इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଦୁନିଆର ଲୋକଙ୍କ ଭଳି ସ୍ୱାର୍ଥୀ ହୁଅନ୍ତୁ ନାହିଁ

ଦୁନିଆର ଲୋକଙ୍କ ଭଳି ସ୍ୱାର୍ଥୀ ହୁଅନ୍ତୁ ନାହିଁ

ଆପଣ ଦେଖିଥିବେ ଯେ ବର୍ତ୍ତମାନ ଦୁନିଆରେ ଅଧିକାଂଶ ଲୋକ କେବଳ ନିଜ ବିଷୟରେ ହିଁ ଭାବନ୍ତି । ସେମାନେ ଭାବନ୍ତି ଯେ ତାଙ୍କୁ ଅନ୍ୟମାନଙ୍କଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍‌ ଓ ସେମାନଙ୍କୁ ଲାଗେ ଯେ ସବୁ ଜିନିଷରେ ସେମାନଙ୍କର ଅଧିକାର ଅଛି । ସେମାନଙ୍କୁ ଯେତେ ଆଦର ଦିଆଗଲେ ମଧ୍ୟ ସେମାନଙ୍କୁ ଲାଗେ ଯେ ସେମାନେ ଆହୁରି ଆଦର ପାଇବାର ଯୋଗ୍ୟ । ଏପରି ଲୋକମାନେ ସ୍ୱାର୍ଥୀ ଥାଆନ୍ତି ଏବଂ ସେମାନେ କୌଣସି କଥା ପାଇଁ କୃତଜ୍ଞତା ଦେଖାନ୍ତି ନାହିଁ । ବାଇବଲରେ କୁହାଯାଇଥିଲା ଯେ ଶେଷକାଳରେ ଏପରି ହିଁ ଲୋକମାନେ ଥିବେ ।—୨ ତୀମ. ୩:୨.

ପ୍ରାଚୀନ ସମୟରେ ମଧ୍ୟ ଅନେକ ଲୋକ ଏପରି ହିଁ ଥିଲେ । ଯେପରି, ଆଦମ ଓ ହବା ଭାବିଲେ ଯେ ସେମାନେ ନିଜେ ନିଷ୍ପତ୍ତି ନେବେ ଯେ ସେମାନଙ୍କ ପାଇଁ ଠିକ୍‌ କʼଣ ଓ ଭୁଲ କʼଣ । ସେମାନଙ୍କର ଏହି ନିଷ୍ପତ୍ତିର ଖରାପ ପରିଣାମ ଆମେ ଆଜି ଯାଏ ଭୋଗୁଛୁ । ଅନେକ ଶତାବ୍ଦୀ ପରେ ରାଜା ଉଷୀୟ ଯିହୋବାଙ୍କ ମନ୍ଦିରରେ ଧୂପ ଜଳାଇବାର ଦୁଃସାହସ କଲେ, ଯାହାକି ଯାଜକମାନଙ୍କର କାମ ଥିଲା । (୨ ବଂଶା. ୨୬:୧୮, ୧୯) ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ଲାଗୁଥିଲା ଯେ ସେମାନେ ଅବ୍ରହାମଙ୍କ ବଂଶରୁ ହୋଇଥିବା ଯୋଗୁଁ ଯିହୋବାଙ୍କଠାରୁ ବିଶେଷ ଆଶିଷ ପାଇବାର ଯୋଗ୍ୟ ।—ମାଥି. ୩:୯.

