ଆମ ମୃତ ପ୍ରିୟଜନଙ୍କର ଅବସ୍ଥା କʼଣ ହୁଏ ?
ଅଧ୍ୟାୟ ୯
ଆମ ମୃତ ପ୍ରିୟଜନଙ୍କର ଅବସ୍ଥା କʼଣ ହୁଏ ?
୧. ଯେତେବେଳେ କୌଣସି ପ୍ରିୟଜନଙ୍କର ମୃତ୍ୟୁ ହୁଏ, ଲୋକମାନେ କିପରି ଅନୁଭବ କରନ୍ତି ?
“ଜଣେ ଦୁଃଖ ପାଏ ଯେବେ ତାʼର କେହି ପ୍ରିୟଜନଙ୍କର ମୃତ୍ୟୁ ହୁଏ, କାରଣ ମୃତ୍ୟୁ ଏକ କ୍ଷତି ଯାହା ମଣିଷ ବୁଦ୍ଧିର ବାହାରେ ।” ପିତା ଓ କିଛିଦିନ ପରେ ମାତାଙ୍କର ମୃତ୍ୟୁ ଘଟିଥିବା ଜଣେ ପୁତ୍ର ଏହା କହିଥିଲେ । ମନ କଷ୍ଟ ଓ ଅପୁରଣୀୟ କ୍ଷତିର ଚିନ୍ତାରେ ଏପରି ଅନୁଭବ କରୁଥିଲା ଯେ, ସତେ ଯେପରି ସେ “ଭାବପ୍ରବଣତା ଭିତରେ ବୁଡ଼ି ରହିଥିଲା ।” ବୋଧହୁଏ ଆପଣ ଏପରି ଦୁଃଖ ଅନୁଭବ କରିଛନ୍ତି । ଆପଣ ହୁଏତ ଚିନ୍ତା କରିଥିବେ, ଆପଣଙ୍କ ପ୍ରିୟଜନମାନେ କେଉଁଠି ଅଛନ୍ତି ଓ ସେମାନଙ୍କୁ କʼଣ ଆଉଥରେ ଦେଖିହେବ ।
୨. ମୃତ୍ୟୁ ସମ୍ପର୍କରେ କି ଜଟିଳ ପ୍ରଶ୍ନ ଉତ୍ଥାପନ ହୁଏ ?
୨ କିଛି ଶୋକାଗ୍ରସ୍ତ ପିତା-ମାତା କହିଥାନ୍ତି: “ପରମେଶ୍ୱର ନିଜ ପାଖରେ ରଖିବା ପାଇଁ ସବୁଠାରୁ ସୁନ୍ଦର ଫୁଲକୁ ତୋଳି ନେଉଛନ୍ତି ।” ଏହା କʼଣ ସତ୍ୟ ଅଟେ ? ଆମର ମୃତ ପ୍ରିୟଜନମାନେ କʼଣ ଆତ୍ମିକ କ୍ଷେତ୍ରକୁ ଯାଇଛନ୍ତି ? ଯେପରି କେତେଜଣ କହନ୍ତି, ସବୁ କଷ୍ଟ ଓ କାମନାରୁ ମୁକ୍ତ ଏକ ଆନନ୍ଦପୂର୍ଣ୍ଣ ଅବସ୍ଥାର ବର୍ଣ୍ଣନା କʼଣ ବାସ୍ତବରେ ନିର୍ବାଣ ? ଯେଉଁମାନଙ୍କୁ ଆମେ ଭଲପାଉ, ସେମାନେ କʼଣ ଅମର ଜୀବନର ଦ୍ୱାର ଦେଇ ପାରଦୀଶରେ ପ୍ରବେଶ କରିସାରିଛନ୍ତି ? ଅଥବା ଯେପରି ଅନ୍ୟମାନେ ଦାବି କରନ୍ତି, ପରମେଶ୍ୱରଙ୍କୁ ଅପମାନ କରୁଥିବା ଲୋକଙ୍କ ପାଇଁ ମୃତ୍ୟୁ କʼଣ ଅନ୍ତଃହୀନ ଜାତନା ହେବ ? ମୃତମାନେ କʼଣ ଆମ ଜୀବନକୁ ପ୍ରଭାବିତ କରିପାରିବେ ? ଏପରି ପ୍ରଶ୍ନର ପ୍ରକୃତ ଉତ୍ତର ପାଇବାକୁ ହେଲେ ଈଶ୍ୱରଙ୍କ ବାକ୍ୟ ବାଇବଲର ପରାମର୍ଶ ନେବା ଉଚିତ୍ ।
ମନୁଷ୍ୟ ଭିତରେ “ଆତ୍ମା” କʼଣ ?
୩. ମୃତମାନଙ୍କ ସମ୍ପର୍କରେ ସକ୍ରେଟିସ ଓ ପ୍ଲାଟୋଙ୍କ କି ଧାରଣା ଥିଲା ଓ ବର୍ତ୍ତମାନ ଲୋକମାନଙ୍କୁ ତାହା କିପରି ପ୍ରଭାବିତ କରେ ?
୩ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ ଓ ପ୍ଲାଟୋଙ୍କ ମତରେ ପୁରୁଷ ନାରୀ ଭିତରେ ନିଶ୍ଚିତ ରୂପେ ଏପରି କିଛି ଅଛି ଯାହା ସ୍ୱାଭାବିକ ରୂପେ ଅମର—ଏକମାତ୍ର ପ୍ରାଣ, ଯାହାର ମୃତ୍ୟୁ ନାହିଁ, ଏହା କେବେହେଲେ ମରେ ନାହିଁ । ସାରା ପୃଥିବୀରେ କୋଟି କୋଟି ଲୋକ ଏହାକୁ ବିଶ୍ୱାସ କରନ୍ତି । ଏହି ବିଶ୍ୱାସ ପ୍ରାୟତଃ ମୃତମାନଙ୍କ ପ୍ରତି ଯେତେ ଭୟ ଉତ୍ପାଦନ କରେ, ସେତିକି ମଧ୍ୟ ତାଙ୍କର ମଙ୍ଗଳ ଚିନ୍ତାକରେ । ବାଇବଲ ଆମକୁ ମୃତମାନଙ୍କ ବିଷୟରେ ସମ୍ପୁର୍ଣ୍ଣ ଭିନ୍ନ ଶିକ୍ଷା ଦିଏ ।
୪. (କ) ପ୍ରାଣ ସମ୍ପର୍କରେ ଆଦି ପୁସ୍ତକ ଆମକୁ କʼଣ କହେ ? (ଖ) ଆଦମକୁ ଜୀବିତ ରଖିବା ପାଇଁ ପରମେଶ୍ୱର ତା ଭିତରେ କʼଣ ଦେଇଥିଲେ ?
