ ଅଞ୍ଚଳରେ ରହୁଥିବା ସାକ୍ଷୀମାନଙ୍କ ବିଶ୍ୱସ୍ତତାର ଅନ୍ୟ ଉପାୟରେ ପରୀକ୍ଷା ହୋଇଛି । ଉଦାହରଣ ପାଇଁ, ନିର୍ବାଚନ ସମୟରେ ଯେବେ ରାଜନୈତିକ ପାର୍ଟିଗୁଡ଼ିକ ପ୍ରଚାର ପ୍ରସାର କରେ, ତେବେ ହୁଏତ ଜଣେ ଖ୍ରୀଷ୍ଟିୟାନ କୌଣସି ରାଜନୈତିକ ପାର୍ଟି କିମ୍ବା ପ୍ରାର୍ଥୀକୁ ଅନ୍ୟଠାରୁ ଭଲ ବୁଝିବାକୁ ଲାଗିପାରେ । ସେ ହୁଏତ କାହାରିକୁ ଭୋଟ ଦେବନି, କିନ୍ତୁ ନିଜ ମନରେ ଭାବିପାରେ ଯେ ସେହି ପାର୍ଟି ଜିତିଗଲେ ଭଲ ହେବ । ତେଣୁ ପୂରାପୂରି ନିଷ୍ପକ୍ଷ ରହିବା ପାଇଁ ଜରୁରୀ ଯେ ଆମେ ନିଜ ମନରେ ବି କାହାରି ପକ୍ଷ ନେବାନି !—ଯୋହ. ୧୫:୧୮, ୧୯; ୧୮:୩୬.

୧୮. “ଉତ୍ତର ଦେଶର ରାଜା” ଓ “ଦକ୍ଷିଣ ଦେଶର ରାଜା” ମଧ୍ୟରେ ଶତ୍ରୁତା ଦେଖି ଆମ ଉପରେ କʼଣ ପ୍ରଭାବ ପଡ଼େ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ଅନେକ ଲୋକ ଏହା ବିଶ୍ୱାସ କରନ୍ତି ନାହିଁ ଯେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଈଶ୍ୱରଙ୍କ ତରଫରୁ ଅଟେ । ତେଣୁ ଯେବେ ସେମାନେ ଦେଖନ୍ତି ଯେ “ଦକ୍ଷିଣ ଦେଶର ରାଜା” କିଭଳି ଭାବେ ‘ଉତ୍ତର ଦେଶର ରାଜାର’ “ବିରୋଧ” କରୁଛି, ତେବେ ସେମାନଙ୍କୁ ହୁଏତ ବହୁତ ଚିନ୍ତା ହେବ ଯେ କେଜାଣେ ଆଗକୁ ଯାଇ କʼଣ ହେବ । (ଦାନି. ୧୧:୪୦) ଦୁଇ ରାଜାଙ୍କ ପାଖରେ ଏତେ ପରିମାଣରେ ପରମାଣୁ ଅସ୍ତ୍ର ଅଛି ଯେ ଯଦି ସେମାନେ ତାହା ବ୍ୟବହାର କରିବେ, ତେବେ ପୃଥିବୀରେ କାହାରି ବି ଜୀବନ ବଞ୍ଚିବନି । କିନ୍ତୁ ଆମେ ଜାଣୁ ଯେ ଯିହୋବା ଏପରି ହେବାକୁ ଦେବେନି । (ଯିଶା. ୪୫:୧୮) ତେଣୁ “ଉତ୍ତର ଦେଶର ରାଜା” ଓ “ଦକ୍ଷିଣ ଦେଶର ରାଜା” ମଧ୍ୟରେ ଶତ୍ରୁତା ଦେଖି ଆମେ ଡରି ନ ଥାଉ, ବରଂ ଆମ ବିଶ୍ୱାସ ଆହୁରି ବଢ଼ିଯାଏ । ଏଥିରୁ ଆମକୁ ଭରସା ହୋଇଯାଏ ଯେ ଏହି ଦୁନିଆର ବିନାଶ ବହୁତ ନିକଟରେ ଅଛି ।

ଭବିଷ୍ୟତବାଣୀଗୁଡ଼ିକର ଅଧ୍ୟୟନ କରିବା ଜାରି ରଖନ୍ତୁ

୧୯. ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ଆମେ କେଉଁ କଥା ଧ୍ୟାନରେ ରଖିବା ଉଚିତ୍‌ ?

୧୯ ଆମେ ଜାଣିନୁ ଯେ ବାଇବଲର କିଛି ଭବିଷ୍ୟତବାଣୀ କିପରି ପୂରା ହେବ । ଭବିଷ୍ୟଦ୍‌ବକ୍ତା ଦାନିୟେଲ ବି ଯେଉଁ ଭବିଷ୍ୟତବାଣୀଗୁଡ଼ିକ ଲେଖିଥିଲେ, ତାʼର ଅର୍ଥ ଜାଣି ନ ଥିଲେ । (ଦାନି. ୧୨:୮, ୯) କିନ୍ତୁ ଯଦି ଆମେ କୌଣସି ଭବିଷ୍ୟତବାଣୀର ଅର୍ଥ ବୁଝି ନାହୁଁ, ତାʼଅର୍ଥ ଏହା ନୁହେଁ ଯେ ସେହି ଭବିଷ୍ୟତବାଣୀ ପୂରା ହେବନି । ଆମେ ପୂରା ଭରସା ରଖିପାରିବା ଯେ ଆମକୁ ଯାହା ଜାଣିବା ଦରକାର ତାହା ଯିହୋବା ସଠିକ୍‌ ସମୟରେ ଆମକୁ ଜଣାଇଦେବେ, ଠିକ୍‌ ଯେପରି ସେ ପ୍ରାଚୀନ ସମୟରେ କରିଥିଲେ ।—ଆମୋ. ୩:୭.

୨୦. (କ) ଖୁବ୍‌ ଶିଘ୍ର ବାଇବଲରେ ଦିଆଯାଇଥିବା କେଉଁ ରୋମାଞ୍ଚକ ଭବିଷ୍ୟତବାଣୀଗୁଡ଼ିକ ପୂରା ହେବାର ଆମେ ଦେଖିବା ? (ଖ) ଆମେ କʼଣ କରିବା ଜାରି ରଖିବା ଉଚିତ୍‌ ?

୨୦ ଦୁନିଆର ରାଷ୍ଟ୍ରଗୁଡ଼ିକ “ଶାନ୍ତି ଓ ନିରାପଦ” ଘୋଷଣା କରିବେ । (୧ ଥେସ. ୫:୩) ତାʼପରେ ସରକାରଗୁଡ଼ିକ ମିଥ୍ୟା ଧର୍ମ ଉପରେ ଆକ୍ରମଣ କରିବ ଓ ତାକୁ ପୂରା ବିନାଶ କରିଦେବ । (ପ୍ରକା. ୧୭:୧୬, ୧୭) ତାʼପରେ ସେହି ସରକାରଗୁଡ଼ିକ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବ । (ଯିହି. ୩୮:୧୮, ୧୯) ଏଥିରୁ ହିଁ ହର୍ମିଗିଦ୍ଦୋନ ଯୁଦ୍ଧ ଆରମ୍ଭ ହୋଇଯିବ । (ପ୍ରକା. ୧୬:୧୪, ୧୬) ଆମେ ପୂରା ଭରସା ରଖିପାରିବା ଯେ ଏହା ଖୁବ୍‌ ଶୀଘ୍ର ହେବାକୁ ଯାଉଛି । ଏହି ଘଟଣା ବିଷୟରେ ଯିହୋବା ନିଜ ବାକ୍ୟରେ ଯାହା ଲେଖାଇଛନ୍ତି, ତାʼପାଇଁ କʼଣ ଆମେ କୃତଜ୍ଞ ନାହୁଁ ? ଏବେ ଆସନ୍ତୁ ଯେବେ ଯାଏ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇ ନ ଯାଏ, ଆମେ ଲଗାତାର ସେଗୁଡ଼ିକର ଅଧ୍ୟୟନ କରୁଥିବା ଆଉ ଏପରି କରିବା ପାଇଁ ଅନ୍ୟମାନଙ୍କୁ ବି ସାହାଯ୍ୟ କରିବା ।

ଗୀତ ୯୫ ବଢ଼ତି ହୈ ରୋଶ୍ନି ସଚ୍ଚାଇ କି

a ଏହା ସତ ଯେ ଦୁନିଆର ପରିସ୍ଥିତି ବହୁତ ଖରାପ ହୋଇ ହୋଇ ଯାଉଛି, କିନ୍ତୁ ଆମେ ବିଶ୍ୱାସ ରଖିପାରିବା ଯେ ଆମ ଭବିଷ୍ୟତ ଭଲ ହେବ । ଯେବେ ଆମେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଅଧ୍ୟୟନ କରୁ, ତେବେ ଏହି କଥା ଉପରେ ଆମ ବିଶ୍ୱାସ ଆହୁରି ବଢ଼ିଯାଏ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କାହିଁକି ଅଧ୍ୟୟନ କରିବା ଉଚିତ୍‌ । ତାʼପରେ ଆମେ ଦାନିୟେଲଙ୍କ ଜରିଆରେ ଲେଖାଯାଇଥିବା ଦୁଇଟି ଭବିଷ୍ୟତବାଣୀ ବିଷୟରେ କଥା ହେବା ଓ ଦେଖିବା ଯେ ତାʼର ଅର୍ଥ ବୁଝିବାରୁ ଆମକୁ କʼଣ ଲାଭ ହୋଇପାରିବ ।

b ୧୫ ଜୁନ୍‌ ୨୦୧୨ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ୟହୋୱା ହମ୍‌ ପର୍‌ ଜାହିର୍‌ କରତା ହୈ, ‘ବହୁତ୍‌ ଜଲ୍‌ଦ୍‌ କ୍ୟା କ୍ୟା ହୋନା ହୈ,’” ପାରାଗ୍ରାଫ ୭-୯ ପଢ଼ନ୍ତୁ ।

c ମେ ୨୦୨୦ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆଜ୍‌ ‘ଉତ୍ତର କା ରାଜା’ କୌନ୍‌ ହୈ?,” ପାରାଗ୍ରାଫ ୩-୪ ପଢ଼ନ୍ତୁ ।

d ମେ ୨୦୨୦ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆଜ୍‌ ‘ଉତ୍ତର୍‌ ଦେଶ୍‌ କା ରାଜା’ କୌନ ହୈ?,” ପାରାଗ୍ରାଫ ୭-୯ ପଢ଼ନ୍ତୁ ।