ଆଜି ଆମ ଚାରିପାଖରେ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କେବଳ ନିଜ ବିଷୟରେ ଭାବନ୍ତି ଓ ଅହଙ୍କାରୀ ଅଟନ୍ତି । ଏପରି ଚିନ୍ତାଧାରାର ପ୍ରଭାବ ଆମ ଉପରେ ବି ପଡ଼ିପାରେ । (ଗାଲା. ୫:୨୬) ଆମେ ହୁଏତ ଭାବିବା ଯେ ଆମକୁ ଅନ୍ୟମାନଙ୍କଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍‌ କିମ୍ବା କୌଣସି ଜିନିଷ ଉପରେ ଆମର ହିଁ ଅଧିକାର ଅଛି । ଏପରି ଚିନ୍ତାଧାରାଠାରୁ ଦୂରେଇ ରହିବା ପାଇଁ ଆମେ କʼଣ କରିପାରିବା ? ସବୁଠୁ ପ୍ରଥମେ ଆମକୁ ଯିହୋବାଙ୍କ ଚିନ୍ତାଧାରା ଜାଣିବାକୁ ହେବ । ଆସନ୍ତୁ ଆମେ ଏହି କଥାକୁ ଦୁଇଟି ସିଦ୍ଧାନ୍ତରୁ ବୁଝିବା ପାଇଁ ଚେଷ୍ଟା କରିବା ।

ଆମେ କʼଣ ପାଇବାର ଯୋଗ୍ୟ ଏହା ନିର୍ଦ୍ଧାରିତ କରିବାର ଅଧିକାର କେବଳ ଯିହୋବାଙ୍କର ଅଛି । କିଛି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ:

  • ପରିବାର ବିଷୟରେ ଯଦି ଦେଖିବା, ତାହେଲେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରେମ ଓ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଆଦର କରିବା ଉଚିତ୍‌ । (ଏଫି. ୫:୩୩) ବିବାହ ପରେ ସ୍ୱାମୀ ସ୍ତ୍ରୀ କେବଳ ନିଜ ସାଥୀକୁ ପ୍ରେମ ଦେଖାଇବା ଉଚିତ୍‌ । (୧ କରି. ୭:୩) ବାପାମାଆ ନିଜ ପିଲାମାନଙ୍କର ଲାଳନପାଳନ କରିବା ସହିତ ସେମାନଙ୍କୁ ପ୍ରେମ ଦେଖାଇବା ଜରୁରୀ ଏବଂ ପିଲାମାନଙ୍କୁ ନିଜ ବାପାମାଆଙ୍କର ଆଜ୍ଞା ମାନିବା ଜରୁରୀ ।—୨ କରି. ୧୨:୧୪; ଏଫି. ୬:୨.

  • ମଣ୍ଡଳୀ ବିଷୟରେ ଯଦି ଦେଖିବା, ତାହେଲେ ଭାଇଭଉଣୀମାନଙ୍କୁ ପ୍ରାଚୀନମାନଙ୍କର ଆଦର କରିବା ଉଚିତ୍‌, କାରଣ ସେମାନେ ଭାଇଭଉଣୀମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି । (୧ ଥେସ. ୫:୧୨) କିନ୍ତୁ ପ୍ରାଚୀନମାନଙ୍କୁ ଭାଇଭଉଣୀମାନଙ୍କ ଉପରେ ଶାସନ କରିବାର ଅଧିକାର ନାହିଁ ।—୧ ପିତ. ୫:୨, ୩.

  • ସରକାର ଓ ଅଧିକାରୀମାନଙ୍କ ବିଷୟରେ ଯଦି ଦେଖିବା, ତାହେଲେ ସେମାନଙ୍କର ଏହା ଅଧିକାର ଅଛି ଯେ ଲୋକମାନେ ସେମାନଙ୍କର ଆଦର କରନ୍ତୁ ଓ ଟ୍ୟାକ୍ସ ଦିଅନ୍ତୁ ।—ରୋମୀ. ୧୩:୧, ୬, ୭.

