ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ପାଇଁ ପ୍ରାର୍ଥନା କରିବା ଶିଖାଇଲେ । ସେ ଜାଣିଥିଲେ ଯେ ପୃଥିବୀରେ ଏତେ ଦୁଷ୍ଟତା ରହୁ ବୋଲି ଈଶ୍ୱର ଚାହାନ୍ତିନି । ସେ ଏହା ବି ଜାଣିଥିଲେ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଏହି ସମସ୍ତ ଦୁଷ୍ଟତାକୁ ଦୂର କରିପାରିବ । କିନ୍ତୁ ପ୍ରଶ୍ନ ଉଠେ ଯେ ଦୁନିଆର ପରିସ୍ଥିତି ଠିକ୍ କରିବା ପାଇଁ ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
ଈଶ୍ୱରଙ୍କ ରାଜ୍ୟ ଏବେ ଯାଏ କʼଣ କʼଣ କରିଛି ?
ପୂର୍ବ ଲେଖାରେ ଆମେ ଦେଖିଲୁ ଯେ ଯୀଶୁ କିଛି ଘଟଣାଗୁଡ଼ିକ ବିଷୟରେ କହିଥିଲେ, ଯେଉଁଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଆରମ୍ଭ ହୋଇସାରିଛି ଓ ଯୀଶୁ ତାʼର ରାଜା ଅଟନ୍ତି ।
ବାଇବଲ କହେ ଯେ ରାଜା ହେବା ପରେ ଯୀଶୁ ସବୁଠୁ ଆଗ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦେଲେ । ଅର୍ଥାତ୍ ଏବେଠାରୁ ସେମାନେ ପୁଣିଥରେ ସ୍ୱର୍ଗକୁ ଯାଇ ପାରନ୍ତେନି । ଏହା ଗୋଟିଏ ବଡ଼ କାରଣ ଅଟେ ଯେ କାହିଁକି ପୃଥିବୀରେ ୧୯୧୪ ମସିହାରୁ ପରିସ୍ଥିତି ଖରାପ ହେବାରେ ଲାଗିଛି ।—ପ୍ରକାଶିତ ବାକ୍ୟ ୧୨:୭, ୯.
ଏହା ସତ ଯେ ପୃଥିବୀର ପରିସ୍ଥିତି ବହୁତ ଖରାପ ହୋଇ ହୋଇଯାଉଛି । କିନ୍ତୁ ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ କିଛି କରୁଛନ୍ତି । ପୂରା ଦୁନିଆରେ ବାଇବଲର ଶିକ୍ଷା ଦେବା କାମ କରାଯାଉଛି, ଯାହା ବିଷୟରେ ଯୀଶୁ ପୂର୍ବରୁ କହିଥିଲେ । ଏହି ଶିକ୍ଷା ଯୋଗୁଁ ଅନେକ ଲୋକ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ନିଜ ଜୀବନରେ ଲାଗୁ କରିବା ଶିଖୁଛନ୍ତି । (ଯିଶାଇୟ ୨:୨-୪) ଲକ୍ଷ ଲକ୍ଷ ଲୋକ ନିଜ ପରିବାରକୁ ସୁଖମୟ କରିପାରିଛନ୍ତି ଓ ଚାକିରି ଆଉ ପଇସା ମାମଲାରେ ସଠିକ୍ ଦୃଷ୍ଟିକୋଣ ରଖିପାରିଛନ୍ତି । ଏହି ଲୋକମାନେ ଆଜି ଭଲ ଜୀବନ ବଞ୍ଚି ପାରୁଛନ୍ତି ଓ ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରେ ବଞ୍ଚିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।
ଈଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର କʼଣ କʼଣ କରିବ ?
ଏହା ସତ ଯେ ଯୀଶୁ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି, କିନ୍ତୁ ପୃଥିବୀରେ ଏବେ ବି ମଣିଷମାନେ ଶାସନ କରୁଛନ୍ତି । କିନ୍ତୁ ଈଶ୍ୱର ଯୀଶୁଙ୍କୁ ଆଜ୍ଞା ଦେଇଛନ୍ତି, “ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର ।” (ଗୀତସଂହିତା ୧୧୦:୨) ଯୀଶୁ ଖୁବ୍ ଶୀଘ୍ର ଈଶ୍ୱରଙ୍କ ରାଜ୍ୟର ଶତ୍ରୁମାନଙ୍କୁ ବିନାଶ କରିଦେବେ । କିନ୍ତୁ ଯେଉଁ ଲୋକମାନେ ଈଶ୍ୱରଙ୍କ କଥା ଖୁସି ଖୁସି ପାଳନ କରନ୍ତି, ସେ ସେମାନଙ୍କ ସବୁ କଷ୍ଟକୁ ଦୂର କରିଦେବେ ।
ଈଶ୍ୱରଙ୍କ ରାଜ୍ୟ କେଉଁ କେଉଁ ପଦକ୍ଷେପ ନେବ ?
-
ମିଥ୍ୟା ଧର୍ମଗୁଡ଼ିକର ବିନାଶ କରିବ । ବାଇବଲ ମିଥ୍ୟା ଧର୍ମଗୁଡ଼ିକୁ ଗୋଟିଏ ବେଶ୍ୟା କହେ, ଯାହାର ଖୁବ୍ ଶୀଘ୍ର ବିନାଶ ହୋଇଯିବ । ଯେଉଁ ଧର୍ମଗୁଡ଼ିକ ଈଶ୍ୱରଙ୍କ ବିଷୟରେ ମିଥ୍ୟା କଥା ଶିଖାଇଛି ଓ ଲୋକମାନଙ୍କ ଜୀବନ କଷ୍ଟକର କରିଦେଇଛି, ସେହି ଧର୍ମଗୁଡ଼ିକୁ ପୂରାପୂରି ବିନାଶ କରିଦିଆଯିବ । ସେଗୁଡ଼ିକର ବିନାଶ ଯୋଗୁଁ ଅନେକ ଲୋକଙ୍କୁ ଧକ୍କା ଲାଗିବ ।—ପ୍ରକାଶିତ ବାକ୍ୟ ୧୭:୧୫, ୧୬.
-
ମଣିଷମାନଙ୍କ ଶାସନଗୁଡ଼ିକୁ ହଟାଇଦେବେ । ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ସବୁ ଶାସନଗୁଡ଼ିକୁ ବିନାଶ କରିଦେବ ।—ପ୍ରକାଶିତ ବାକ୍ୟ ୧୯:୧୫, ୧୭, ୧୮.
-
ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବ । ସେହି ଲୋକମାନଙ୍କର କʼଣ ହେବ ଯେଉଁମାନେ ଖରାପ କାମରେ ଲାଗି ରହନ୍ତି ଓ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତିନି ? ବାଇବଲ କହେ, “ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ।”—ହିତୋପଦେଶ ୨:୨୨.
-
ଶୟତାନ ଓ ତାʼର ଦୁଷ୍ଟ ଦୂତମାନଙ୍କୁ ବିନାଶ କରିଦେବ । ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ‘ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବେ ନାହିଁ ।’—ପ୍ରକାଶିତ ବାକ୍ୟ ୨୦:୩, ୧୦.
ଏହିସବୁ ପରିବର୍ତ୍ତନଗୁଡ଼ିକରୁ ସେହି ଲୋକମାନଙ୍କୁ କʼଣ ଲାଭ ହେବ, ଯେଉଁମାନେ ଈଶ୍ୱରଙ୍କ ରାଜ୍ୟକୁ ସ୍ୱୀକାର କରନ୍ତି ?
ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ପାଇଁ କʼଣ କʼଣ କରିବ ?
ସ୍ୱର୍ଗରୁ ରାଜା ଯୀଶୁ, ସେସବୁ କରିବେ ଯାହା ଆଜି ଯାଏ କୌଣସି ବି ମଣିଷ ଶାସକ କରିପାରିନି । ତାଙ୍କୁ ସହଯୋଗ କରିବା ପାଇଁ ପୃଥିବୀରୁ ୧,୪୪,୦୦୦ ଜଣ ଲୋକଙ୍କୁ ବଛାଯାଇଛି । (ପ୍ରକାଶିତ ବାକ୍ୟ ୫:୯, ୧୦; ୧୪:୧, ୩) ଯୀଶୁ ଯେକୌଣସି ପରିସ୍ଥିତିରେ ପୃଥିବୀରେ ଈଶ୍ୱରଙ୍କ ଇଚ୍ଛାକୁ ପୂରା କରିବେ । ଆସନ୍ତୁ ଦେଖିବା ଯେ ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଲୋକମାନଙ୍କ ପାଇଁ କʼଣ କʼଣ କରିବ ।
-
ରୋଗ ଓ ମୃତ୍ୟୁକୁ ବିନାଶ କରିଦେବ । “ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ” ଓ “ମୃତ୍ୟୁ ଆଉ ଘଟିବ ନାହିଁ ।”—ଯିଶାଇୟ ୩୩:୨୪; ପ୍ରକାଶିତ ବାକ୍ୟ ୨୧:୪.
-
ପ୍ରକୃତ ଶାନ୍ତି ଓ ସୁରକ୍ଷା ଆଣିବ । ‘ତୁମ୍ଭର ସନ୍ତାନଗଣଙ୍କୁ ମହାଶାନ୍ତି ମିଳିବ’ ଓ ସେମଧ୍ୟରୁ “ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ ।”—ଯିଶାଇୟ ୫୪:୧୩; ମୀଖା ୪:୪.
-
ଲୋକମାନଙ୍କୁ ବଢ଼ିଆ କାମ ଦେବ । “ଆପଣାମାନଙ୍କ ହସ୍ତକୃତ କର୍ମର ଫଳ ଭୋଗ କରିବେ । ସେମାନେ ବୃଥା ପରିଶ୍ରମ କରିବେ ନାହିଁ ।”—ଯିଶାଇୟ ୬୫:୨୨, ୨୩.
-
ପରିବେଶର ସମସ୍ୟାଗୁଡ଼ିକୁ ଠିକ୍ କରିବ । “ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ ।”—ଯିଶାଇୟ ୩୫:୧.
-
ଲୋକମାନଙ୍କୁ ଶିଖାଇବ ଯେ ଅନନ୍ତ ଜୀବନ ପାଇବା ପାଇଁ ସେମାନଙ୍କୁ କʼଣ କରିବାକୁ ପଡ଼ିବ । “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩.
ଈଶ୍ୱର ସତରେ ଚାହାନ୍ତି ଯେ ଆପଣଙ୍କୁ ଏସବୁ ଆଶିଷ ମିଳୁ । (ଯିଶାଇୟ ୪୮:୧୮) ପରବର୍ତ୍ତୀ ଲେଖାରେ ଜଣାଇଦିଆଯିବ ଯେ ଆପଣଙ୍କୁ ଏବେ କʼଣ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କୁ ଏହି ସୁନ୍ଦର ଭବିଷ୍ୟତ ମିଳୁ ।