ଜୀବନ କାହାଣୀ
ମୁଁ ଯିହୋବାଙ୍କ ଉପରେ ଭରସା ରଖିଲି ଏବଂ ସେ ମୋର ସୁରକ୍ଷା କଲେ
ମୁଁ ପ୍ରାୟ ଲୋକମାନଙ୍କୁ କହେ, “ମୁଁ ଯିହୋବାଙ୍କ ହାତରେ ଗୋଟିଏ ସୁଟକେସ୍ ଭଳି ଅଟେ ।” ମୁଁ ଯେବେ ବି ଯାତ୍ରା କରେ, ମୁଁ ନିଜ ସୁଟକେସ୍କୁ ସାଙ୍ଗରେ ନେଇକି ଯାଏ । ମୁଁ ଯେଉଁଠି ଯାଏ ମୋ ସୁଟକେସ୍ ବି ମୋ ସହିତ ଯାଏ । ଠିକ୍ ସେହିଭଳି ଯିହୋବା ଏବଂ ତାଙ୍କ ସଂଗଠନ ଯେଉଁଠି ବି ଯିବାକୁ କହେ, ମୁଁ ପ୍ରସ୍ତୁତ ରହେ । ଅନେକଥର ମୋତେ ଏପରି ଜାଗାଗୁଡ଼ିକରେ ଯିବାକୁ ପଡ଼ିଲା ଯେଉଁଠାରେ ଅନେକ ସମସ୍ୟା କିମ୍ବା ବିପଦଗୁଡ଼ିକ ଥିଲା । କିନ୍ତୁ ମୁଁ ଦେଖିଛି ଯେ ଯଦି ମୁଁ ଯିହୋବାଙ୍କ ଉପରେ ଭରସା ରଖେ, ତାହେଲେ ସେ ମୋର ସୁରକ୍ଷା କରିବେ ।
ଯିହୋବାଙ୍କୁ ଜାଣିଲି ଓ ତାଙ୍କ ଉପରେ ଭରସା କରିବା ଶିଖିଲି
ମୋ ଜନ୍ମ ୧୯୪୮ରେ ନାଇଜେରିଆର ଗୋଟିଏ ଛୋଟ ଗାଁରେ ହୋଇଥିଲା । ଆମ ଗାଁ ନାଇଜେରିଆର ଦକ୍ଷିଣ-ପଶ୍ଚିମ ଭାଗରେ ଥିଲା । ପାଖାପାଖି ସେସମୟରେ ମୋ କକା ମୁସ୍ତଫା ଓ ତାʼପରେ ମୋ ସବୁଠୁ ବଡ଼ ଭାଇ ୱହାବି ବାପ୍ତିସ୍ମ ନେଲେ ଏବଂ ଯିହୋବାଙ୍କ ସାକ୍ଷୀ ହୋଇଗଲେ । ମୁଁ ନଅ ବର୍ଷର ଥିଲି ଯେବେ ମୋ ବାପାଙ୍କ ମୃତ୍ୟୁ ହୋଇଗଲା । ତାଙ୍କ ଯିବା ପରେ ମୁଁ ପୂରାପୂରି ଭାଙ୍ଗି ପଡ଼ିଥିଲି । କିନ୍ତୁ ତାʼପରେ ୱହାବି ମୋତେ କହିଲେ ଯେ ଆମେ ବାପାଙ୍କୁ ପୁଣି ଭେଟିପାରିବା । ମୁଁ ଏହାଶୁଣି ବହୁତ ଖୁସି ହେଲି । ତେଣୁ ମୁଁ ବାଇବଲ ଅଧ୍ୟୟନ କରିବାକୁ ଲାଗିଲି । ତାʼପରେ ୧୯୬୩ରେ ମୁଁ ବାପ୍ତିସ୍ମ ନେଲି । କିଛି ସମୟ ପରେ ମୋର ଆଉ ତିନିଜଣ ଭାଇ ମଧ୍ୟ ବାପ୍ତିସ୍ମ ନେଲେ ।
୧୯୬୫ରେ ମୁଁ ଲାଗୋସ୍ରେ ରହୁଥିବା ମୋ ବଡ଼ ଭାଇ ୱିଲସନ୍ଙ୍କ ପାଖକୁ ଚାଲିଗଲି । ସେଠାରେ ଇଗବୋବି ମଣ୍ଡଳୀରେ ଅଗ୍ରଦୂତମାନଙ୍କ ସହ ଭଲ ସମୟ ବିତାଇଲି । ମୁଁ ଦେଖିଲି ଯେ ସେମାନେ କେତେ ଉତ୍ସାହର ସହ ପ୍ରଚାର କରନ୍ତି ଏବଂ କେତେ ଖୁସିରେ ରହନ୍ତି । ସେମାନଙ୍କୁ ଦେଖି ଜାନୁୟାରୀ ୧୯୬୮ରେ ମୁଁ ବି ଅଗ୍ରଦୂତ ସେବା କରିବାକୁ ଲାଗିଲି ।
କିଛି ସମୟ ପରେ ବୈଥେଲରେ ସେବା କରୁଥିବା ଜଣେ ଭାଇ ଅଲବର୍ଟ ଓଲୁଗବେବି ଆମ ଯୁବାମାନଙ୍କ ସହ ଗୋଟିଏ ବିଶେଷ ସଭା ରଖିଲେ । ସେଥିରେ ସେ କହିଲେ ଯେ ଉତ୍ତରୀୟ ନାଇଜେରିଆରେ ବିଶେଷ ଅଗ୍ରଦୂତମାନଙ୍କ ବହୁତ ଆବଶ୍ୟକ ଅଛି । ମୋତେ ଆଜି ବି ମନେଅଛି ଯେ ସେ ଆମର କେତେ ଉତ୍ସାହ ବଢ଼ାଇଲେ । ସେ କହିଲେ, “କାମ ବହୁତ ଅଛି, ଫସଲ ପ୍ରସ୍ତୁତ ଅଛି । ତମେ ଏବେ ଯୁବା ଅଛ, ତେଣୁ ନିଜ ସମୟ ଓ ଶକ୍ତି ଯିହୋବାଙ୍କ ସେବାରେ ଲଗାଇପାରିବ ।” ମୁଁ ଯିଶାଇୟଙ୍କ ଭଳି ଉତ୍ସାହ ଦେଖାଇବାକୁ ଚାହୁଁଥିଲି, ତେଣୁ ମୁଁ ବିଶେଷ ଅଗ୍ରଦୂତ ସେବା କରିବା ପାଇଁ ଫର୍ମ ଭରିଦେଲି ।—ଯିଶା. ୬:୮.
ମେ ୧୯୬୮ରେ ମୋତେ କାନୋ ସହରରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ କୁହାଗଲା । ଏହି ସହର ଉତ୍ତରୀୟ ନାଇଜେରିଆରେ ଅଛି । ସେସମୟରେ ନାଇଜେରିଆରେ ଯୁଦ୍ଧ ଚାଲିଥିଲା ଏବଂ କାନୋ ସହରର ଆଖପାଖ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥିଲା (ଏହି ଯୁଦ୍ଧ ୧୯୬୭-୧୯୭୦ ଯାଏ ଚାଲିଲା) । ସେଠାରେ ପରିସ୍ଥିତି ବହୁତ ଖରାପ ଥିଲା । ଜଣେ ଭାଇଙ୍କୁ ମୋର ଚିନ୍ତା ହେଉଥିଲା ତେଣୁ ସେ ମୋତେ ରୋକିବା ପାଇଁ ବହୁତ ଚେଷ୍ଟା କଲେ । କିନ୍ତୁ ମୁଁ ତାଙ୍କୁ କହିଲି, “ମୋ ଚିନ୍ତା କରିବା ପାଇଁ ଧନ୍ୟବାଦ ଭାଇ । କିନ୍ତୁ ଯଦି ଯିହୋବାଙ୍କ ଇଚ୍ଛା ଅଛି ଯେ ମୁଁ ସେଠାରେ ଯାଇ ସେବା କରେ, ତେବେ ମୋତେ ପୂରା ଭରସା ଅଛି ଯେ ସେ ମୋତେ ସୁରକ୍ଷା ଦେବେ ।”
ଯୁଦ୍ଧରୁ ହେଲା କ୍ଷତି, ତଥାପି ଥିଲା ଭରସା
ଯେବେ ଆମେ କାନୋ ସହର ପହଞ୍ଚିଲୁ, ତେବେ ଆମେ ସେଠାର ପରିସ୍ଥିତି ଦେଖି ଭୟଭୀତ ହୋଇଗଲୁ । ସହରର ଅନେକ ଭାଗ ପୂରାପୂରି ଧ୍ୱଂସ ହୋଇଯାଇଥିଲା । ପ୍ରଚାର କରିବା ସମୟରେ ଆମେ ଅନେକଥର ଯୁଦ୍ଧରେ ମରିଥିବା ଲୋକଙ୍କ ଶବଗୁଡ଼ିକୁ ଦେଖୁଥିଲୁ । କାନୋ ସହରରେ ଅନେକ ମଣ୍ଡଳୀ ଥିଲା, କିନ୍ତୁ ଯୁଦ୍ଧ ଯୋଗୁଁ ଅନେକ ଭାଇଭଉଣୀ ସେଠାରୁ ପଳାଇଯାଇଥିଲେ । କେବଳ ୧୫ ଜଣ ପ୍ରଚାରକ ହିଁ ସେଠାରେ ଥିଲେ ଓ ସେମାନେ ମଧ୍ୟ ବହୁତ ଡରି ଡରି ରହୁଥିଲେ । ଯେବେ ଆମେ ଛଅଜଣ ବିଶେଷ ଅଗ୍ରଦୂତ ସେଠାରେ ପହଞ୍ଚିଲୁ, ତେବେ ସେହି ଭାଇଭଉଣୀମାନଙ୍କ ଖୁସିର ସୀମା ରହିଲାନି । ଆମେ ସେହି ପ୍ରଚାରକଙ୍କ ଉତ୍ସାହ ବଢ଼ାଇଲୁ ଏବଂ ସେମାନଙ୍କୁ ବହୁତ ଭଲ ଲାଗିଲା । ଆମେ ପୁଣିଥରେ ସଭାଗୁଡ଼ିକ ଆରମ୍ଭ କଲୁ ଏବଂ ପ୍ରଚାର କରିବା ପାଇଁ ସେମାନଙ୍କୁ ସାହାଯ୍ୟ କଲୁ । ଅନେକ ସମୟରୁ ଶାଖା କାର୍ଯ୍ୟାଳୟକୁ ପ୍ରଚାର ରିପୋର୍ଟ ପଠାଯାଉ ନ ଥିଲା । ଆମେ ପୁଣିଥରେ ପ୍ରଚାର ରିପୋର୍ଟ ପଠାଇବା ଆରମ୍ଭ କଲୁ ଏବଂ ଆମେ ପ୍ରକାଶନଗୁଡ଼ିକ ପାଇଁ ମଧ୍ୟ ଅନୁରୋଧ କରିବାକୁ ଲାଗିଲୁ ।
ଆମେ ସମସ୍ତେ ବିଶେଷ ଅଗ୍ରଦୂତମାନେ ହୌସା ଭାଷା ଶିଖିବା ଆରମ୍ଭ କଲୁ । ସେହି ଅଞ୍ଚଳର ଲୋକମାନେ ଯେବେ ନିଜ ଭାଷାରେ ଖୁସିର ଖବର ଶୁଣିଲେ, ତେବେ ସେମାନେ ତାʼ ଉପରେ ଆହୁରି ଧ୍ୟାନ ଦେବାକୁ ଲାଗିଲେ । କିନ୍ତୁ କାନୋ ସହରରେ ଯେଉଁ ଧର୍ମ ଅଧିକାର ଜମାଇଥିଲା, ସେମାନଙ୍କୁ ଆମ କାମ ପସନ୍ଦ ଆସୁ ନ ଥିଲା ତେଣୁ ଆମେ ବହୁତ ଧ୍ୟାନର ସହ ପ୍ରଚାର କରୁଥିଲୁ । ଥରେ ମୁଁ ଜଣେ ଭାଇଙ୍କ ସହ ପ୍ରଚାର କରୁଥିଲି, ତେବେ ଜଣେ ଲୋକ ଛୁରୀ ଧରି ଆମ ପଛରେ ଗୋଡ଼ାଇଲା । ଆମେ ଜୋର୍ରେ ଦୌଡ଼ି ପଳାଇଗଲୁ । ଭଲ ହେଲା ଯେ ସେ ପଛରେ ହିଁ ରହିଗଲା । ଆଉ ଆମ ଜୀବନ ବଞ୍ଚିଗଲା । ବିପଦଗୁଡ଼ିକ ବହୁତ ଥିଲା, କିନ୍ତୁ ଯିହୋବା ଆମକୁ “ନିରାପଦରେ” ରଖିଲେ ଏବଂ ପ୍ରଚାରକମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । (ଗୀତ. ୪:୮) ଆଜି କାନୋ ସହରରେ ୧୧ଟି ମଣ୍ଡଳୀରେ ୫୦୦ରୁ ବି ଅଧିକ ପ୍ରଚାରକ ଅଛନ୍ତି ।
ନାଇଜର୍ରେ ରୋକ ଲଗାଗଲା
ମୋତେ କାନୋ ସହରରେ ରହି କିଛି ମାସ ହିଁ ହୋଇଥିଲା ଆଉ ସେହି ବର୍ଷ ଅଗଷ୍ଟ ୧୯୬୮ରେ ମୋତେ ଆଉ ମୋ ସହ ଆଉ ଦୁଇଜଣ ବିଶେଷ ଅଗ୍ରଦୂତଙ୍କୁ ନାଇଜର୍ ଦେଶ ପଠାଗଲା । ଏହା ଆଫ୍ରିକାରେ ହିଁ ଅଛି ।
ଆମକୁ ନାଇଜର୍ର ରାଜଧାନୀ ନିଆମେ ସହରରେ ସେବା କରିବା ପାଇଁ କୁହାଗଲା । ଏହି ଦେଶରେ ଅସହ୍ୟ ଗରମ ହୁଏ, ପୃଥିବୀରେ ଏପରି କିଛି ଅଞ୍ଚଳ ହିଁ ଅଛି, ଯେଉଁଠି ଏତେ ଗରମ ହୁଏ । ଏଠାରେ ଫ୍ରେଞ୍ଚ ଭାଷା କୁହାଯାଏ ଆଉ ଆମେ ତାହା ଶିଖୁଥିଲୁ । ସେଠାରେ ବହୁତ ଗରମ ତ ହେଉ ଥିଲା, ତାʼସହ ଆମେ ସେଠାର ଭାଷା ବି ଜାଣୁ ନ ଥିଲୁ । ଏହି ସମସ୍ୟାଗୁଡ଼ିକୁ ପାର କରିବା ସହଜ ନ ଥିଲା । କିନ୍ତୁ ଆମେ ଯିହୋବାଙ୍କ ଉପରେ ଭରସା ରଖିଲୁ ଆଉ ନିଆମେ ସହରରେ ଯେଉଁ ଟିକେ ପ୍ରଚାରକ ଥିଲେ, ସେମାନଙ୍କ ସହ ପ୍ରଚାର କରିବା ଆରମ୍ଭ କରିଦେଲୁ । ସେସମୟରେ ଆମେ ଲୋକମାନଙ୍କୁ ବାଇବଲ ଅଧ୍ୟୟନ କରାଇବା ପାଇଁ ସତ୍ୟ ଯୋ ଆନନ୍ତ ଜୀୱାନ କି ଓର ଲେଜାତା ହୈ ବହି ଦେଉଥିଲୁ । ଭାଇଭଉଣୀମାନେ ଏତେ ଉତ୍ସାହର ସହ ପ୍ରଚାର କଲେ ଯେ ଦେଖୁ ଦେଖୁ ନିଆମେ ସହରରେ ପଢ଼ିବା-ଲେଖିବା ଜାଣୁଥିବା ଏପରି ସମସ୍ତ ବ୍ୟକ୍ତିଙ୍କ ପାଖରେ ଏହି ବହି ପହଞ୍ଚିଗଲା । ଏପରିକି ଲୋକମାନେ ଆମଠୁ ଏହି ବହି ନେବା ପାଇଁ ଦୂର ଦୂରରୁ ଆସୁଥିଲେ ।ଜୁଲାଇ ୧୯୬୯ରେ ନାଇଜର୍ରେ ପ୍ରଥମ ଥର ସର୍କିଟ ସମ୍ମିଳନୀ ରଖାଗଲା । ପାଖାପାଖି ୨୦ ଜଣ ଲୋକ ଆସିଥିଲେ, ଆଉ ଆମେ ଖୁସି ଥିଲୁ ଯେ ଦୁଇଜଣ ପ୍ରଚାରକ ବାପ୍ତିସ୍ମ ନେବାକୁ ଯାଉଥିଲେ । କିନ୍ତୁ ଖୁବ୍ ଶୀଘ୍ର ଆମକୁ ଜଣାପଡ଼ିଗଲା ଯେ ସରକାରୀ ଅଧିକାରୀମାନଙ୍କୁ ଆମ କାମରୁ ଆପତ୍ତି ଅଛି । ସମ୍ମିଳନୀର ପ୍ରଥମ ଦିନରେ ହିଁ ପୋଲିସ ଆସିଗଲା । ତାʼପରେ ସେମାନେ ବିଶେଷ ଅଗ୍ରଦୂତମାନଙ୍କୁ ଏବଂ ସର୍କିଟ ଅଧ୍ୟକ୍ଷଙ୍କୁ ପୋଲିସ ଷ୍ଟେସନ୍ ନେଇଗଲେ । ସେଠାରେ ଆମକୁ ବହୁତ ପଚରାଉଚରା କରାଗଲା ଏବଂ ପୁଣି ଆର ଦିନ ଆସିବାକୁ କୁହାଗଲା । ଆମେ ସମସ୍ୟା ଆହୁରି ବଢ଼ାଇବାକୁ ଚାହୁଁ ନ ଥିଲୁ, ତେଣୁ ବାପ୍ତିସ୍ମର ଭାଷଣ ଜଣକ ଘରେ ଦିଆଗଲା ଏବଂ ସେହି ଦୁଇଜଣ ପ୍ରଚାରକଙ୍କୁ ଗୋଟିଏ ନଦୀରେ ଚୁପ୍ଚାପ ବାପ୍ତିସ୍ମ ଦିଆଗଲା ।
କିଛି ସପ୍ତାହ ପରେ ସରକାର ମୋତେ ଆଉ ଅନ୍ୟ ପାଞ୍ଚଜଣ ବିଶେଷ ଅଗ୍ରଦୂତଙ୍କୁ ଆଦେଶ ଦେଲା ଯେ ଆମେ ଦେଶ ଛାଡ଼ି ପଳାଇଯାଉ । ସେମାନେ ଆମକୁ କହିଲେ, ଆମ ପାଖରେ କେବଳ ୪୮ ଘଣ୍ଟା ଅଛି ଏବଂ ଆମକୁ ଦେଶରୁ ପଳାଇବାର ବ୍ୟବସ୍ଥା ମଧ୍ୟ ନିଜେ କରିବାକୁ ପଡ଼ିବ । ଆମେ ସେଠାରୁ ସିଧା ନାଇଜେରିଆର ଶାଖା କାର୍ଯ୍ୟାଳୟକୁ ଗଲୁ । ସେଠାରେ ଆମକୁ କୁହାଗଲା ଯେ ଆମେ କେଉଁଠି ଯିବା ।
ମୋତେ କୁହାଗଲା ଯେ ମୁଁ ନାଇଜେରିଆର ଛୋଟ ଗାଁ ଓରିସନବାରିରେ ଯାଇ ସେବା କରେ । ସେଠାରେ ବହୁତ କମ୍ ଭାଇଭଉଣୀ ଥିଲେ । କିନ୍ତୁ ସେମାନଙ୍କ ସହ ପ୍ରଚାର କରି ଓ ବାଇବଲ ଅଧ୍ୟୟନ ଚଳାଇ ମୋତେ ବହୁତ ମଜା ଆସିଲା । କିନ୍ତୁ କେବଳ ଛଅ ମାସ ପରେ ହିଁ ଶାଖା କାର୍ଯ୍ୟାଳୟ ମୋତେ କହିଲା ଯେ ମୁଁ ପୁଣି ନାଇଜର୍ ଫେରିଯାଏ । ଏହା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା ଆଉ ଟିକେ ଡର ବି ଲାଗିଲା । ତଥାପି ମୁଁ ଖୁସି ଥିଲି ଯେ ମୁଁ ନାଇଜର୍ର ଭାଇଭଉଣୀଙ୍କୁ ପୁଣି ଭେଟିପାରିବି ।
ମୁଁ ପୁଣି ନାଇଜର୍ର ନିଆମେ ସହରକୁ ଗଲି । ସେଠାରେ ପହଞ୍ଚିବାର ଗୋଟେ ଦିନ ପରେ ମୁଁ ନାଇଜେରିଆର ଜଣେ ବ୍ୟକ୍ତିକୁ ଭେଟିଲି ଯାହାର ନିଜର ବ୍ୟବସାୟ ଥିଲା । ସେ ତୁରନ୍ତ ବୁଝିଗଲା ଯେ ମୁଁ ଯିହୋବାଙ୍କ ସାକ୍ଷୀ ଆଉ ସେ ବାଇବଲରୁ ମୋତେ କିଛି ପ୍ରଶ୍ନ ପଚାରିବାକୁ ଲାଗିଲା । ମୁଁ ତାʼସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲି ଆଉ ସେ ନିଜଠାରେ ଅନେକ ପରିବର୍ତ୍ତନ କଲା । ସେ ସିଗାରେଟ୍ ପିଇବା ଓ ଅତ୍ୟଧିକ ମଦ ପିଇବା ଛାଡ଼ିଦେଲା ଏବଂ କିଛି ସମୟ ପରେ ସେ ବାପ୍ତିସ୍ମ ନେଲା । ମୁଁ ନାଇଜର୍ର ଅନେକ ଅଞ୍ଚଳରେ ଅଲଗା ଅଲଗା ଭାଇଭଉଣୀଙ୍କ ସହ ପ୍ରଚାର କରିଛି ଏବଂ ମୁଁ ଦେଖିପାରିଛି ଯେ କିପରି ଭାଇଭଉଣୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାକୁ ଲାଗିଛି । ଯେବେ ମୁଁ ପ୍ରଥମ ଥର ନାଇଜର୍ ଆସିଥିଲି, ତେବେ ସେଠାରେ କେବଳ ୩୧ ଜଣ ଯିହୋବାଙ୍କ ସାକ୍ଷୀ ଥିଲେ । କିନ୍ତୁ ଯେବେ ମୋତେ ସେଠାରୁ ଯିବାକୁ କୁହାଗଲା, ସେଯାଏଁ ଏହି ସଂଖ୍ୟା ବଢ଼ି ୬୯ ହୋଇଯାଇଥିଲା ।
“ଆମେ ଗିନିରେ ହେଉଥିବା କାମ ବିଷୟରେ ବେଶି କିଛି ଜାଣିନୁ”
ଡିସେମ୍ବର ୧୯୭୭ରେ ମୋତେ କିଛି ଟ୍ରେନିଙ୍ଗ ପାଇଁ ପୁଣି ନାଇଜେରିଆ ଡକାଗଲା । ଏହି ଟ୍ରେନିଙ୍ଗ ପ୍ରାୟ ତିନି ସପ୍ତାହ ଯାଏଁ ଚାଲିଲା । ଏହା ପରେ
ଶାଖା ସମିତିର ସଂଯୋଜକ ଭାଇ ମ୍ୟାଲକୋମ୍ ୱିଗୋ ମୋତେ ଗୋଟିଏ ଚିଠି ଦେଲେ ଏବଂ ତାହା ପଢ଼ିବା ପାଇଁ କହିଲେ । ଏହି ଚିଠି ସିଏରା ଲିଓନ ଶାଖା କାର୍ଯ୍ୟାଳୟରୁ ଆସିଥିଲା ଏବଂ ସେଠାରେ ଲେଖାଥିଲା ଯେ ଗିନି ଦେଶରେ ଜଣେ ସର୍କିଟ ଅଧ୍ୟକ୍ଷଙ୍କ ଆବଶ୍ୟକ ଅଛି । ସେମାନଙ୍କୁ ଏପରି ଜଣେ ଭାଇଙ୍କ ଆବଶ୍ୟକ ଥିଲା ଯିଏ ଅବିବାହିତ ଥିବେ, ତାଙ୍କର ସ୍ୱାସ୍ଥ୍ୟ ଭଲ ଥିବ ଏବଂ ଇଂରାଜୀ ଓ ଫ୍ରେଞ୍ଚ ଭାଷା ଜାଣୁଥିବେ । ଭାଇ ମ୍ୟାଲକୋମ୍ କହିଲେ ଯେ ମୋତେ ଏହି ଦାୟିତ୍ୱ ପାଇଁ ଟ୍ରେନିଙ୍ଗ ଦିଆଯାଇଥିଲା । ସେ ମୋତେ ସ୍ପଷ୍ଟ ଭାବେ କହିଲେ ଯେ ଏହା କୌଣସି ଛୋଟମୋଟ ଦାୟିତ୍ୱ ନୁହେଁ, ତେଣୁ ମୁଁ ଭାବିଚିନ୍ତି ଉତ୍ତର ଦିଏ । କିନ୍ତୁ ମୁଁ ତୁରନ୍ତ ତାଙ୍କୁ କହିଲି, “ଯିହୋବା ହିଁ ମୋତେ ପଠାଉଛନ୍ତି, ତେଣୁ ମୁଁ ନିଶ୍ଚୟ ଯିବି ।”ମୁଁ ଉଡ଼ାଜାହାଜରୁ ସିଏରା ଲିଓନ ପହଞ୍ଚିଲି ଏବଂ ସେଠାରେ ଶାଖା କାର୍ଯ୍ୟାଳୟର ଭାଇମାନଙ୍କୁ ଭେଟିଲି । ସିଏରା ଲିଓନ ଶାଖା କାର୍ଯ୍ୟାଳୟ ହିଁ ଗିନିରେ ହେଉଥିବା ପ୍ରଚାର କାମର ଦେଖାରେଖା କରୁଥିଲା । କିନ୍ତୁ ଶାଖା ସମିତିର ଜଣେ ଭାଇ ମୋତେ କହିଲେ, “ଆମେ ଗିନିରେ ହେଉଥିବା କାମ ବିଷୟରେ ଅଧିକ କିଛି ଜାଣିପାରୁନୁ ।” ରାଜନୈତିକ ଅସ୍ଥିରତା ଯୋଗୁଁ ଭାଇମାନେ ସେଠାକାର ପ୍ରଚାରକମାନଙ୍କୁ ସମ୍ପର୍କ କରିପାରୁ ନ ଥିଲେ । ଶାଖା କାର୍ଯ୍ୟାଳୟ ସେଠାରେ କାହାରିକୁ ପଠାଇବା ପାଇଁ ବି ଚେଷ୍ଟା କରିଥିଲା, କିନ୍ତୁ ଏପରି ହୋଇପାରିଲାନି । ତେଣୁ ଭାଇମାନେ ମୋତେ କହିଲେ ଯେ ମୁଁ ଗିନିର ରାଜଧାନୀ କୋନାକ୍ରିରେ ଯାଏ ଏବଂ ଚେଷ୍ଟା କରେ ଯେ ସରକାର ମୋତେ ସେଠାରେ ରହିବାର ଅନୁମତି ଦେଇ ଦେଉ ।
“ଯିହୋବା ହିଁ ମୋତେ ପଠାଉଛନ୍ତି, ତେଣୁ ମୁଁ ନିଶ୍ଚୟ ଯିବି ।”
ଯେବେ ମୁଁ କୋନାକ୍ରି ପହଞ୍ଚିଲି, ତେବେ ମୁଁ ନାଇଜେରିଆର ଦୂତାବାସ (ଏମ୍ବେସି) ଗଲି ଏବଂ ସେଠାର ଜଣେ ବଡ଼ ଅଫିସରକୁ ଭେଟିଲି । ମୁଁ ତାଙ୍କୁ କହିଲି ଯେ ମୁଁ ଗିନିରେ ପ୍ରଚାର କରିବା ପାଇଁ ଚାହେଁ । ତେବେ ସେ ମୋତେ କହିଲେ, “ନାଇଜେରିଆ ଫେରି ଯାଅ ଓ ସେଠାରେ ପ୍ରଚାର କର ।” ସେ ମୋତେ ଏହା କହିଲେ ଯେ ଯଦି ମୁଁ ଏପରି କରିବିନି, ତେବେ ହୁଏତ ମୋତେ ଗିରଫ କରାଯିବ କିମ୍ବା ତାʼଠୁ ଖରାପ କିଛି ହୋଇପାରେ । କିନ୍ତୁ ମୁଁ ତାଙ୍କୁ କହିଲି, “ମୁଁ ଭାବିନେଇଛି ଯେ ମୁଁ ଗିନିରେ ହିଁ ପ୍ରଚାର କରିବାକୁ ଚାହେଁ ।” ତେଣୁ ସେ ଗିନିର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏବଂ ସେ ତାଙ୍କୁ କହିଲେ ଯେ ସେ ମୋର ସାହାଯ୍ୟ କରନ୍ତୁ । ଯେବେ ମୁଁ ସେହି ମନ୍ତ୍ରୀଙ୍କୁ ଯାଇ ଭେଟିଲି, ତେବେ ସେ ମୋ ସହ ବହୁତ ଭଲରେ କଥା ହେଲେ ଆଉ ମୋର ସାହାଯ୍ୟ କଲେ ।
ଯିହୋବାଙ୍କ ଆଶିଷ ଯୋଗୁଁ ସବୁ ଠିକ୍ରେ ହୋଇଗଲା । ମୋତେ ଗିନିରେ ରହିବା ପାଇଁ ଅନୁମତି ମିଳିଗଲା । ମୁଁ ପୁଣି ସିଏରା ଲିଓନ ଶାଖା କାର୍ଯ୍ୟାଳୟକୁ ଆସିଲି ଆଉ ଭାଇମାନଙ୍କୁ ଏବିଷୟରେ କହିଲି । ଯେବେ ସେମାନେ ଏହା ଶୁଣିଲେ, ତେବେ ସେମାନଙ୍କ ଖୁସିର ସୀମା ରହିଲାନି ।
୧୯୭୮ରୁ ୧୯୮୯ ଯାଏଁ ମୁଁ ଗିନି ଓ ସିଏରା ଲିଓନରେ ସର୍କିଟ ଅଧ୍ୟକ୍ଷ ଭାବେ ସେବା କଲି ଏବଂ ଲାଇବେରିଆରେ ସବ୍ଷ୍ଟିଚ୍ୟୁଟ୍ ସର୍କିଟ ଅଧ୍ୟକ୍ଷ ଭାବେ ସେବା କଲି । ମୁଁ ଆରମ୍ଭରେ ଅନେକଥର ରୋଗରେ ପଡ଼ିଲି । ବେଳେବେଳେ ତ ମୁଁ ଏପରି ଅଞ୍ଚଳଗୁଡ଼ିକରେ ଥିଲି, ଯେଉଁଠି କୌଣସି ହସ୍ପିଟାଲ ନ ଥିଲା । ତେବେ ବି ଭାଇଭଉଣୀ ପୂରା ଚେଷ୍ଟା କରୁଥିଲେ ଯେ ମୋର ଚିକିତ୍ସା ହୋଇପାରୁ ।
ଥରେ ମୋ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା, ମୋତେ ମ୍ୟାଲେରିଆ ହୋଇଗଲା ଓ ମୋ ପେଟରେ ପୋକ ହୋଇଗଲା । ଯେବେ ମୁଁ ଠିକ୍ ହେଲି ତେବେ ମୋତେ ଜଣାପଡ଼ିଲା ଯେ ଭାଇମାନଙ୍କୁ ଲାଗୁଥିଲା ଯେ ମୁଁ ବଞ୍ଚିପାରିବିନି । ତେଣୁ ସେମାନେ ଏହା ବି ଭାବି ନେଇଥିଲେ ଯେ ସେମାନେ ମୋତେ କେଉଁଠି ପୋତିବେ । ଜୀବନରେ ବହୁତ କିଛି ହେଲା, କିନ୍ତୁ ମୁଁ କେବେ ଏହା ଭାବିଲିନି ଯେ ମୁଁ ସବୁକିଛି ଛାଡ଼ି ପଳାଇଯିବି । ମୋତେ ଆଜି ବି ଭରସା ଅଛି ଯେ ଯିହୋବା ମୋତେ ସୁରକ୍ଷିତ ରଖିବେ ଏବଂ ଯଦି ମୋତେ କିଛି ହୋଇ ବି ଯାଏ, ତେବେ ମୋତେ ପୁଣି ଜୀବିତ କରିଦେବେ ।
ବିବାହ ପରେ ବି ଯିହୋବାଙ୍କ ଉପରେ ରହିଲା ଭରସା
୧୯୮୮ରେ ମୁଁ ଡୋରକାସ୍କୁ ଭେଟିଲି । ସେ ଜଣେ ଅଗ୍ରଦୂତ ଥିଲେ । ସେ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ବହୁତ ନମ୍ର ଥିଲେ । କିଛି ସମୟ ପରେ ଆମେ ବାହା ହୋଇଗଲୁ ଏବଂ ଆମେ ଦୁଇଜଣ ମିଶି ସର୍କିଟ କାମ କରିବାକୁ ଲାଗିଲୁ । ଅନେକଥର ଆମକୁ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଚାଲି ଚାଲି ଯିବାକୁ ପଡ଼ୁଥିଲା । ସଡ଼କଗୁଡ଼ିକରେ କାଦୁଅ ଭରି ରହୁଥିଲା ଏବଂ ସେଥିରେ ଅନେକ ଗାତ ମଧ୍ୟ ଥିଲା । ଆମେ ୨୫-୨୫ କିଲୋମିଟର (୧୫ ମିଲ) ନିଜ ଜିନିଷ ନେଇ ଚାଲି ଚାଲି ଯାଉଥିଲୁ । କିଛି ମଣ୍ଡଳୀଗୁଡ଼ିକ ବହୁତ ଦୂରରେ ରହୁଥିଲା । ସେଠାରେ ପହଞ୍ଚିବା ପାଇଁ
ଆମକୁ ଅନ୍ୟ ସାଧନର ବି ବ୍ୟବହାର କରିବାକୁ ପଡ଼ୁଥିଲା । ସେସମୟରେ ଡୋରକାସ୍ ମୋର ବହୁତ ସହଯୋଗ କଲେ । ସେ ବହୁତ ପରିଶ୍ରମ କଲେ ଏବଂ ସେ ଯିହୋବାଙ୍କ ପାଇଁ ଯେକୌଣସି ବି ତ୍ୟାଗ କରିବାକୁ ପ୍ରସ୍ତୁତ ରହୁଥିଲେ ।ସେ ବହୁତ ସାହସୀ ମଧ୍ୟ ଅଟନ୍ତି । ଅନେକଥର ଆମକୁ ଏପରି ନଦୀଗୁଡ଼ିକୁ ପାର କରିବା ପାଇଁ ପଡ଼ୁଥିଲା ଯେଉଁଠି କୁମ୍ଭୀରମାନେ ରହୁଥିଲେ । ଗୋଟିଏ ଘଟଣା ବିଷୟରେ କହିବି । ଥରେ ଆମେ ଯେଉଁଠି ଯାଉଥିଲୁ, ସେଠାରେ ପହଞ୍ଚିବା ପାଇଁ ପାଞ୍ଚ ଦିନ ଲାଗନ୍ତା । ରାସ୍ତାରେ ଆମକୁ ଗୋଟିଏ ନଦୀ ପାର କରିବାର ଥିଲା । ତାହା ପାର କରିବା ପାଇଁ ଯେଉଁ ପୋଲ ଥିଲା ତାହା ଭାଙ୍ଗି ଯାଇଥିଲା । ତେଣୁ ଆମକୁ ଛୋଟ ଛୋଟ ଡଙ୍ଗାରେ ନଦୀ ପାର କରିବାକୁ ପଡ଼ିଲା । କିନ୍ତୁ ଡଙ୍ଗାରୁ ଓହ୍ଲାଇବା ସମୟରେ ଡୋରକାସ୍ ନଦୀରେ ପଡ଼ିଗଲେ । ସେଠାରେ ପାଣି ଗଭୀର ଥିଲା ଏବଂ ଆମ ଦୁଇ ଜଣଙ୍କ ମଧ୍ୟରୁ କାହାରିକୁ ବି ପହଁରା ଆସୁ ନ ଥିଲା । ଆଉ ସେ ନଦୀରେ କୁମ୍ଭୀରମାନେ ମଧ୍ୟ ଥିଲେ । କିନ୍ତୁ ଭଲ କଥା ହେଲା ଯେ ଆଖପାଖରେ କିଛି ଯୁବା ପିଲାମାନେ ଥିଲେ, ସେମାନେ ତୁରନ୍ତ ପାଣିରେ ଡେଇଁ ତାଙ୍କୁ ବଞ୍ଚାଇଲେ । ଅନେକ ଦିନ ଯାଏ ଆମକୁ ଏହି ଘଟଣାର ଖରାପ ସ୍ୱପ୍ନ ଆସୁଥିଲା । କିନ୍ତୁ ଏହି ସମସ୍ୟାଗୁଡ଼ିକ ମଧ୍ୟ ଆମକୁ ଅଟକାଇ ପାରିଲା ନାହିଁ ।
୧୯୯୨ର ଆରମ୍ଭରେ ଆମକୁ ଜଣାପଡ଼ିଲା ଯେ ଡୋରକାସ୍ ମାଁ ହେବାକୁ ଯାଉଛନ୍ତି । ଆମକୁ ବିଶ୍ୱାସ ହେଉ ନ ଥିଲା । ଆମେ ଭାବିବାକୁ ଲାଗିଲୁ, ‘ଏବେ ଆମ ପୂର୍ଣ୍ଣ ସମୟର ସେବାର କʼଣ ହେବ ?’ କିନ୍ତୁ ଆମେ ଭାବିବାକୁ ଲାଗିଲୁ ଯେ ଏହା ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଅଟେ । ତେଣୁ ଆମେ ନିଜ ଝିଅର ନାମ ଯାହ୍ଗିଫ୍ଟ ରଖିଲୁ (ଇଂରାଜୀରେ ଯାହ୍ଗିଫ୍ଟର ଅର୍ଥ ହେଉଛି, “ଯିହୋବାଙ୍କଠାରୁ ମିଳିଥିବା ଉପହାର”) । ତାʼପରେ ଚାରି ବର୍ଷ ପରେ ଆମ ଜଣେ ପୁଅ ମଧ୍ୟ ହେଲା । ତାʼର ନାମ ଆମେ ଏରିକ୍ ରଖିଲୁ । ଯାହ୍ଗିଫ୍ଟ କିଛି ସମୟ ଯାଏଁ କୋନାକ୍ରିର ଅନୁବାଦ କାର୍ଯ୍ୟାଳୟରେ କାମ କଲା ଏବଂ ଏରିକ୍ ଜଣେ ସହାୟକ ସେବକ ଅଟେ । ସତରେ ଏହି ଦୁଇଜଣ ପିଲା ଆମମାନଙ୍କ ପାଇଁ ଉପହାର ସ୍ୱରୂପ ଅଟନ୍ତି !
ଡୋରକାସ୍ଙ୍କୁ କିଛି ସମୟ ପାଇଁ ବିଶେଷ ଅଗ୍ରଦୂତ ସେବା ଛାଡ଼ିବାକୁ ପଡ଼ିଲା । କିନ୍ତୁ ପିଲାମାନଙ୍କ ଯତ୍ନ ନେବା ସମୟରେ ମଧ୍ୟ ସେ ଅଗ୍ରଦୂତ ସେବା ଜାରି ରଖିଲେ । ଯିହୋବାଙ୍କ ସାହାଯ୍ୟରେ ମୁଁ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ଜାରି ରଖିପାରିଲି । ଯେବେ ପିଲାମାନେ ବଡ଼ ହୋଇଗଲେ, ତେବେ ଡୋରକାସ୍ ପୁଣି ବିଶେଷ ଅଗ୍ରଦୂତ ଭାବେ ସେବା କରିବାକୁ ଲାଗିଲେ । ଆଜି ଆମେ ଦୁଇଜଣ କୋନାକ୍ରିରେ ମିଶନାରୀ ଭାବେ ସେବା କରୁଛୁ ।
ସୁରକ୍ଷା କେବଳ ଯିହୋବାଙ୍କଠାରୁ ହିଁ ମିଳିବ
ଯିହୋବା ମୋତେ ଯେଉଁଠି ବି ନେଇକି ଗଲେ, ମୁଁ ତାଙ୍କ ସହ ଗଲି । ମୁଁ ଓ ଡୋରକାସ୍ ଅନେକଥର ଅନୁଭବ କଲୁ ଯେ ଯିହୋବା ଆମର ସୁରକ୍ଷା କଲେ ଏବଂ ଆମକୁ ଆଶିଷ ଦେବା କେବେ ବି ଭୁଲିଲେ ନାହିଁ । ଦୁନିଆରେ ଲୋକମାନଙ୍କୁ ପଇସା ଉପରେ ଭରସା ଅଛି, ତଥାପି ସେମାନଙ୍କ ଜୀବନ ଚିନ୍ତା ଏବଂ ସମସ୍ୟାଗୁଡ଼ିକରେ ଭରି ରହିଛି । କିନ୍ତୁ ମୁଁ ଓ ଡୋରକାସ୍ ନିଜ ଅନୁଭୂତିରୁ କହିପାରିବା ଯେ ଆମ ସୁରକ୍ଷା “ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର” ଯିହୋବା ହିଁ କରିପାରିବେ । (୧ ବଂଶା. ୧୬:୩୫) ମୋତେ ପୂରା ଭରସା ଅଛି ଯେ ଯେକେହି ଯିହୋବାଙ୍କ ଉପରେ ଭରସା ରଖନ୍ତି, ସେମାନଙ୍କୁ ସେ “ଗଣ୍ଠିରୀରେ ଗଣ୍ଠି” କରି ରଖିବେ ଅର୍ଥାତ୍ ବହୁମୂଲ୍ୟ ଜିନିଷ ଭଳି ସୁରକ୍ଷିତ ରଖିବେ ।—୧ ଶାମୁ. ୨୫:୨୯.