ଯିହୋବା ଆମକୁ ବହୁତ କିଛି ଦେଇଛନ୍ତି, ଯାହାର ଆମେ ଯୋଗ୍ୟ ବି ନାହୁଁ । ପାପ ଯୋଗୁଁ ମଣିଷମାନେ କେବଳ ମୃତ୍ୟୁର ହିଁ ଯୋଗ୍ୟ । (ରୋମୀ. ୬:୨୩) କିନ୍ତୁ ଯିହୋବା ନିଜ ଅଟଳ ପ୍ରେମ ଯୋଗୁଁ ଆମକୁ ଅନେକ ଆଶିଷ ଦିଅନ୍ତି । (ଗୀତ. ୧୦୩:୧୦, ୧୧) ତାଙ୍କଠାରୁ ମିଳିଥିବା ପ୍ରତ୍ୟେକ ଆଶିଷ ଓ ପ୍ରତ୍ୟେକ ଦାୟିତ୍ୱ ତାଙ୍କ ମହାକୃପାର ପ୍ରମାଣ ଅଟେ ଯାହାର ଆମେ ଯୋଗ୍ୟ ବି ନାହୁଁ ।ରୋମୀ. ୧୨:୬-୮; ଏଫି. ୨:୮.

ସ୍ୱାର୍ଥୀ ନ ହେବା ପାଇଁ ଆମେ କʼଣ କରିପାରିବା ?

ଦୁନିଆର ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ । ଯଦି ଆମେ ଧ୍ୟାନ ଦେବା ନାହିଁ, ତାହେଲେ ହୁଏତ ଆମେ ଦୁନିଆର ଲୋକଙ୍କ ଭଳି ଭାବିବା ଯେ ଆମେ ଅନ୍ୟମାନଙ୍କଠାରୁ ଅଧିକ ଯୋଗ୍ୟ । ଯୀଶୁ ଏହି କଥାକୁ ବୁଝାଇବା ପାଇଁ ଗୋଟିଏ ଉଦାହରଣ ଦେଲେ । ସେ କହିଲେ ଦ୍ରାକ୍ଷାକ୍ଷେତ୍ରର ଜଣେ ମାଲିକ ଭୋର ସକାଳେ କିଛି ଶ୍ରମିକମାନଙ୍କୁ କାମ କରିବା ପାଇଁ ଡାକିଲେ । ସେମାନେ ପାରିଶ୍ରମିକ ଭାବେ ଆଠ ଅଣା ବା ରୂପାର ଗୋଟିଏ ମୁଦ୍ରା ନେବା ପାଇଁ ରାଜି ହୋଇଯାʼନ୍ତି । ତାʼପରେ ମାଲିକ ଆଉ କିଛି ଶ୍ରମିକମାନଙ୍କୁ କାମ ପାଇଁ ଡାକନ୍ତି । ସନ୍ଧ୍ୟାରେ କାମ କରିବା ପରେ ମାଲିକ ସମସ୍ତଙ୍କୁ ରୂପାର ଗୋଟିଏ ମୁଦ୍ରା ଦିଅନ୍ତି । ସେସମୟରେ ଯେଉଁ ଶ୍ରମିକମାନେ ସକାଳୁ ନେଇ ପ୍ରଖର ଖରାରେ କାମ କରୁଥିଲେ, ସେମାନେ ଅଭିଯୋଗ କରିବାକୁ ଲାଗନ୍ତି ଯେ ସେମାନଙ୍କୁ ସେହି ଶ୍ରମିକମାନଙ୍କଠାରୁ ଅଧିକ ମିଳିବା ଉଚିତ୍‌ ଯେଉଁମାନେ କେବଳ ଗୋଟିଏ ଘଣ୍ଟା କାମ କଲେ । (ମାଥି. ୨୦:୧-୧୬) ଏହି ଉଦାହରଣରୁ ଯୀଶୁ ଶିଖାଇଲେ ଯେ ଯିହୋବାଙ୍କଠାରୁ ଆମକୁ ଯାହା ବି ମିଳିଛି, ସେତିକିରେ ଆମକୁ ଖୁସି ରହିବା ଉଚିତ୍‌ ।

ଯେଉଁ ଶ୍ରମିକମାନେ ଦିନଯାକ କାମ କରିଥିଲେ, ସେମାନେ ଭାବିଲେ ଯେ ସେମାନେ ଅଧିକ ପାଇବାର ଯୋଗ୍ୟ

କୃତଜ୍ଞତା ଦେଖାନ୍ତୁ ଓ ଅତ୍ୟଧିକ ଆଶା କରନ୍ତୁ ନାହିଁ । (୧ ଥେସ. ୫:୧୮) ପ୍ରେରିତ ପାଉଲ ଚାହିଁଥିଲେ ତାଙ୍କ ଆବଶ୍ୟକତା ପୂରା କରିବା ପାଇଁ କରିନ୍ଥର ଭାଇଭଉଣୀମାନଙ୍କୁ କହିପାରିଥାʼନ୍ତେ, କିନ୍ତୁ ସେ ଏପରି କଲେ ନାହିଁ । (୧ କରି. ୯:୧୧-୧୪) ଆମକୁ ମଧ୍ୟ ଯାହା ମିଳିଛି ତାʼପାଇଁ କୃତଜ୍ଞତା ଦେଖାଇବା ଉଚିତ୍‌ ଏବଂ ଅନ୍ୟମାନଙ୍କଠାରୁ ସବୁବେଳେ କିଛି ପାଇବାର ଆଶା କରିବା ଉଚିତ୍‌ ନୁହେଁ ।

ପାଉଲ ଏହା ଆଶା କଲେ ନାହିଁ ଯେ ଭାଇଭଉଣୀମାନେ ତାଙ୍କ ଆବଶ୍ୟକତା ପୂରା କରନ୍ତୁ

ନମ୍ର ରହନ୍ତୁ । ଯେବେ କେହି ନିଜକୁ ଅଧିକ ଗୁରୁତ୍ୱ ଦିଏ, ତେବେ ହୁଏତ ତାକୁ ଲାଗେ ଯେ ତାକୁ ଅନ୍ୟମାନଙ୍କଠାରୁ ଅଧିକ ପାଇବାର ଅଧିକାର ଅଛି । ଏପରି ଚିନ୍ତାଧାରାଠାରୁ ଦୂରେଇ ରହିବା ପାଇଁ ନମ୍ର ହେବା ବହୁତ ଜରୁରୀ ।

ଦାନିୟେଲ ନମ୍ର ଥିବା ଯୋଗୁଁ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଥିଲେ

ନମ୍ର ରହିବା ବିଷୟରେ ଭବିଷ୍ୟଦ୍‌ବକ୍ତା ଦାନିୟେଲ ଆମ ପାଇଁ ଗୋଟିଏ ବଢ଼ିଆ ଉଦାହରଣ । ସେ ଉଚ୍ଚ ବଂଶର ଥିଲେ, ଦେଖିବାକୁ ବହୁତ ସୁନ୍ଦର ଥିଲେ, ବୁଦ୍ଧିମାନ ଥିଲେ ଓ ତାଙ୍କ ପାଖରେ ଅନେକ ଦକ୍ଷତା ଥିଲା । କିନ୍ତୁ ସେ କେବେ ବି ଏପରି ଭାବିଲେ ନାହିଁ ଯେ ତାଙ୍କୁ ଯେଉଁ ମାନସମ୍ମାନ ମିଳିଛି ତାହା ପାଇବାର ତାଙ୍କ ଅଧିକାର ଅଛି ଓ ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ । (ଦାନି. ୧:୩, ୪, ୧୯, ୨୦) ସେ ନମ୍ର ଥିବା ଯୋଗୁଁ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଥିଲେ ।—ଦାନି. ୨:୩୦; ୧୦:୧୧, ୧୨.

ତାହେଲେ ଆସନ୍ତୁ ଆମେ ଦୁନିଆର ଲୋକମାନଙ୍କ ଭଳି ସ୍ୱାର୍ଥୀ ହେବା ନାହିଁ । ଏହା ପରିବର୍ତ୍ତେ ଆମ ପାଖରେ ଯାହା ଅଛି ସେତିକିରେ ଖୁସି ରହିବା ଓ ମନେରଖିବା ଯେ ଏସବୁ ଆମକୁ ଯିହୋବାଙ୍କ ମହାକୃପା ଯୋଗୁଁ ହିଁ ମିଳିଛି ।