୪ ମୃତଜନଙ୍କ ବିଷୟରେ ବିଚାର କଲାବେଳେ ଆମେ ମନେ ରଖିବା ଉଚିତ୍ ଯେ, ଆଦିପିତା ଆଦମ ପାଖରେ ପ୍ରାଣଟିଏ ନଥିଲା । ସେ ସ୍ୱୟଂ ଗୋଟିଏ ପ୍ରାଣୀ ଥିଲେ । ସୃଷ୍ଟିର ଏକ ବିସ୍ମୟକର କାର୍ଯ୍ୟମଧ୍ୟରେ, ପରମେଶ୍ୱର ମନୁଷ୍ୟକୁ—ପ୍ରାଣ—ପୃଥିବୀର ମୂଳ ତତ୍ୱରୁ ଗଢ଼ିଲେ, ପୁଣି “ଜୀବନ ଜନିତ ବାୟୁ” ତାʼର ନାକରେ ପ୍ରବେଶ କରାଇଲେ । ଆଦି ପୁସ୍ତକ ୨:୭ ପଦରେ ଲେଖାଅଛି, “ଅନନ୍ତର ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାଶିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ [“ପ୍ରାଣ,” NW] ହେଲା ।” ଆଦମର ଜୀବନ ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ବଞ୍ଚି ରହିଥିଲା । ତଥାପି ଯେତେବେଳେ ପରମେଶ୍ୱର ଆଦମର ନାକ ଭିତରେ ଶ୍ୱାସବାୟୁ ପ୍ରବେଶ କରାଇଲେ, ସେତେବେଳେ ମନୁଷ୍ୟର ଫୁସଫୁସରେ ପ୍ରବେଶ କରାଇଥିବା ବାୟୁ ଅଧିକ ସମିଳିତ ଥିଲା । ଏହାକୁ ବାଇବଲ “ଜୀବନୀ ଶକ୍ତି” ବୋଲି କୁହେ, ଯାହା ପାର୍ଥିବ ସୃଷ୍ଟିରେ ସକ୍ରିୟ ଅଟେ ।—ଆଦି ପୁସ୍ତକ ୭:୨୨.
୫, ୬. (କ) ‘ଜୀବନୀ ଶକ୍ତି’ କʼଣ ? (ଖ) ଗୀତସଂହିତା ୧୪୬:୪ ପଦରେ ଉଲ୍ଲିଖିତ “ଆତ୍ମା” ଦେହକୁ ସଜ୍ଜୀବ ରଖିବା ବନ୍ଦ କଲେ କʼଣ ଘଟିବ ?
୫ “ଜୀବନୀ ଶକ୍ତି” କʼଣ ? ଏହା ହିଁ ସେଇ ସ୍ଫୁଲିଙ୍ଗ ଯାହା ପରମେଶ୍ୱର ଆଦମର ନିର୍ଜୀବ ଦେହରେ ପ୍ରବେଶ କରାଇଥିଲେ । ଏହି ଶକ୍ତି ଶ୍ୱାସକ୍ରିୟା ଦ୍ୱାରା ସେତେବେଳେ ସଚଳ ରହିଥିଲା । କିନ୍ତୁ ଗୀତସଂହିତା ୧୪୬:୪ (NW) ପଦରେ ଉଲ୍ଲେଖ ଥିବା “ଆତ୍ମା” କʼଣ ? ସେହି ପଦଟି ମୃତ ଲୋକଙ୍କ ବିଷୟରେ କହୁଅଛି: “ତାହାର ନିଶ୍ୱାସ ବାହାରି ଯାଏ, ସେହି ଦିନ ତାʼର ସଙ୍କଳ୍ପସବୁ ନଷ୍ଟ ହୁଏ ।” ଏହିପରି ଯେତେବେଳେ ବାଇବଲ ଲେଖକମାନେ ଆତ୍ମା ଶଦ୍ଦ ବ୍ୟବହାର କଲେ, ସେତେବେଳେ ସେମାନଙ୍କର ଶରୀରହୀନ ଆତ୍ମା କଥା ବିଚାରକୁ ଆସି ନଥିଲା, ଯାହା ଶରୀର ମୃତ ହେଲାପରେ ମଧ୍ୟ ବଞ୍ଚି ରହିଥାଏ ।
୬ ମନୁଷ୍ୟର ମୃତ୍ୟୁବେଳେ ଶରୀର ମଧ୍ୟରୁ ଯେଉଁ “ଆତ୍ମା” ବାହାରିଯାଏ, ତାହା ଆମ ସୃଷ୍ଟିକର୍ତ୍ତାଙ୍କ ଠାରୁ ଉଦ୍ଭୂତ ଜୀବନୀ ଶକ୍ତି । (ଗୀତସଂହିତା ୩୬:୯; ପ୍ରେରିତ ) ଏହି ଜୀବନୀ ଶକ୍ତିରେ କିନ୍ତୁ ଜୀବ ଦେହର କୌଣସି ଗୁଣ ନଥାଏ, ଠିକ୍ ଯେପରି ବିଜୁଳି ଯେଉଁ ଯନ୍ତ୍ରପାତିକୁ ଶକ୍ତି ଦିଏ, ସେହି ଯନ୍ତ୍ରର କୌଣସି ଗୁଣ ବିଜୁଳିରେ ନଥାଏ । ଯେତେବେଳେ କେହି ମରିଯାନ୍ତି, ଆତ୍ମା (ଜୀବନୀ ଶକ୍ତି) ଦେହ କୋଷଗୁଡ଼ିକୁ ସଜୀବ ରଖିବା ବନ୍ଦ କରିଦିଏ, ଠିକ୍ ଯେପରି ବିଜୁଳି ବନ୍ଦ କରିଦେଲେ ଆଲୁଅ ଲିଭିଯାଏ । ଯେତେବେଳେ ଜୀବନୀ ଶକ୍ତି ମଣିଷ ଶରୀରକୁ ବଞ୍ଚେଇ ରଖିବା ବନ୍ଦ କରିଦିଏ, ମଣିଷର—ପ୍ରାଣ—ମୃତ୍ୟୁ ଘଟେ ।— ୧୭:୨୮ଗୀତସଂହିତା ୧୦୪:୨୯; ଉପଦେଶକ ୧୨:୧, ୭.
“ତୁମେ ପୁନର୍ବାର ଧୂଳିରେ ମିଶିଯିବ”
୭. ଯଦି ଆଦମ ପରମେଶ୍ୱରଙ୍କୁ ଅବଜ୍ଞା କରିଥାଆନ୍ତା ତାʼହେଲେ କʼଣ ହୋଇଥାଆନ୍ତା ?
୭ ପାପୀ ଆଦମ ପାଇଁ ମୃତ୍ୟୁର ଅର୍ଥ କʼଣ, ଯିହୋବା ସ୍ଫଷ୍ଟ ରୂପେ ବୁଝାଇଥିଲେ । ପରମେଶ୍ୱର କହିଥିଲେ: “ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହିତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି, ଧୂଳିରେ ପୁନର୍ବାର ମିଶିଯିବ ।” (ଆଦି ପୁସ୍ତକ ୩:୧୯) ଆଦମ କେଉଁଠାକୁ ଫେରି ଯାଇଥାନ୍ତା ? ମାଟିକୁ, ଧୂଳିକୁ, ଯେଉଁଥିରୁ ତାକୁ ସୃଷ୍ଟି କରାଯାଇଥିଲା । ମୃତ୍ୟୁ ପରେ ଆଦମର ଅସ୍ତିତ୍ୱ ନଥାନ୍ତା !
୮. ପ୍ରାଣ ସମ୍ପର୍କ ପ୍ରାଦାନରେ ମଣିଷ ପଶୁଠାରୁ ଶ୍ରେଷ୍ଠ ନୁହେଁ କିପରି ?
୮ ଏହି ପରିପ୍ରେକ୍ଷୀରେ, ମଣିଷର ମୃତ୍ୟୁ ଅନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁଠାରୁ ଭିନ୍ନ ନୁହେଁ । ସେମାନେ ମଧ୍ୟ ପ୍ରାଣୀ [“ପ୍ରାଣ,” NW] ଏବଂ ଏକା ଆତ୍ମା ଅଥବା ଜୀବନୀ ଶକ୍ତି ସେମାନଙ୍କୁ ସକ୍ରୀୟ କରେ । (ଆଦି ପୁସ୍ତକ ୧:୨୪) ଉପଦେଶକ ୩:୧୯, ୨୦, ପଦରେ ଜ୍ଞାନୀ ବ୍ୟକ୍ତି ଶଲୋମନ କହନ୍ତି, “ଏ ଯେମନ୍ତ ମରେ; ସେ ତେମନ୍ତ ମରେ; ପୁଣି ସମସ୍ତଙ୍କ ପ୍ରାଣବାୟୁ ଏକ; ଆଉ ପଶୁଠାରୁ ମନୁଷ୍ୟର କୌଣସି ପ୍ରାଧାନ୍ୟ ନାହିଁ । . . . ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ଧୂଳିରେ ଲୀନ ହୁଅନ୍ତି ।” ମନୁଷ୍ୟ ପଶୁଠାରୁ ଭିନ୍ନ ଏହି ଅର୍ଥରେ ଯେ ତାକୁ ପରମେଶ୍ୱରଙ୍କ ସାଦୃଶ୍ୟରେ ଯିହୋବଙ୍କ ଗୁଣାବଳୀ ପ୍ରତିଫଳିତ କରିବା ପାଇଁ ସୃଷ୍ଟିକରା ହୋଇଥିଲା । (ଆଦି ପୁସ୍ତକ ୧:୨୬, ୨୭) ତଥାପି ମୃତ୍ୟୁପରେ ମନୁଷ୍ୟ ଓ ପଶୁ ଏକା ମାଟିରେ ମିଶନ୍ତି ।
୯. ମୃତମାନଙ୍କର ଅବସ୍ଥା କିପରି ହୁଏ, ସେମାନେ କେଉଁଠାକୁ ଯାଆନ୍ତି ?
୯ ମୃତ୍ୟୁର ଅର୍ଥ କʼଣ ଶଲୋମନ ପୁଣି ବ୍ୟାଖ୍ୟାକରି କହୁଛନ୍ତି, “ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ ।” ହଁ, ମୃତମାନେ ଆଦୌ କିଛି ଜାଣନ୍ତି ନାହିଁ । ଏହି କାରଣରୁ ଶଲୋମନ ଉପଦେଶ ଦେଇଥିଲେ: “ତୁମ୍ଭ ହସ୍ତ ଯେ କୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ ।” (ଉପଦେଶକ ୯:୫, ୧୦) ମୃତମାନେ କେଉଁଠାକୁ ଯାଆନ୍ତି ? ସିଓଲକୁ (ହିବୃ ଭାଷାରେ ସିହଲ) ମାନବଜାତିର ସାଧାରଣ କବରକୁ ଯାଆନ୍ତି । ଆମର ମୃତ ପ୍ରିୟଜନମାନେ କୌଣସି ବିଷୟରେ ସଚେତନ ନୁହନ୍ତି । ସେମାନେ କଷ୍ଟ ପାଆନ୍ତି ନାହିଁ, କି ସେମାନେ କୌଣସି ଭାବରେ ଆମକୁ ପ୍ରଭାବିତ କରିପାରନ୍ତି ନାହିଁ ।
୧୦. ଆମେ କାହିଁକି କହିପାରିବା ଯେ, ମୃତ୍ୟୁ ଶେଷକଥା ନୁହେଁ ?
୧୦ ତାʼହେଲେ ଆମେ ସମସ୍ତେ ଓ ଆମର ପ୍ରିୟଜନମାନେ କʼଣ ଅଳ୍ପ କେତେ ବର୍ଷ ପାଇଁ ଜୀବିତ ରହି ତାʼପରେ ଚିରଦିନ ପାଇଁ ଅସ୍ତିତ୍ୱହୀନ ହୋଇଯିବା ? ବାଇବଲ ଅନୁସାରେ ଏହା ହୁଏ ନାହିଁ । ଆଦମର ବିଦ୍ରୋହ ସମୟରେ ଯିହୋବା ପରମେଶ୍ୱର ମଣିଷ ପାପର ଭୟଙ୍କର ପରିଣତିକୁ ଓଲଟାଇ ଦେବାକୁ ସଙ୍ଗେସଙ୍ଗେ ବ୍ୟବସ୍ଥା କରିଥିଲେ । ମଣିଷଜାତି ପାଇଁ ମୃତ୍ୟୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟର ଅଶଂ ନଥିଲା (ଯିହିଜିକଲ ୩୩:୧୧; ୨ ପିତର ୩:୯) ସୁତରାଂ ମୃତ୍ୟୁ ଆମର ଓ ଆମ ପ୍ରିୟଜନଙ୍କର ପୂର୍ଣ୍ଣ ସମାପ୍ତି ନୁହେଁ ।
“ନିଦ୍ରା ଯାଇଛନ୍ତି”
୧୧. ଯୀଶୁ କିପରି ତାଙ୍କ ମୃତବନ୍ଧୁ ଲାଜାରଙ୍କ ଅବସ୍ଥା ବର୍ଣ୍ଣନା କରିଥିଲେ ?
୧୧ ଆମକୁ ଓ ମୃତପ୍ରିୟଜନଙ୍କୁ ଆଦମୀୟ ମୃତ୍ୟୁରୁ ଉଦ୍ଧାର କରିବା ଯିହୋବାଙ୍କ ଉଦ୍ଦେଶ୍ୟ । ସେଥିପାଇଁ ପରମେଶ୍ୱରଙ୍କ ବାକ୍ୟ ମୃତମାନଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରେ ଯେ, ସେମାନେ ଯେପରି ଶୋଇଛନ୍ତି । ଉଦାହରଣସ୍ୱରୂପ ଯୀଶୁଙ୍କ ବନ୍ଧୁ ଲାଜାର ମରିଯାଇଛି ଜାଣି, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ: “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଜାଇଅଛନ୍ତି, ମୁଁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ଯାଉଅଛି ।” ସେତେବେଳେ ତାହାଙ୍କ ଶିଷ୍ୟମାନେ ଏହି କଥା ବୁଝିପାରିଲେ ନାହିଁ, ତେଣୁ ଯୀଶୁ ସ୍ପଷ୍ଟରୂପେ ବୁଝାଇ କହିଲେ, “ଲାଜାର ମରିଯାଇଛନ୍ତି ।” (ଯୋହନ ୧୧:୧୧, ୧୪) ତାʼପରେ ଯୀଶୁ ବେଥାନି ସହରକୁ ଗଲେ ଯେଉଁଠାରେ ଲାଜାରଙ୍କ ଭଉଣୀ ମାର୍ଥା ଓ ମରିୟମ ତାଙ୍କ ଭାଇଙ୍କ ମୃତ୍ୟୁ ପାଇଁ ବିଳାପ କରୁଥିଲେ । ଯେତେବେଳେ ଯୀଶୁ ମାର୍ଥାଙ୍କୁ କହିଲେ, “ତୁମ୍ଭ ଭାଇ ପୁଣି ଉଠିବ,” ସେତେବେଳେ ସେ ମାନବ ପରିବାର ଉପରେ ମୃତ୍ୟୁର ପ୍ରଭାବକୁ ଓଲଟାଇ ଦେବାକୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଉପରେ ତାହାଙ୍କ ବିଶ୍ୱାସକୁ ପ୍ରକାଶ କରିଥିଲେ । ସେ କହିଥିଲେ: “ମୁଁ ଜାଣେ, ଶେଷ ଦିନରେ ପୁନରୁତ୍ଥାନ ସମୟରେ ସେ ଉଠିବେ ।”—ଯୋହନ ୧୧:୨୩, ୨୪.
୧୨. ମୃତମାନଙ୍କ ସମ୍ପର୍କରେ ଶୋକାର୍ତ ମାର୍ଥାଙ୍କ କି ଆଶା ଥିଲା ?
୧୨ ମୃତ୍ୟୁ ପରେ ଏକ ଅମର ପ୍ରାଣ ଅନ୍ୟତ୍ର ରହୁଥିବା ବିଷୟରେ ମାର୍ଥା ତାହାଙ୍କ ଅଭିପ୍ରାୟ ବ୍ୟକ୍ତ କରି ନାହାନ୍ତି । ସେ ବିଶ୍ୱାସ କରୁଥିଲେ ଯେ, ଲାଜାର ତାଙ୍କ ଅସ୍ତିତ୍ୱକୁ ବଞ୍ଚେଇ ରଖିବା ପାଇଁ କୌଣସି ଆତ୍ମିକ କ୍ଷେତ୍ରକୁ ଯାଇ ନଥିବେ । ମୃତ୍ୟୁରୁ ପୁନରୁତ୍ଥାନ ହବାରେ ମାର୍ଥାଙ୍କ ଅଦ୍ଭୂତ ଆଶା ଥିଲା । ଗୋଟିଏ ଅମର ପ୍ରାଣ ଲାଜାର ଶରୀରରୁ ବାହାରିବା କଥା ସେ ବୁଝି ନଥିଲେ, କିନ୍ତୁ ସେ ବୁଝିଥିଲେ ତାʼର ମୃତ ଭାଇ ଅସ୍ତିତ୍ୱହୀନ ହୋଇଯାଇଛି । ପୁନରୁତ୍ଥାନ ତାʼର ଭାଇ ପାଇଁ ଏକମାତ୍ର ପ୍ରତିକାର ହେବ ।
୧୩. ଯୀଶୁଙ୍କ ପାଖରେ କେଉଁ ଈଶ୍ୱର ଦତ୍ତ କ୍ଷମତା ଥିଲା ଓ ସେ କିପରି ଏହି କ୍ଷମତା ପ୍ରଦର୍ଶନ କରିଥିଲେ ?
୧୩ ମାନବଜାତିର ଉଦ୍ଧାର ପାଇଁ ଯୀଶୁଖ୍ରୀଷ୍ଟଙ୍କୁ ଯିହୋବା ପରମେଶ୍ୱର ଶକ୍ତି ଦେଇଛନ୍ତି । (ହୋଶେୟ ୧୩:୧୪) ମାର୍ଥାଙ୍କ କଥାର ଉତ୍ତର ଦେଇ ଯୀଶୁ କହିଲେ, “ମୁଁ ହିଁ ପୁନରୁତ୍ଥାନ ଓ ଜୀବନ; ଯେ ମୋଠାରେ ବିଶ୍ୱାସ କରେ, ସେ ଯଦ୍ୟପି ମରେ, ତଥାପି ବଞ୍ଚିବ ।” (ଯୋହନ ୧୧:୨୫) ଏହି ପରିପ୍ରେକ୍ଷୀରେ, ଯୀଶୁ ତାଙ୍କ ଈଶ୍ୱରଦତ୍ତ ଶକ୍ତିକୁ ପ୍ରଦର୍ଶିତ କରିଥିଲେ । ଲାଜାରଙ୍କ କବର ସ୍ଥଳରେ ସେ ପହଞ୍ଚିଲା ବେଳେ ତାʼର ମରିବା ଚାରିଦିନ ହୋଇଯାଇଥିଲା, କିନ୍ତୁ ଯୀଶୁ ତାଙ୍କୁ ପୁନର୍ଜୀବିତ କରିଥିଲେ । (ଯୋହନ ୧୧:୩୮-୪୪) ଯେଉଁମାନେ ଏହି ପୁନରୁତ୍ଥାନ ଅଥବା ଯୀଶୁଙ୍କ କୃତ ଅନ୍ୟ ପୁନରୁତ୍ଥାନ ଦେଖିଥିଲେ ସେମାନଙ୍କ ଆନନ୍ଦ ବିଷୟରେ ଚିନ୍ତାକରନ୍ତୁ !—ମାର୍କ ୫:୩୫-୪୨; ଲୁକ ୭:୧୨-୧୬.
୧୪. ପୁନରୁତ୍ଥାନ ଓ ଏକ ଅମର ପ୍ରାଣର ଧାରଣା କାହିଁକି ଅସଙ୍ଗତ ?
୧୪ ଏହି କଥାକୁ ଗଭୀରଭାବେ ବିଚାର କରନ୍ତୁ: ଯଦି ମୃତ୍ୟୁ ହେଲା ପରେ ଗୋଟିଏ ଅମର ପ୍ରାଣ ଜୀବିତ ଥାଏ, ତେବେ କାହାକୁ ପୁନରୁତ୍ଥାନ କରିବାକୁ ବା ଦ୍ୱିତୀୟ ଥର ଜୀବିତ କରିବାକୁ ପଡ଼ିନଥାନ୍ତା । ବାସ୍ତବରେ ଲାଜାରପରି ଜଣେ ବ୍ୟକ୍ତିକୁ ପୃଥିବୀରେ ଅସିଦ୍ଧ ଜୀବନ ପାଇଁ ପୁନରୁତ୍ଥାନ କରିବା କେବଳ ଦୟାବନ୍ତ କାର୍ଯ୍ୟ ହେବନି ଯଦି ସେ ଇତି ମଧ୍ୟରେ ଏକ ସୁନ୍ଦର ସ୍ୱର୍ଗୀୟ ପୁରସ୍କାର ପାଇ ସାରିଥିବ । ପ୍ରକୃତରେ ବାଇବଲ କେବେହେଲେ ଏକ “ଅମର ପ୍ରାଣ” କଥା ଉଲ୍ଲେଖ କରେନାହିଁ । ଶାସ୍ତ୍ର କହିଥାଏ, ପାପ କରିବା ଦ୍ୱାରା ମନୁଷ୍ୟ ପ୍ରାଣର ମୃତ୍ୟୁ ଘଟିଥାଏ । (ଯିହିଜିକଲ ୧୮:୪, ୨୦) ତେଣୁ ବାଇବଲ ମୃତ୍ୟୁର ପ୍ରକୃତ ନିରାକରଣ ଭାବେ ପୁନରୁତ୍ଥାନକୁ ହିଁ ସୂଚିତ କରିଥାଏ ।
“ସ୍ମୃତି କବରରେ ରହିଥିବା ସମସ୍ତେ”
୧୫. (କ) “ପୁନରୁତ୍ଥାନ” ଶବ୍ଦଟିର ଅର୍ଥ କʼଣ ? (ଖ) ମଣିଷଙ୍କ ପୁନରୁତ୍ଥାନ ଯିହୋବା ପରମେଶ୍ୱରଙ୍କ ପକ୍ଷରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ କାହିଁକି ?
୧୫ ଯୀଶୁଙ୍କ ଶିଷ୍ୟମାନେ “ପୁନରୁତ୍ଥାନ” ପାଇଁ ଯେଉଁ ଶଦ୍ଦଟି ପ୍ରୟୋଗ କରିଥିଲେ ତାହାର ଆକ୍ଷରିକ ଅର୍ଥ ହେଉଛ “ଉଠିବା” ବା “ଉଠିଛିଡ଼ାହବା ।”ଏହା ମୃତ୍ୟୁର ନିର୍ଜୀବ ଅବସ୍ଥାରୁ ଜାଗିଉଠିବାକୁ ବୁଝାଏ—ଯେପରିକି ମାନବଜାତିର ସାଧାରଣ କବରରୁ ଉଠିବାହାରି ଆସିବା । ଯିହୋବା ପରମେଶ୍ୱର ଜଣେ ଲୋକକୁ ସହଜରେ ପୁନରୁତ୍ଥିତ କରିପାରନ୍ତି । କାହିଁକି ? କାରଣ ଯିହୋବା ଈଶ୍ୱର ଜୀବନର ସଂସ୍ଥାପକ ଅଟନ୍ତି । ଆଜିକାଲି ଅନେକ ପୁରୁଷ ଓ ସ୍ତ୍ରୀଙ୍କର କଣ୍ଠସ୍ୱର ଓ ପ୍ରତିଛବି ଭିଡ଼ିଓ ଟେପ ଦ୍ୱାରା ରେକଡ଼ କରାଯାଇ ପାରୁଛି ଏବଂ ସେଗୁଡ଼ିକ ଲୋକଙ୍କର ମୃତ୍ୟୁପରେ ଚଲେଇ ଦେଖାଯାଇ ପାରୁଛି । ତାʼହେଲେ ନିଶ୍ଚିତ ଭାବେ ଆମ ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଈଶ୍ୱର ଯେ କୌଣସି ଲୋକର ସବିଶେଷ ବିବରଣୀ ରଖି ତାକୁ ପୁନରୁତ୍ଥିତ କରିପାରନ୍ତି ବା ତାକୁ ଏକ ନୂତନ ଶରୀର ଦେଇପାରନ୍ତି ।
୧୬. (କ) କବରସ୍ଥ ସକଳ ଲୋକଙ୍କ ସମ୍ପର୍କରେ ଯୀଶୁ କʼଣ ପ୍ରତିଜ୍ଞା କରିଥିଲେ ? (ଖ) ଜଣେ ବ୍ୟକ୍ତିର ପୁନରୁତ୍ଥାନର ଫଳ କʼଣ ହେବ, ତାହା କିପରି ନିର୍ଦ୍ଧାରଣ କରାଯିବ ?
୧୬ ଯୀଶୁଖ୍ରୀଷ୍ଟ କହିଥିଲେ: “ଏପରି ସମୟ ଆସୁଅଛି, ସେତେବେଳେ ସମାଧିସ୍ଥ ସମସ୍ତେ ତାହାଙ୍କ [ଯୀଶୁଙ୍କ] କଣ୍ଠସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି, ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି, ସେମାନେ ଦଣ୍ଡ ବିଧିର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ ।” (ଯୋହନ ୫:୨୮, ୨୯) ଯିହୋବାଙ୍କ ସ୍ମରଣରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ପୁନରୁତ୍ଥାନ କରାଯିବ ଓ ତାଙ୍କରି ପଥାନୁସାରେ ସେମାନଙ୍କୁ ଶିକ୍ଷା ଦିଆଯିବ । ଏଣୁ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାନୁସାରେ କାମ କରୁଛନ୍ତି, ସେମାନଙ୍କ ନିମନ୍ତେ ଏହା ହେବ ଜୀବନ ଦାୟକ ପୁନରୁତ୍ଥାନ । କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଶିକ୍ଷା ଓ ଶାସନକୁ ଅସ୍ୱୀକାର କରୁଛିନ୍ତି, ସେମାନଙ୍କ ପାଇଁ ଏହା ହେବ ଦଣ୍ଡନୀୟ ବିଚାରର ପୁନରୁତ୍ଥାନ ।
୧୭. କେଉଁମାନେ ପୁନରୁତ୍ଥିତ ହେବେ ?
୧୭ ସ୍ୱାଭାବିକଭାବେ ଯେଉଁମାନେ ଯିହୋବାଙ୍କ ସେବକରୂପେ ଧର୍ମ ମାର୍ଗରେ ଚାଲୁଛନ୍ତି, ସେମାନଙ୍କର ପୁନରୁତ୍ଥାନ ହେବ । ବାସ୍ତବରେ ପ୍ରଚଣ୍ଡ ନିର୍ଯ୍ୟାତନା ମଧ୍ୟରେ ପୁନରୁତ୍ଥାନର ଆଶା ହିଁ ଅନେକଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାପାଇଁ ଶକ୍ତି ଦେଉଛି । ସେମାନେ ଜାଣିଥିଲେ ଯେ ଈଶ୍ୱର ସେମାନଙ୍କୁ ପୁନର୍ଜୀବିତ କରିପାରିବେ । (ମାଥିଉ ୧୦:୨୮) କିନ୍ତୁ କୋଟିକୋଟି ଲୋକ ପରମେଶ୍ୱରଙ୍କ ଧାର୍ମିକ ସ୍ତରରେ ଚାଲିଛନ୍ତି କି ନାହିଁ ତାହା ନ ଜଣାଇ ମରିଯାଇଛନ୍ତି । ସେମାନଙ୍କର ମଧ୍ୟ ପୁନରୁତ୍ଥାନ ହେବ । ଏହି ସମ୍ପର୍କରେ ଯିହୋବାଙ୍କ ଉପଦେଶ ବିଷୟରେ ପ୍ରେରିତ ପାଉଲ ଦୃଢ଼ ଭାବରେ କହିଥିଲେ: “ମୋର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଅଛି . . . ଯେ ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।”—ପ୍ରେରିତ ୨୪:୧୫.
୧୮. (କ) ପ୍ରେରିତ ଯୋହନ ପୁନରୁତ୍ଥାନର କେଉଁ ଦର୍ଶନ ପାଇଥିଲେ ? (ଖ) “ଅଗ୍ନି ହ୍ରଦରେ” କʼଣ ଧ୍ୱଂସ କରାଯିବ ଏବଂ ଏହି ହ୍ରଦ କʼଣ ଚିତ୍ରିତ କରୁଛି ?
୧୮ ପ୍ରେରିତ ଯୋହନ ପୁନରୁତ୍ଥିତ ଲୋକଙ୍କୁ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଛିଡ଼ାହେବାର ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ପାଇଥିଲେ । ତାʼପରେ ସେ ଲେଖିଲେ: “ସମୁଦ୍ର ନିଜ ଗର୍ଭ ମଧ୍ୟରେ ଧରି ରଖିଥିବା ମୃତମାନଙ୍କୁ ତ୍ୟାଗ କଲା, ମୃତ୍ୟୁ ତଥା ପାତାଳ ମଧ୍ୟ ସେମାନଙ୍କଠାରେ ଧରି ରଖିଥିବା ମୃତମାନଙ୍କୁ ପରିତ୍ୟାଗ କଲା, ସେମାନେ ସମସ୍ତେ ନିଜ ନିଜର କର୍ମାନୁଯାୟୀ ବିଚାରିତ ହେଲେ । ତାପରେ ମୃତ୍ୟୁ ଓ ପାତାଳ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ । ସେହି ଅଗ୍ନିମୟ ହ୍ରଦ ହିଁ ଦ୍ୱିତିୟ ମୃତ୍ୟୁ ।” (ପ୍ରକାଶିତ ବାକ୍ୟ ୨୦: ୧୨-୧୪) ସେହି ବିଷୟରେ ଚିନ୍ତା କରନ୍ତୁ ! ପରମେଶ୍ୱରଙ୍କ ସ୍ମରଣରେ ଥିବା ସକଳ ମୃତମାନଙ୍କର ପାତାଳ (ହେଡ଼ିସ ଗ୍ରୀକ୍ ଶବ୍ଦ) ବା ସିଓଲ ଅର୍ଥାତ୍ ମାନବଜାତିର ସଧାରଣ କବରରୁ ମୁକ୍ତ ହେବାର ଆଶା ଅଛି । (ଗୀତସଂହିତା ୧୬:୧୦; ପ୍ରେରିତ ୨:୩୧) ସେମାନେ ଈଶ୍ୱରଙ୍କ ସେବା କରିବେ କି ନାହିଁ ତାହା ତାଙ୍କର କର୍ମଦ୍ୱାରା ଦେଖାଇବାର ଏକ ସୁଯୋଗ ସେମାନଙ୍କୁ ମିଳିବ । ତାʼପରେ “ମୃତ୍ୟୁ ଓ ପାତାଳ” ଯାହାକୁ କୁହାଯାଉଛି “ଅଗ୍ନିମୟ ହ୍ରଦ,” ସେଥିରେ ନିକ୍ଷେପ କରାଯିବ, ଏହା ସମ୍ପୂର୍ଣ୍ଣ ଧ୍ୱଂସର ପ୍ରତୀକ । ଯେପରି “ଗେହେନା” ଶବ୍ଦ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସର ପ୍ରତୀକକୁ ଚିତ୍ରିତ କରୁଅଛି । (ଲୁକ ୧୨:୫) ମାନବଜାତିର ସାଧାରଣ କବର ଖାଲିହୋଇ ପଡ଼ିରହିବ ଏବଂ ସମସ୍ତଙ୍କ ପୁନରୁତ୍ଥାନ ହେଲା ପରେ କବରଗୁଡ଼ିକର ଅସ୍ତିତ୍ୱ ରହିବ ନାହିଁ । ପରମେଶ୍ୱର କାହାକୁ ଯାତନା ଦିୟନ୍ତି ନାହିଁ, ଏହା ବାଇବଲରୁ ଶିକ୍ଷା କରିବା କେତେ ସୁଖକର !—ଯିରିମିୟ ୭:୩୦, ୩୧.
ପୁନରୁତ୍ଥାନ କେଉଁଠି ହେବ ?
୧୯. ମାନବଜାତିଙ୍କ ମଧ୍ୟରୁ କେତେକଙ୍କୁ କାହିଁକି ସ୍ୱର୍ଗକୁ ପୁନରୁତ୍ଥିତ କରାଯିବ ଓ ପରମେଶ୍ୱର ସେମାନଙ୍କୁ କି ପ୍ରକାର ଶରୀର ଦେବେ ?
୧୯ ଏକ ସୀମିତ ସଂଖ୍ୟକ ପୁରୁଷ ଓ ନାରୀ ସ୍ୱର୍ଗୀୟ ଜୀବନ ପାଇଁ ପୁନରୁତ୍ଥିତ ହେବେ । ମାନବଜାତିର ପ୍ରଥମ ପୁରଷ ଆଦମଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିବା ମୃତ୍ୟୁର ସକଳ ପ୍ରଭାବକୁ ହଟାଇବା ପାଇଁ ସେମାନେ ଯୀଶୁଙ୍କ ସଙ୍ଗେ ରାଜା ଓ ଯାଜକରୂପେ ଅଂଶ ନେବେ । (ରୋମୀୟ ୫:୧୨; ପ୍ରକାଶିତ ବାକ୍ୟ ୫:୯, ୧୦) ଖ୍ରୀଷ୍ଟଙ୍କ ସହିତ ଶାସନ କରିବା ପାଇଁ କେତେ ଜଣଙ୍କୁ ପରମେଶ୍ୱର ସ୍ୱର୍ଗକୁ ନେବେ ? ବାଇବଲ ଅନୁସାରେ ମାତ୍ର ୧,୪୪,୦୦୦ ଜଣଙ୍କୁ । (ପ୍ରକାଶିତ ବାକ୍ୟ ୭:୪; ୧୪:୧) ଏହି ପୁନରୁତ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯିହୋବା ଏକ ଆତ୍ମିକ ଶରୀର ପ୍ରଦାନ କରିବେ ଯଦ୍ୱାରା ସେମାନେ ସ୍ୱର୍ଗରେ ବାସ କରିପାରିବେ ।—୧ କରିନ୍ଥୀୟ ୧୫:୩୫, ୩୮, ୪୨-୪୫; ୧ ପିତର ୩:୧୮.
୨୦. ପୁନରୁତ୍ଥିତ ବ୍ୟକ୍ତିଙ୍କ ସହିତ ଆଜ୍ଞାକାରୀ ମାନବଜାତି କʼଣ ଅନୁଭବ କରିବେ ?
୨୦ ଆଜିପର୍ଯ୍ୟନ୍ତ ଯେଉଁମାନେ ମୃତ୍ୟୁବରଣ କରିଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏକ ପାରଦୀଶ ପୃଥିବୀରେ ପୁନରୁତ୍ଥିତ କରାଯିବ । (ଗୀତସଂହିତା ୩୭:୧୧, ୨୯; ମାଥିଉ ୬:୧୦) କିଛି ଲୋକଙ୍କୁ ସ୍ୱର୍ଗୀୟ ପୁନରୁତ୍ଥାନ କରିବାର କାରଣ ହେଲା ପୃଥିବୀରେ ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା । ଆମର ପ୍ରଥମ ପିତାମାତା ହଜାଇଥିବା ସିଦ୍ଧତାକୁ ସ୍ୱର୍ଗରୁ ଯୀଶୁଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ, ଆଜ୍ଞାକାରୀ ମାନବଜାତି ପ୍ରତି ଫେରାଇ ଆଣିବେ । ଏହା ସହିତ ପୁନରୁତଥିତ ଲୋକ ମଧ୍ୟ ମିଶିବେ, ଯେପରି ମୃତ୍ୟୁ ସମୟରେ ତାଙ୍କ ପାଖରେ ଝୁଲିଥିବା ଜଣେ ଲୋକକୁ ଯୀଶୁ କହିଥିଲେ, “ତୁମେ ମୋ ସହିତ ପାରଦୀଶରେ ରହିବ ।”—ଲୁକ ୨୩:୪୨, ୪୩, NW.
୨୧. ଭବିଷ୍ୟଦ୍ବକ୍ତା ଯିଶାଇୟ ଏବଂ ପ୍ରେରିତ ଯୋହନଙ୍କ ଅନୁସାରେ ମୃତ୍ୟୁର କʼଣ ହେବ ?
୨୧ ପାରଦୀଶ ପୃଥିବୀରୁ ମୃତ୍ୟୁକୁ ଉଠାଇ ଦିଆଯିବ, ଯାହା ଆଜି ବିଫଳ ହୋଇଛି । (ରୋମୀୟ ୮:୧୯-୨୧) ଭବିଷ୍ୟଦ୍ବକ୍ତା ଯିଶାଇୟ ଘୋଷଣା କରିଥିଲେ ଯେ ଯିହୋବା ଈଶ୍ୱର “ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିବେ ।” (ଯିଶାଇୟ ୨୫:୮) ପ୍ରେରିତ ଯୋହନ ସେହି ସମୟରେ ଏକ ଦୃଶ୍ୟ ଦେଖୁଥିଲେ ଯେଉଁଥିରେ ଆଜ୍ଞାକାରୀ ମାନବଜାତି କଷ୍ଟ ଓ ମୃତ୍ୟୁରୁ ମୁକ୍ତ ହେବେ । ହଁ, “ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଅଶ୍ରୁଜଳ ପୋଛି ଦେବେ; ମୃତ୍ୟୁ ଆଉ ରହିବ ନାହିଁ; ଶୋକ, କ୍ରନ୍ଦନ ଓ ବ୍ୟଥା ଆଉ ରହିବ ନାହିଁ; କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୧-୪.
୨୨. ପୁନରୁତ୍ଥାନ ସମ୍ବନ୍ଧୀୟ ଜ୍ଞାନ ଆପଣଙ୍କୁ କିପରି ପ୍ରଭାବିତ କରୁଛି ?
୨୨ ମୃତମାନଙ୍କ ଅବସ୍ଥା କʼଣ ହୁଏ, ବାଇବଲର ସ୍ପଷ୍ଟ ଶିକ୍ଷାଗୁଡ଼ିକ ସେ ସମ୍ପର୍କରେ ବିଭ୍ରାନ୍ତି ଦୂରକରେ । ଶାସ୍ତ୍ର ପରିସ୍କାର ଭାବରେ କହେ ଯେ “ଶେଷଶତ୍ରୁ” ମୃତ୍ୟୁକୁ ଧ୍ୱଂସ କରାଯିବ । (୧ କରିନ୍ଥୀୟ ୧୫:୨୬) ପୁନରୁତ୍ଥାନ ସମ୍ବନ୍ଧୀୟ ଆଶାର ଜ୍ଞାନରୁ ଆମେ କେତେ ଶକ୍ତି ଓ ସୁଖ ଲାଭ କରିପାରିବା ! ଆଉ ପରମେଶ୍ୱରଙ୍କ ସ୍ମୃତିରେ ଥିବା ଆମର ସେହି ପ୍ରିୟ ପରିଜନମାନେ ମୃତ୍ୟୁ ନିଦ୍ରା ଭଙ୍ଗକରି ପୁଣି ଚେଇଁ ଉଠିବେ ଓ ପରମେଶ୍ୱରଙ୍କୁ ଭଲ ପାଇଥିବା ଲୋକଙ୍କ ପାଇଁ ତାଙ୍କର ଭଣ୍ଡାରରେ ଥିବା ଭଲ ଜିନିଷସବୁ ଉପଭୋଗ କରିବେ, ଏହା ଆମକୁ କେତେ ଯେ ଆନନ୍ଦ ନ ଦେବ ! (ଗୀତସଂହିତା ୧୪୫:୧୬) ଏପରି ଆଶୀର୍ବାଦ ପରମେଶ୍ୱରଙ୍କ ରାଜ୍ୟରେ ସମ୍ପାଦିତ ହେବ । କିନ୍ତୁ ତାଙ୍କ ରାଜ୍ୟ ଶାସନ କେବେ ଆରମ୍ଭ ହେବାର ଥିଲା ? ଆସନ୍ତୁ ଦେଖିବା ।
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
ମଣିଷ ଭିତରେ ଯେଉଁ ଆତ୍ମା ଅଛି, ତାହା କʼଣ ?
ଆପଣ ମୃତମାନଙ୍କ ଅବସ୍ଥା କିପରି ବର୍ଣ୍ଣନା କରିବେ ?
କେଉଁମାନେ ପୁନରୁତ୍ଥିତ ହେବେ ?
[ଅଧ୍ୟୟନ ପ୍ରଶ୍ନ]
[୮୫ ପୃଷ୍ଠାରେ ଚିତ୍ର]
ଲାଜାରଙ୍କୁ ଯୀଶୁ ଯେପରି କବରରୁ ପୁନରୁତ୍ଥିତ କରିଥିଲେ, ସେହିପରି ଲକ୍ଷ ଲକ୍ଷ ଲୋକଙ୍କର ପୁନରୁତ୍ଥାନ ହେବ
[୮୬ ପୃଷ୍ଠାରେ ଚିତ୍ର]
‘ପରମେଶ୍ୱର ଯେତେବେଳେ ମୃତ୍ୟୁକୁ ସମ୍ପୁର୍ଣ୍ଣ ରୂପେ ନିