ଅଧ୍ୟୟନ ଲେଖା ୩
ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
‘ଯିହୋବା ଯୋଷେଫଙ୍କ ସହବର୍ତ୍ତୀ ଥିଲେ; ପୁଣି ସେ ଯାହା କଲେ, ଯିହୋବା ତାହା ସିଦ୍ଧ ବା ସଫଳ କଲେ ।’—ଆଦି. ୩୯:୨୩.
ଗୀତ ୩୦ ୟହୋୱା, ମେରା ପରମେଶ୍ୱର, ପିତା ଔର ଦୋସ୍ତ
ଲେଖାର ଝଲକ a
୧-୨. (କ) ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଆମେ କାହିଁକି ଆଶ୍ଚର୍ଯ୍ୟ ହୋଇ ନ ଥାଉ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?
ଆମେ ଯିହୋବାଙ୍କ ସେବା କରୁ, ତେଣୁ ଆମକୁ ଜଣାଅଛି ଯେ ଆମ ଜୀବନରେ ସମସ୍ୟାଗୁଡ଼ିକ ଆସିବ ସେଥିପାଇଁ ସମସ୍ୟା ସମୟରେ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ । ବାଇବଲରେ ମଧ୍ୟ ଲେଖାଅଛି, “ଅନେକ କ୍ଳେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ ।” (ପ୍ରେରି. ୧୪:୨୨) ଆମେ ଏହା ବି ଜାଣୁ ଯେ ଆମର କିଛି ସମସ୍ୟାଗୁଡ଼ିକ ନୂଆ ଦୁନିଆରେ ହିଁ ଶେଷ ହେବ । ସେସମୟରେ “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।”—ପ୍ରକା. ୨୧:୪.
୨ ଯିହୋବା ଆମ ଉପରେ ଆସୁଥିବା ସମସ୍ୟାଗୁଡ଼ିକୁ ରୋକନ୍ତି ନାହିଁ, କିନ୍ତୁ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଯିହୋବା ଆମକୁ ସେସବୁ ସହିବା ପାଇଁ ନିଶ୍ଚୟ ଶକ୍ତି ଦିଅନ୍ତି । ଧ୍ୟାନ ଦିଅନ୍ତୁ ଯେ ପାଉଲ ରୋମରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ କʼଣ ଲେଖିଲେ । ସବୁଠୁ ପ୍ରଥମେ ସେ ସେମାନଙ୍କୁ କହିଲେ ଯେ ସେ ଓ ତାଙ୍କ ସାଥୀମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି । ତାʼପରେ ସେ କହିଲେ, “ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହିସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ ।” (ରୋମୀ. ୮:୩୫-୩୭) ଏଥିରୁ ଜଣାପଡ଼େ ଯେ ଆମେ ଯିହୋବାଙ୍କ ସାହାଯ୍ୟରେ ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ସଫଳତା ପାଇପାରିବା । ଯୋଷେଫଙ୍କ ସହ ମଧ୍ୟ ଏପରି ହିଁ ହେଲା । ଆସନ୍ତୁ ଜାଣିବା ଯେ ଯେବେ ତାଙ୍କ ଉପରେ ସମସ୍ୟାଗୁଡ଼ିକ ଆସିଲା, ତେବେ ଯିହୋବାଙ୍କ ସାହାଯ୍ୟରେ ସେ କିପରି ସଫଳତା ପାଇପାରିଲେ ଓ ଆଜି ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଆମେ କିପରି ସଫଳତା ପାଇପାରିବା ।
ଯେବେ ହଠାତ୍ ପରିସ୍ଥିତି ବଦଳି ଯାଏ
୩. ଯୋଷେଫଙ୍କ ଜୀବନ କିପରି ହଠାତ୍ ବଦଳି ଗଲା ?
୩ ଯାକୁବ ନିଜ ପୁଅ ଯୋଷେଫଙ୍କୁ ବହୁତ ପ୍ରେମ କରୁଥିଲେ । (ଆଦି. ୩୭:୩, ୪) ତେଣୁ ଯୋଷେଫଙ୍କ ବଡ଼ ଭାଇମାନେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ ଓ ଯେପରି ହିଁ ତାଙ୍କୁ ସୁଯୋଗ ମିଳିଲା ସେ ଯୋଷେଫଙ୍କୁ ମିଦୀୟନୀୟ ବ୍ୟବସାୟୀଙ୍କ ହାତରେ ବିକ୍ରି କରିଦେଲେ । ଆଉ ସେହି ବ୍ୟବସାୟୀମାନେ ତାଙ୍କୁ ନିଜ ଘରଠାରୁ ବହୁତ ଦୂର ମିଶରକୁ ନେଇଗଲେ । ଆଉ ତାଙ୍କୁ ଫାରୋଙ୍କ ରକ୍ଷକ ସେନାପତି ପୋଟୀଫରଙ୍କ ପାଖରେ ବିକି ଦେଲେ । ଯୋଷେଫଙ୍କ ଜୀବନ ପୂରାପୂରି ବଦଳି ଗଲା । ପୂର୍ବେ ସେ ନିଜ ବାପାଙ୍କ ପ୍ରିୟ ଥିଲେ, କିନ୍ତୁ ଏବେ ମିଶରରେ ସେ ଜଣେ ଦାସ ହୋଇ ରହି ଯାଇଥିଲେ ।—ଆଦି. ୩୯:୧.
୪. ଆମକୁ କିଭଳି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ ?
୪ ବାଇବଲରେ ଲେଖାଅଛି, ‘ସମସ୍ତଙ୍କ ପ୍ରତି ସମସ୍ୟା ଘଟେ’ ଅର୍ଥାତ୍ ସମସ୍ୟା କାହାରି ଉପରେ ବି ଆସିପାରେ । (ଉପ. ୯:୧୧) ଏହି କଥା କେତେ ସତ ଅଟେ । ଅନେକଥର ଆମେ ଏପରି ସମସ୍ୟାଗୁଡ଼ିକର ସାମନା କରୁ ଯାହା ‘ଅନ୍ୟ ମନୁଷ୍ୟମାନେ’ ମଧ୍ୟ ସାମନା କରିଥାʼନ୍ତି । (୧ କରି. ୧୦:୧୩) କିନ୍ତୁ ବେଳେବେଳେ ଆମ ଉପରେ ଏଥିପାଇଁ ସମସ୍ୟାଗୁଡ଼ିକ ଆସେ କାରଣ ଆମେ ଯୀଶୁଙ୍କ ଶିଷ୍ୟ ଅଟୁ । ଯେପରି ଅନେକଥର ଆମର ମଜାକ ଉଡ଼ାଯାଏ, ବିରୋଧ କରାଯାଏ ଓ ଅନେକଥର ଆମ ଉପରେ ଅତ୍ୟାଚାର ମଧ୍ୟ କରାଯାଏ । (୨ ତୀମ. ୩:୧୨) ଆମ ଉପରେ ଯେକୌଣସି ବି ସମସ୍ୟା ଆସୁ ନା କାହିଁକି, ଯିହୋବାଙ୍କ ସାହାଯ୍ୟରେ ଆମେ ସଫଳ ହୋଇପାରିବା । ଆସନ୍ତୁ ଦେଖିବା ଯେ ଯିହୋବା କିପରି ଯୋଷେଫଙ୍କୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ କଲେ ।
୫. ଯୋଷେଫଙ୍କ ସଫଳତା ଦେଖି ପୋଟୀଫର କʼଣ ବୁଝିଗଲେ ? (ଆଦି ପୁସ୍ତକ ୩୯:୨-୬)
୫ ଆଦି ପୁସ୍ତକ ୩୯:୨-୬ ପଢ଼ନ୍ତୁ । ପୋଟୀଫର ଧ୍ୟାନ ଦେଲେ ଯେ ଯୋଷେଫ ବହୁତ ବୁଦ୍ଧିମାନ ଓ ପରିଶ୍ରମୀ ଅଟନ୍ତି । ସେ ଏପରି କାହିଁକି ଅଟନ୍ତି ପୋଟୀଫର ଏହାର କାରଣ ମଧ୍ୟ ବୁଝିଗଲେ । ଆଉ ତାହା ଥିଲା ‘ଯୋଷେଫ ଯାହା ବି କରୁଥିଲେ, ଯିହୋବା ତାହା ସଫଳ କରୁଥିଲେ ।’ b କିଛି ସମୟ ପରେ ପୋଟୀଫର ଯୋଷେଫଙ୍କୁ ନିଜର ବିଶେଷ ସେବକ ବାଛିଲେ ଓ ତାʼପରେ ସେ ତାଙ୍କୁ ନିଜ ଘରର ଅଧିକାରୀ ଭାବେ ମଧ୍ୟ ବାଛିଲେ । ଯୋଷେଫଙ୍କ ଯୋଗୁଁ ପୋଟୀଫରଙ୍କ ଧନ ସମ୍ପତ୍ତି ଆହୁରି ବଢ଼ିଗଲା ।
୬. ଯୋଷେଫଙ୍କ ସହ ଯାହା ହେଉଥିଲା, ସେବିଷୟରେ ତାଙ୍କୁ କିପରି ଲାଗୁଥିବ ?
୬ ଏବେ ପରିସ୍ଥିତିକୁ ଯୋଷେଫଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଏହା ସତ ଯେ ଯୋଷେଫଙ୍କୁ ପୋଟୀଫରଙ୍କ ଘରେ ଅନେକ ଅଧିକାର ଦିଆଯାଇଥିଲା, କିନ୍ତୁ କʼଣ ସେ ଏହା ଚାହୁଁଥିଲେ ଯେ ପୋଟୀଫର ତାଙ୍କ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତୁ ଓ ତାଙ୍କୁ ପୁରସ୍କାର ଦିଅନ୍ତୁ ? ନା, ସେ ତ କେବଳ ନିଜ ଘର ଫେରିବାକୁ ଚାହୁଁଥିବେ, ନିଜ ବାପାଙ୍କ ପାଖରେ ଫେରିବାକୁ ଚାହୁଁଥିବେ । କାରଣ ସେ ଜଣେ ଦାସ ଥିଲେ ଆଉ ତାହା ବି ଏପରି ବ୍ୟକ୍ତିର ଯିଏ ଯିହୋବାଙ୍କ ଉପାସନା କରୁ ନ ଥିଲେ । ଆଉ ଯିହୋବା ଏପରି କିଛି କଲେନି ଯାହାଦ୍ୱାରା ଯୋଷେଫଙ୍କୁ ପୋଟୀଫର ମୁକ୍ତ କରିଦିଅନ୍ତୁ ଓଲଟା ଆଗକୁ ଯାଇ ତାଙ୍କୁ ଆହୁରି କଷ୍ଟ ସହିବାକୁ ପଡ଼ିଲା ।
ଯେବେ ପରିସ୍ଥିତି ଆହୁରି ଖରାପ ହୋଇଯାଏ
୭. ଯୋଷେଫଙ୍କ ପରିସ୍ଥିତି କିପରି ଆହୁରି ଖରାପ ହେବାକୁ ଲାଗିଲା ? (ଆଦି ପୁସ୍ତକ ୩୯:୧୪, ୧୫)
୭ ଆଦି ପୁସ୍ତକ ଅଧ୍ୟାୟ ୩୯ରେ କୁହାଯାଇଛି ଯେ ପୋଟୀଫରଙ୍କ ସ୍ତ୍ରୀ ଯୋଷେଫଙ୍କ ଉପରେ ଖରାପ ଦୃଷ୍ଟି ଦେବାକୁ ଲାଗିଲା । ସେ ଯୋଷେଫଙ୍କୁ ବାରମ୍ବାର କହୁଥିଲା ଯେ ଯୋଷେଫ ତାʼ ସହିତ ଶୟନ କରନ୍ତୁ । କିନ୍ତୁ ପ୍ରତ୍ୟେକ ଥର ଯୋଷେଫ ତାକୁ ମନା କରି ଦେଉଥିଲେ । ଦିନେ ତାକୁ ଏତେ ରାଗ ଲାଗିଲା ଯେ ସେ ଯୋଷେଫଙ୍କ ଉପରେ ବଳାତ୍କାର କରିବାର ଆରୋପ ଲଗାଇ ଦେଲା । (ଆଦି ପୁସ୍ତକ ୩୯:୧୪, ୧୫ ପଢ଼ନ୍ତୁ ।) ଯେବେ ପୋଟୀଫରଙ୍କୁ ଏବିଷୟରେ ଜଣାପଡ଼ିଲା, ତେବେ ସେ ଯୋଷେଫଙ୍କୁ ଜେଲରେ ପୂରେଇ ଦେଲେ ଓ ଯୋଷେଫଙ୍କୁ ଅନେକ ବର୍ଷ ଯାଏ ସେଠାରେ ରହିବାକୁ ପଡ଼ିଲା । (ଆଦି. ୩୯:୧୯, ୨୦) ଯୋଷେଫଙ୍କୁ ଯେଉଁଠି ବନ୍ଦୀ କରି ରଖାଯାଇଥିଲା, ସେହି ଜାଗା କିପରି ଥିଲା ? ଯୋଷେଫ ସେହି ବିଷୟରେ କହିବା ପାଇଁ ଯେଉଁ ଏବ୍ରୀ ଶବ୍ଦର ବ୍ୟବହାର କଲେ ତାʼ ଅର୍ଥ, “କାରାକୂପ” ମଧ୍ୟ ହୋଇପାରେ । (ଆଦି. ୪୦:୧୫) ଏଥିରୁ ଜଣାପଡ଼େ ଯେ ହୁଏତ ଯୋଷେଫଙ୍କୁ ଗୋଟିଏ କାରାଗାରରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ବହୁତ ନିରାଶ ଅନୁଭବ କରୁଥିବେ । ବାଇବଲରେ ଏହା ବି କୁହାଯାଇଛି ଯେ କିଛି ସମୟ ପାଇଁ ବେଡ଼ିରେ ତାଙ୍କର ଚରଣକୁ ଓ ଶୀକୁଳିରେ ତାଙ୍କର ବେକକୁ ବନ୍ଧା ଯାଇଥିଲା । (ଗୀତ. ୧୦୫:୧୭, ୧୮) ଯୋଷେଫଙ୍କ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହୋଇ ହୋଇ ଯାଉଥିଲା । ଦେଖିବାକୁ ଗଲେ ଗୋଟେ ସମୟରେ ଯୋଷେଫ ବିଶ୍ୱାସଯୋଗ୍ୟ ଦାସ ଥିଲେ, କିନ୍ତୁ ଏବେ ସେ ସାଧାରଣ କଏଦୀ ଭାବେ ଥିଲେ ।
୮. ଯଦି ଆପଣଙ୍କ ପରିସ୍ଥିତି ଆହୁରି ଖରାପ ହୋଇଯାଏ, ସେସମୟରେ ବି ଆପଣ କେଉଁ କଥାର ଭରସା ରଖିପାରିବେ ?
୮ କʼଣ ଆପଣଙ୍କ ସହ ଏପରି ହୋଇଛି ଯେ ଆପଣ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କଲେ, ତଥାପି ଆପଣଙ୍କ ପରିସ୍ଥିତି ଆହୁରି ଖରାପ ହୋଇଗଲା ? ଆମ ସହିତ ଏପରି ହୋଇପାରେ, କାରଣ ଆଜି ଦୁନିଆକୁ ଶୟତାନ ଶାସନ କରୁଛି ଆଉ ଯିହୋବା କୌଣସି ଚମତ୍କାର କରି ଆମକୁ ରକ୍ଷା କରନ୍ତି ନାହିଁ । (୧ ଯୋହ. ୫:୧୯) କିନ୍ତୁ ଆମେ ଗୋଟେ କଥାର ଭରସା ରଖିପାରିବା । ଯିହୋବାଙ୍କୁ ଜଣାଅଛି ଯେ ଆପଣଙ୍କ ଉପରେ କʼଣ ଘଟୁଛି ଓ ସେ ଆପଣଙ୍କର ବହୁତ ଚିନ୍ତା କରନ୍ତି । (ମାଥି. ୧୦:୨୯-୩୧; ୧ ପିତ. ୫:୬, ୭) ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ପ୍ରତିଜ୍ଞା କରିଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।” (ଏବ୍ରୀ ୧୩:୫) ଯିହୋବା ଆପଣଙ୍କୁ ସମସ୍ୟାଗୁଡ଼ିକୁ ସହିବା ପାଇଁ ଶକ୍ତି ଦେଇପାରିବେ, ତେବେ ବି ଯେବେ ଆପଣଙ୍କୁ କୌଣସି ଆଶା ଦେଖାଯାଉ ନ ଥିବ । ଆସନ୍ତୁ ଦେଖିବା ଯେ ଯିହୋବା ଯୋଷେଫଙ୍କୁ କିପରି ସାହାଯ୍ୟ କଲେ ।
୯. ଆମେ କାହିଁକି କହିପାରିବା ଯେ ଯେବେ ଯୋଷେଫ ଜେଲରେ ଥିଲେ, ତେବେ ବି ଯିହୋବା ତାଙ୍କ ସାଙ୍ଗରେ ଥିଲେ ? (ଆଦି ପୁସ୍ତକ ୩୯:୨୧-୨୩)
୯ ଆଦି ପୁସ୍ତକ ୩୯:୨୧-୨୩ ପଢ଼ନ୍ତୁ । ଯୋଷେଫ ବହୁତ କଠିନ ସମୟର ସାମନା କରୁଥିଲେ, ତଥାପି ଯିହୋବାଙ୍କ ସାହାଯ୍ୟରେ ସେ ସଫଳତା ପାଇପାରିଲେ । ତାହା କିପରି ? ଯେପରି ପୋଟୀଫର ଯୋଷେଫଙ୍କ କାମ ଦେଖି ତାଙ୍କ ଉପରେ ଭରସା କରିବାକୁ ଲାଗିଲେ, ସେହିପରି ଜେଲର କାରାରକ୍ଷକ ମଧ୍ୟ ଯୋଷେଫଙ୍କ ଉପରେ ଭରସା କରିବାକୁ ଲାଗିଲା । କିଛି ସମୟ ପରେ ହିଁ ସେ ଯୋଷେଫଙ୍କୁ ଜେଲରେ ଥିବା ସବୁ କଏଦୀମାନଙ୍କ ଉପରେ ଅଧିକାରୀ ନିଯୁକ୍ତ କରିଦେଲା । ବାଇବଲରେ ଏହା ବି ଲେଖାଅଛି, “କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ ।” ଏବେ ଯୋଷେଫ ଜେଲର ଗୋଟିଏ କୋଣରେ ବସି ରହି ନ ଥିଲେ, ବରଂ ତାଙ୍କ ପାଖରେ କରିବା ପାଇଁ କିଛି କାମ ଥିଲା । ଟିକେ ଭାବନ୍ତୁ, ଯେଉଁ ବ୍ୟକ୍ତିଙ୍କ ଉପରେ ଫାରୋଙ୍କ ରକ୍ଷକ ସେନାପତିଙ୍କ ସ୍ତ୍ରୀଙ୍କ ବଳାତ୍କାର କରିବାର ଆରୋପ ଲଗାଯାଇଥିଲା, ତାଙ୍କୁ ଏତେ ବଡ଼ ଦାୟିତ୍ୱ କିପରି ଦିଆଗଲା ! ଏହାର କେବଳ ଗୋଟିଏ ହିଁ କାରଣ ହୋଇପାରେ । ଆଦି ପୁସ୍ତକ ୩୯:୨୩ ପଦରେ ଲେଖାଅଛି, ‘ଯିହୋବା ତାଙ୍କର ସହବର୍ତ୍ତୀ ଥିଲେ; ପୁଣି ସେ ଯାହା କଲେ, ଯିହୋବା ତାହା ସଫଳ କଲେ ।’
୧୦. ଯୋଷେଫଙ୍କୁ ହୁଏତ କାହିଁକି ଲାଗିଥିବ ଯେ ତାଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳୁ ନାହିଁ ?
୧୦ ପୁଣିଥରେ ପରିସ୍ଥିତିକୁ ଯୋଷେଫଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଯୋଷେଫଙ୍କ ଉପରେ ମିଛ ଆରୋପ ଲଗାଯାଇଥିଲା ଓ ତାଙ୍କୁ ଜେଲରେ ପୂରେଇ ଦିଆଯାଇଥିଲା । କʼଣ ସେସମୟରେ ତାଙ୍କୁ ଲାଗିଥିବ ଯେ ତାଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳୁଛି ? ସେସମୟରେ ତାଙ୍କ ମନରେ କʼଣ ଚାଲୁଥିବ ? କʼଣ ସେ ଏହା ଚାହୁଁଥିବେ ଯେ ଜେଲର କାରାରକ୍ଷକ ତାଙ୍କ ଉପରେ ଖୁସି ହୁଅନ୍ତୁ ଓ ତାଙ୍କୁ ଆହୁରି ଦାୟିତ୍ୱ ଦିଅନ୍ତୁ ? ନା, ସେ କେବଳ ଏତିକି ଚାହୁଁଥିବେ ଯେ ତାଙ୍କ ଉପରେ ଲଗାଯାଇଥିବା ମିଛ ଆରୋପ ହଟିଯାଉ ଓ ସେ ମୁକ୍ତ ହୋଇଯାʼନ୍ତୁ । ଯୋଷେଫ ଜଣେ କଏଦୀକୁ ଯିଏ ମୁକ୍ତ ହେବାକୁ ଯାଉଥିଲା, ତାକୁ କହିଥିଲେ ଯେ ସେ ବନ୍ଦୀରୁ ମୁକ୍ତ ହେବା ପରେ ତାଙ୍କ ବିଷୟରେ ଫାରୋଙ୍କୁ କହନ୍ତୁ ଯାହାଫଳରେ ସେ କାରାଗାରରୁ ମୁକ୍ତ ହୋଇପାରିବେ । (ଆଦି. ୪୦:୧୪) କିନ୍ତୁ ସେ ଫାରୋଙ୍କୁ ଯୋଷେଫଙ୍କ ବିଷୟରେ କହିବା ପାଇଁ ଭୁଲି ଗଲା, ତେଣୁ ଯୋଷେଫଙ୍କୁ ଆଉ ଦୁଇ ବର୍ଷ ଯାଏ ଜେଲରେ ରହିବାକୁ ପଡ଼ିଲା । (ଆଦି. ୪୦:୨୩; ୪୧:୧, ୧୪) କିନ୍ତୁ ଏପରି ସମୟରେ ବି ଯିହୋବା ପ୍ରତ୍ୟେକ କାମରେ ତାଙ୍କୁ ସଫଳତା ଦେଉଥିଲେ । ଆସନ୍ତୁ ଜାଣିବା କିପରି ।
୧୧. (କ) ଯିହୋବାଙ୍କ ସାହାଯ୍ୟରେ ଯୋଷେଫ କʼଣ କରିପାରିଲେ ? (ଖ) ଏଥିରୁ ଯିହୋବାଙ୍କ ଉଦ୍ଦେଶ୍ୟ କିପରି ପୂରା ହେଲା ?
୧୧ ଯେବେ ଯୋଷେଫ ଜେଲରେ ଥିଲେ, ତେବେ ଯିହୋବା ଫାରୋଙ୍କୁ ଦୁଇଟି ସ୍ୱପ୍ନ ଦେଖାଇଲେ । ତାʼ ଯୋଗୁଁ ସେ ବହୁତ ବ୍ୟସ୍ତ ହୋଇଗଲେ । ସେ ତାʼର ଅର୍ଥ ଜାଣିବାକୁ ଚାହୁଁଥିଲେ । ଫାରୋଙ୍କୁ କୁହାଗଲା ଯେ ଯୋଷେଫ ତାଙ୍କ ସ୍ୱପ୍ନର ଅର୍ଥ କହିପାରିବେ, ତେଣୁ ଫାରୋ ତାଙ୍କୁ ନିଜ ପାଖକୁ ଡକାଇଲେ । ଯୋଷେଫ ଯିହୋବାଙ୍କ ସାହାଯ୍ୟରେ ସ୍ୱପ୍ନର ଅର୍ଥ କହିଦେଲେ ଓ କିଛି ପରାମର୍ଶ ମଧ୍ୟ ଦେଲେ । ଫାରୋ ତାଙ୍କ ଉପରେ ଖୁସି ହୋଇଗଲେ ଓ ସେ ବୁଝିଗଲେ ଯେ ଯିହୋବା ଯୋଷେଫଙ୍କ ସହ ଅଛନ୍ତି, ତେଣୁ ସେ ଯୋଷେଫଙ୍କୁ ପୂରା ମିଶର ଦେଶର ଖାଦ୍ୟ ଭଣ୍ଡାରର ଅଧିକାରୀ ନିଯୁକ୍ତ କଲେ । (ଆଦି. ୪୧:୩୮, ୪୧-୪୪) ପରେ ମିଶର ଓ କିଣାନ ଦେଶରେ ମରୁଡ଼ି ହେଲା । ସେସମୟରେ ଯୋଷେଫଙ୍କ ପରିବାର କିଣାନ ଦେଶରେ ହିଁ ଥିଲେ । କିନ୍ତୁ ଏବେ ଯୋଷେଫ ଜଣେ ବଡ଼ ଅଧିକାରୀ ହୋଇଯାଇଥିଲେ ଓ ନିଜ ପରିବାରର ଆବଶ୍ୟକତା ପୂରା କରିପାରʼନ୍ତେ, ତେଣୁ ସେ ସେମାନଙ୍କୁ ମିଶର ଦେଶକୁ ଡାକିଲେ । ଏପରି ଭାବେ ସେହି ବଂଶର ରକ୍ଷା ହୋଇପାରିଲା ଯେଉଁ ବଂଶରୁ ଆଗକୁ ଯାଇ ମସୀହ ଜନ୍ମ ହୁଅନ୍ତେ ।
୧୨. ଯିହୋବା କିଭଳି ଭାବରେ ଯୋଷେଫଙ୍କୁ ପ୍ରତ୍ୟେକ କାମରେ ସଫଳତା ଦେଲେ ?
୧୨ ଯୋଷେଫଙ୍କ ଜୀବନରେ ଅନେକ ଅବିଶ୍ୱାସନୀୟ ଘଟଣାଗୁଡ଼ିକ ଘଟିଲା । ଧ୍ୟାନ ଦିଅନ୍ତୁ, ପୋଟୀଫର କାହିଁକି ଜଣେ ସାଧାରଣ ଦାସଙ୍କ ଉପରେ ଧ୍ୟାନ ଦେଲେ ? ଜେଲର ଅଧିକାରୀ କାହିଁକି ଜଣେ କଏଦୀକୁ ଏତେ ବଡ଼ ଦାୟିତ୍ୱ ଦେଲେ ? କିଏ ଫାରୋଙ୍କୁ ସ୍ୱପ୍ନ ଦେଖାଇଲେ ଯାହାଯୋଗୁଁ ସେ ବ୍ୟସ୍ତ ହୋଇଗଲେ ? କିଏ ଯୋଷେଫଙ୍କୁ ସ୍ୱପ୍ନର ଅର୍ଥ କହିବାର ଦକ୍ଷତା ଦେଲେ ? କିଏ ଫାରୋଙ୍କ ମନରେ ଏକଥା ଆଣିଲେ ଯେ ଯୋଷେଫଙ୍କୁ ଶସ୍ୟ ଭଣ୍ଡାରର ଅଧିକାରୀ ନିଯୁକ୍ତ କରନ୍ତୁ ? (ଆଦି. ୪୫:୫) ଏସବୁ ଆପେ ଆପେ ହେଲାନି । ଏହା ପଛରେ ଯିହୋବାଙ୍କ ହାତ ଥିଲା ଓ ସେ ହିଁ ଯୋଷେଫଙ୍କ ପ୍ରତ୍ୟେକ କାମରେ ସଫଳତା ଦେଲେ । ଯୋଷେଫଙ୍କ ଭାଇମାନେ ତ ତାଙ୍କୁ ମାରିବା ପାଇଁ ଚାହୁଁଥିଲେ, କିନ୍ତୁ ଯିହୋବା ପରିସ୍ଥିତିକୁ ଏପରି ବଦଳାଇ ଦେଲେ ଯାହାଦ୍ୱାରା ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହୋଇପାରିଲା ।
ଯିହୋବା ଆପଣଙ୍କୁ କିପରି ସଫଳତା ଦେଇପାରିବେ
୧୩. ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଯିହୋବା କʼଣ କରନ୍ତି ନାହିଁ ? ବୁଝାନ୍ତୁ ।
୧୩ ଯୋଷେଫଙ୍କ କାହାଣୀରୁ ଆମେ କʼଣ ଶିଖୁ ? କʼଣ ଯିହୋବା ଆମ ଉପରେ ଆସୁଥିବା ସମସ୍ତ ସମସ୍ୟାଗୁଡ଼ିକୁ ରୋକି ଦିଅନ୍ତି ? କʼଣ ଯିହୋବା ଆମ ଜୀବନରେ ଆସୁଥିବା ପ୍ରତ୍ୟେକ ପରିସ୍ଥିତିକୁ ଏପରି ବଦଳାଇ ଦିଅନ୍ତି ଯେ ସମସ୍ୟା ସମୟରେ ମଧ୍ୟ କିଛି ଭଲ ହୋଇଯାଏ ? ନା, ବାଇବଲରେ ଏପରି କୁହାଯାଇ ନାହିଁ ଯେ ଯାହା ହୁଏ ତାହା ଆମ ଭଲ ପାଇଁ ହୁଏ । (ଉପ. ୮:୯; ୯:୧୧) କିନ୍ତୁ ବାଇବଲରେ ଏହା କୁହାଯାଇଛି ଯେ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଯିହୋବାଙ୍କୁ ଭଲଭାବେ ଜଣାଥାଏ ଯେ ଆମେ କିପରି ଅନୁଭବ କରୁଛୁ ଏବଂ ଯେବେ ଆମେ ତାଙ୍କୁ ପ୍ରାର୍ଥନା କରୁ ତେବେ ସେ ଶୁଣନ୍ତି । (ଗୀତ. ୩୪:୧୫; ୫୫:୨୨; ଯିଶା. ୫୯:୧) କେବଳ ସେତିକି ନୁହେଁ ଯିହୋବା ଆମକୁ ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ କରନ୍ତି ଓ ସଫଳତା ଦେଇପାରନ୍ତି । ଏହା ସେ କିପରି କରନ୍ତି ?
୧୪. ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ?
୧୪ ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଯିହୋବା ଆମକୁ ସାନ୍ତ୍ୱନା ଦିଅନ୍ତି ଓ ଆମର ସାହସ ବଢ଼ାନ୍ତି ଯାହାଫଳରେ ଆମେ ସେହି ସମସ୍ୟାଗୁଡ଼ିକୁ ସହିପାରୁ । ଅନେକଥର ସେ ଏପରି ସେସମୟରେ କରନ୍ତି ଯେବେ ଆମକୁ ସାହସର ସବୁଠୁ ଅଧିକ ଦରକାର ଥାଏ । (୨ କରି. ୧:୩, ୪) ତୁର୍କମେନିସ୍ଥାନରେ ରହୁଥିବା ଜଣେ ଭାଇ ଏଜିସ୍ଙ୍କ ସହ ମଧ୍ୟ ଏପରି ହିଁ ହେଲା । ବାଇବଲର ଶିକ୍ଷା ମାନିବା ଯୋଗୁଁ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡ ମିଳିଥିଲା । ସେ କହନ୍ତି, “ଯେଉଁଦିନ ମୋର ଶୁଣାଣି ଥିଲା ସେହିଦିନ ସକାଳେ ଜଣେ ଭାଇ ମୋତେ ଯିଶାଇୟ ୩୦:୧୫ (NWT) ପଦ ଦେଖାଇଲେ ଯେଉଁଠି ଯିହୋବା କହନ୍ତି, ‘ଶାନ୍ତ ରହ ଓ ମୋଠାରେ ଭରସା ରଖ, ତେବେ ତୁମ୍ଭମାନଙ୍କୁ ବଳ ମିଳିବ ।’ ଏହି ପଦ ବିଷୟରେ ଭାବିବାରୁ ତାଙ୍କୁ ବହୁତ ସାହସ ମିଳିଲା । ଯେତେବେଳେ ଯାଏ ମୁଁ ଜେଲରେ ଥିଲି ମୁଁ ଶାନ୍ତ ରହିପାରିଲି ଓ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିଲି ।” କʼଣ ଆପଣଙ୍କୁ କୌଣସି ଏପରି ସମୟ ମନେଅଛି ଯେବେ ଯିହୋବା ଆପଣଙ୍କୁ ସାନ୍ତ୍ୱନା ଦେଲେ ଓ ସାହସ ବାନ୍ଧିଲେ । ତାହା ବି ସେସମୟରେ ଯେବେ ଆପଣଙ୍କୁ ଏହାର ସବୁଠୁ ଅଧିକ ଦରକାର ଥିଲା ।
୧୫-୧୬. ଆପଣ ଭଉଣୀ ଟୋରୀଙ୍କଠାରୁ କʼଣ ଶିଖିଲେ ?
୧୫ ଅନେକଥର ଏପରି ହୁଏ ଯେବେ ଆମେ କୌଣସି ସମସ୍ୟାର ସାମନା କରୁ ତେବେ ଆମେ ବୁଝିପାରି ନ ଥାଉ ଯେ ଯିହୋବା କିଭଳି ଆମର ସାହାଯ୍ୟ କରୁଛନ୍ତି । କିନ୍ତୁ ପରେ ଯେବେ ଆମେ ସେସମୟ ବିଷୟରେ ଭାବୁ ତେବେ ଆମେ ଅନୁଭବ କରୁ ଯେ ଯିହୋବା କିପରି ଆମକୁ ସମ୍ଭାଳି ଥିଲେ । ଭଉଣୀ ଟୋରୀଙ୍କ ସହ ମଧ୍ୟ ଏପରି ହେଲା । ତାଙ୍କ ପୁଅ ମେସନ୍କୁ କ୍ୟାନସର ହୋଇଯାଇଥିଲା । ସେ ୬ ବର୍ଷ ଯାଏ ସେହି ରୋଗରେ ପୀଡ଼ିତ ଥିଲା । ତାʼପରେ ତାʼ ମୃତ୍ୟୁ ହୋଇଗଲା । ଭଉଣୀ ଟୋରୀ ପୂରାପୂରି ଭାଙ୍ଗି ପଡ଼ିଲେ । ସେ କହନ୍ତି, “ମୁଁ କହିପାରିବିନି ଯେ ଯେବେ ଜଣେ ମାଆ ନିଜ ପିଲାକୁ ଆଖି ସାମନାରେ ଦେଖେ ଯେ ସେ କିପରି କଷ୍ଟ ସହୁଛି ତେବେ ତାକୁ କିପରି ଲାଗେ । କୌଣସି ବାପାମାଆ ଏହା ଚାହିଁବେନି ଯେ ତାଙ୍କ ପିଲା ଏପରି କଷ୍ଟ ସହୁ । ଯଦିଓ ବାପାମାଆଙ୍କୁ କିଛି ବି ହୋଇଯାଉ, କିନ୍ତୁ ସେମାନେ କେବେ ବି ଚାହିଁବେନି ଯେ ସେମାନଙ୍କ ପିଲାମାନଙ୍କୁ କିଛି ବି ହେଉ ।”
୧୬ ଭଉଣୀ ଟୋରୀଙ୍କ ପାଇଁ ନିଜ ପୁଅକୁ କଷ୍ଟରେ ଦେଖିବା ବହୁତ କଠିନ ଥିଲା । କିନ୍ତୁ ପରେ ଯେବେ ଟୋରୀ ସେସମୟ ବିଷୟରେ ଭାବିଲେ ତେବେ ସେ ବୁଝିପାରିଲେ ଯେ ଯିହୋବା କିପରି ସେମାନଙ୍କ ସାହାଯ୍ୟ କରୁଥିଲେ । ସେ କହନ୍ତି, “ଯେବେ ମୁଁ ସେସମୟ ବିଷୟରେ ଭାବେ ତେବେ ମୁଁ ଅନୁଭବ କରେ ଯେ ଯିହୋବା ସବୁବେଳେ ଆମକୁ ସମ୍ଭାଳୁଥିଲେ । ସେ କେବେ ବି ଆମକୁ ଛାଡ଼ିଲେନି । ଯେବେ ମେସନ୍ର ଦେହ ବହୁତ ଖରାପ ହୋଇଗଲା ଓ ସେ କାହାରିକୁ ଭେଟି ପାରୁ ନ ଥିଲା ତେବେ ବି ଭାଇଭଉଣୀମାନେ ୨ ଘଣ୍ଟା ଗାଡ଼ି ଚଲାଇ ହସ୍ପିଟାଲ ଆସୁଥିଲେ । ଭାଇଭଉଣୀ ଆମକୁ କେବେ ବି ଏକୁଟିଆ ଛାଡ଼ିଲେନି । କେହି ନା କେହି ସବୁବେଳେ ହସ୍ପିଟାଲରେ ରହୁଥିଲେ । ସେମାନେ ଆମ ଅନ୍ୟ ଆବଶ୍ୟକତାର ମଧ୍ୟ ଧ୍ୟାନ ରଖିଲେ । ବହୁତ କଠିନ ସମୟରେ ମଧ୍ୟ ଆମକୁ କେବେ କିଛି ଜିନିଷର ବି ଅଭାବ ହେଲାନି ।” ଯିହୋବାଙ୍କ ସାହାଯ୍ୟରେ ଟୋରୀ ଓ ମେସନ୍ ସବୁ ସମସ୍ୟାଗୁଡ଼ିକୁ ସହିପାରିଲେ । ତାଙ୍କୁ ଯେଉଁ ଜିନିଷଗୁଡ଼ିକର ଆବଶ୍ୟକ ଥିଲା ଯିହୋବା ସେମାନଙ୍କୁ ତାହା ଦେଲେ ।—“ ଯିହୋବା ଆମକୁ ସେସବୁ ଦେଲେ ଯାହା ” ନାମକ ବକ୍ସ ଦେଖନ୍ତୁ । ଆମକୁ ଆବଶ୍ୟକ ଥିଲା
ଆପଣଙ୍କୁ କେଉଁ କେଉଁ ଆଶିଷ ମିଳିଛି
୧୭-୧୮. ସମସ୍ୟାଗୁଡ଼ିକ ସମୟରେ ଆମେ କʼଣ କରିପାରିବା ଯାହାଦ୍ୱାରା ଆମେ ବୁଝିପାରିବା ଯେ ଯିହୋବା ଆମର ସାହାଯ୍ୟ କରୁଛନ୍ତି ? (ଗୀତସଂହିତା ୪୦:୫)
୧୭ ଗୀତସଂହିତା ୪୦:୫ ପଢ଼ନ୍ତୁ । ଅନେକ ଲୋକମାନଙ୍କୁ ପାହାଡ଼ ଚଢ଼ିବା ବହୁତ ଭଲ ଲାଗେ । ପାହାଡ଼ ଚଢ଼ିବା ସମୟରେ ସେମାନେ ପାହାଡ଼ର ସବୁଠୁ ଉପର ଭାଗକୁ ଚଢ଼ିବା ପାଇଁ ଚାହାନ୍ତି କିନ୍ତୁ ଚଢ଼ିବା ସମୟରେ ସେମାନେ ମଝି ମଝିରେ ଅଟକି ଆଖପାଖର ଦୃଶ୍ୟର ମଜା ନିଅନ୍ତି । ସେହିପରି ଆପଣ ଶୀଘ୍ର ନିଜ ସମସ୍ୟାଗୁଡ଼ିକୁ ପାର କରିବା ପାଇଁ ଚାହୁଁଥିବେ । କିନ୍ତୁ ସମସ୍ୟାର ସାମନା କରିବା ସମୟରେ ମଝି ମଝିରେ ଏବିଷୟରେ ଭାବନ୍ତୁ ଯେ ଯିହୋବା କିପରି ଆପଣଙ୍କର ସାହାଯ୍ୟ କରୁଛନ୍ତି ଓ ଆପଣଙ୍କୁ ସଫଳତା ଦେଉଛନ୍ତି । ଆପଣ ଚାହିଁଲେ ପ୍ରତିଦିନର ଶେଷରେ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବିପାରିବେ: ‘ଯିହୋବା ଆଜି ମୋତେ କିଭଳି ଆଶିଷ ଦେଲେ ? ସମସ୍ୟା ତ ଶେଷ ହୋଇନି କିନ୍ତୁ ଯିହୋବା ତାହାକୁ ସହିବା ପାଇଁ ମୋତେ କିପରି ସାହାଯ୍ୟ କରୁଛନ୍ତି ?’ ଚେଷ୍ଟା କରନ୍ତୁ ଯେ ଆପଣ ପ୍ରତିଦିନ କମ୍ ରୁ କମ୍ ଗୋଟିଏ ଆଶିଷ ବିଷୟରେ ଭାବନ୍ତୁ ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ସଫଳ ହୋଇଛନ୍ତି ।
୧୮ ଆପଣ ନିଶ୍ଚୟ ଏହା ପ୍ରାର୍ଥନା କରୁଥିବେ ଯେ ଆପଣଙ୍କ ସମସ୍ୟା ଶେଷ ହୋଇଯାଉ । ଆଉ ଏପରି ଭାବିବା ଭୁଲ ନୁହେଁ । (ଫିଲିପ୍. ୪:୬) କିନ୍ତୁ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆଜି ଯିହୋବା ଆପଣଙ୍କୁ କʼଣ କʼଣ ଆଶିଷ ଦେଇଛନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆପଣଙ୍କୁ ସାହସ ଦେବେ ଓ ସମସ୍ୟା ସହିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ । କେବେ ବି ଏହା ଭୁଲନ୍ତୁ ନାହିଁ ଯେ ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି ଓ ଏହି କଥା ପାଇଁ ସବୁବେଳେ ଯିହୋବାଙ୍କର କୃତଜ୍ଞ ରହନ୍ତୁ । ତେବେ ଆପଣ ବୁଝିପାରିବେ ଯେ ସମସ୍ୟା ସମୟରେ ମଧ୍ୟ ଯିହୋବାଙ୍କ ସାହାଯ୍ୟରେ ଆପଣ ସଫଳ ହେଉଛନ୍ତି । ଯେପରି ଯୋଷେଫ ସଫଳ ହୋଇଥିଲେ ।—ଆଦି. ୪୧:୫୧, ୫୨.
ଗୀତ ୩୨ ୟହୋୱା କି ଓର ହୋଯା !
a ହୁଏତ ଆମେ ଭାବୁ ଯେ କୌଣସି ସମସ୍ୟାର ସାମନା କଲା ପରେ ହିଁ ଆମକୁ ସଫଳତା ମିଳେ । କିନ୍ତୁ କʼଣ ଆପଣ ଜାଣନ୍ତି ଯେବେ ଆମେ କୌଣସି ସମସ୍ୟାର ସାମନା କରୁ, ତେବେ ବି ଆମେ ସଫଳତା ପାଇପାରିବା ? ଯୋଷେଫଙ୍କ କାହାଣୀରୁ ଆମେ ଏହା ହିଁ ଶିଖୁ । ଯେପରି ସମସ୍ୟା ସମୟରେ ଯିହୋବା ତାଙ୍କୁ ସାହାଯ୍ୟ କଲେ, ସେହିପରି ସେ ଆମକୁ ବି ସାହାଯ୍ୟ କରିବେ ଯାହାଦ୍ୱାରା ଆମେ ସଫଳତା ପାଇପାରିବା । ଏହି ଲେଖାରେ ଆମେ ଏହା ହିଁ ଶିଖିବା ।
b ବାଇବଲର କେବଳ କିଛି ପଦଗୁଡ଼ିକରେ କୁହାଯାଇଛି ଯେ ଯୋଷେଫଙ୍କୁ ଦାସ ଭାବେ ବିକ୍ରି କରାଯିବା ପରେ ତାଙ୍କ ସହ କʼଣ କʼଣ ହେଲା । କିନ୍ତୁ ତାଙ୍କ ସହ ଯାହା ଯାହା ହେଲା ସେଥିରେ ଅନେକ ବର୍ଷ ଲାଗିଥିବ ।