ବିନା ଆଖିରେ ଦେଖିଲୁ ଭାଇଭଉଣୀଙ୍କ ପ୍ରେମ !
ୟୋମାରା, ମାରସେଲୋ ଓ ଇୱର ଭାଇଭଉଣୀ ଅଟନ୍ତି ଓ ଗ୍ୱାଟେମାଲାର ଗୋଟିଏ ଛୋଟ ଗାଁରେ ରହନ୍ତି । ସବୁଠୁ ପ୍ରଥମେ ୟୋମାରା ସାକ୍ଷୀମାନଙ୍କ ସହ ଅଧ୍ୟୟନ କରିବାକୁ ଲାଗିଲା । ତାʼପରେ ତାʼ ଭାଇମାନେ ମଧ୍ୟ ଅଧ୍ୟୟନ କରିବାକୁ ଆରମ୍ଭ କରିଦେଲେ । କିନ୍ତୁ ଗୋଟିଏ ସମସ୍ୟା ଥିଲା । ସେମାନେ ଦେଖିପାରୁ ନ ଥିଲେ ଏବଂ ସେମାନଙ୍କୁ ବ୍ରେଲ୍ ଭାଷା ମଧ୍ୟ ଆସୁ ନ ଥିଲା । ତେଣୁ ଯେଉଁ ଭାଇ ସେମାନଙ୍କର ଅଧ୍ୟୟନ କରାଉଥିଲେ, ସେ ହିଁ ସେମାନଙ୍କୁ ପାରାଗ୍ରାଫ ଓ ପଦଗୁଡ଼ିକୁ ପଢ଼ି ଶୁଣାଉଥିଲେ ।
ଆଉ ଗୋଟିଏ ସମସ୍ୟା ଥିଲା । ସେମାନଙ୍କ ଘରରୁ ରାଜ୍ୟଘରକୁ ଯିବା ପାଇଁ ପ୍ରାୟ ୪୦ ମିନିଟ୍ ଲାଗୁଥିଲା ଓ ସେମାନେ ବିନା ସାହାଯ୍ୟରେ ସଭାଗୁଡ଼ିକ ପାଇଁ ଯାଇପାରୁ ନ ଥିଲେ । ତେଣୁ ମଣ୍ଡଳୀର ଭାଇଭଉଣୀମାନେ ସେମାନଙ୍କୁ ନେବା ଆଣିବା କରିବା ପାଇଁ ବ୍ୟବସ୍ଥା କଲେ । କିଛି ସମୟ ପରେ ଭାଇଭଉଣୀମାନେ ସେମାନଙ୍କୁ ତାଙ୍କ ଭାଗ ମନେରଖିବା ପାଇଁ ଓ ତାହାକୁ ସଭାରେ ଭଲଭାବେ ପରିବେଷଣ କରିବା ପାଇଁ ସାହାଯ୍ୟ ବି କରୁଥିଲେ ।
ତାʼପରେ ମେ ୨୦୧୯ ମସିହାରେ ସେମାନଙ୍କ ନିଜ ଗାଁରେ ହିଁ ସଭା ହେବାକୁ ଲାଗିଲା । ସେସମୟ ଯାଏ ସେଠାରେ ଜଣେ ଅଗ୍ରଦୂତ ସ୍ୱାମୀ ସ୍ତ୍ରୀ ଆସି ରହିବାକୁ ଲାଗିଥିଲେ । ସେମାନେ ଭାବିଲେ ଯେ ଏହି ତିନି ଭାଇଭଉଣୀଙ୍କୁ ସେମାନେ ବ୍ରେଲ୍ ଶିଖାଇବା ପାଇଁ ପୂରା ଚେଷ୍ଟା କରିବେ । କିନ୍ତୁ ସେମାନଙ୍କୁ ବ୍ରେଲ୍ ଭାଷା ଆସୁ ନ ଥିଲା, ତେଣୁ ସେମାନେ ଗୋଟିଏ ଲାଇବ୍ରେରୀକୁ ଗଲେ ଓ ସେଠାରୁ ବ୍ରେଲ୍ ଭାଷା ବିଷୟରେ ଥିବା କିଛି ବହି ଆଣିଲେ । ସେହି ବହିଗୁଡ଼ିକରେ ଅନ୍ୟମାନଙ୍କୁ ବ୍ରେଲ୍ ଭାଷା କିପରି ଶିଖାଯାଏ ସେବିଷୟରେ ଦିଆଯାଇଥିଲା ।
ୟୋମାରା, ମାରସେଲୋ ଓ ଇୱର କିଛି ମାସରେ ହିଁ ବ୍ରେଲ୍ ଭାଷା ଶିଖିଗଲେ । ଏବେ ସେମାନେ ସହଜରେ ଆମ ପ୍ରକାଶନକୁ ପଢ଼ିପାରୁଥିଲେ ଓ ଏଥିରୁ ସେମାନଙ୍କର ଯିହୋବାଙ୍କ ସହ ସମ୍ପର୍କ ଆହୁରି ଦୃଢ଼ ହୋଇଗଲା । a ଆଜି ସେମାନେ ତିନି ଜଣ ଅଗ୍ରଦୂତ ସେବା କରୁଛନ୍ତି । ମାରସେଲୋ ଜଣେ ସହାୟକ ସେବକ ମଧ୍ୟ ଅଟନ୍ତି । ସେମାନେ ପୂରା ସପ୍ତାହ ଉତ୍ସାହର ସହ ଯିହୋବାଙ୍କ ସେବା କରନ୍ତି ଓ ସେମାନଙ୍କୁ ଦେଖି ଅନ୍ୟମାନଙ୍କ ଭିତରେ ମଧ୍ୟ ଉତ୍ସାହ ଭରିଯାଏ ।
ମଣ୍ଡଳୀର ଭାଇଭଉଣୀମାନେ ସେହି ତିନି ଜଣଙ୍କୁ ବହୁତ ପ୍ରେମ କରନ୍ତି ଓ ସେମାନଙ୍କର ବହୁତ ଚିନ୍ତା କରନ୍ତି । ଆଉ ସେମାନେ ତିନି ଜଣ ମଧ୍ୟ ତାʼପାଇଁ ବହୁତ କୃତଜ୍ଞ । ୟୋମାରା କହନ୍ତି, “ଯେବେଠାରୁ ସାକ୍ଷୀମାନଙ୍କୁ ଭେଟିଛୁ, ସେସମୟରୁ ଏବେ ଯାଏ ସେମାନେ ଆମ ସହ ବହୁତ ପ୍ରେମର ସହିତ ବ୍ୟବହାର କରିଛନ୍ତି । ଏହା ହିଁ ତ ଅଟେ ପ୍ରକୃତ ପ୍ରେମ !” ମାରସେଲୋ କହନ୍ତି, “ମଣ୍ଡଳୀରେ ଆମର ଅନେକ ଭଲ ସାଙ୍ଗ ଅଛନ୍ତି । ଆମେ ଗୋଟିଏ ଏପରି ପରିବାରର ଭାଗ ଅଟୁ ଯାହା ସାରା ଦୁନିଆରେ ଅଛି ଆଉ ସମସ୍ତେ ପରସ୍ପରକୁ ବହୁତ ପ୍ରେମ କରନ୍ତି ।” ୟୋମାରା ଓ ତାଙ୍କ ଭାଇମାନେ ସେହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଯେବେ ପୂରା ପୃଥିବୀ ପାରଦୀଶରେ ପରିଣତ ହୋଇଯିବ ।—ଗୀତ. ୩୭:୧୦, ୧୧; ଯିଶା. ୩୫:୫.
a ଆମ ସଂଗଠନରେ ଗୋଟିଏ ପୁସ୍ତିକା ପ୍ରସ୍ତୁତ କରାଯାଇଛି ଯାହାର ନାମ ହେଉଛି, ଲର୍ଣ୍ଣ ଟୁ ରୀଡ ବ୍ରେଲ୍ । ଯେଉଁ ଲୋକମାନଙ୍କୁ ଭଲଭାବେ ଦେଖାଯାଏନି କିମ୍ବା ଯେଉଁମାନଙ୍କୁ ବିଲକୁଲ୍ ଦେଖାଯାଏନି, ସେମାନେ ଏହି ପୁସ୍ତିକା ସାହାଯ୍ୟରେ ବ୍ରେଲ୍ ପଢ଼ିବା ଓ ଲେଖିବା ଶିଖିପାରିବେ ।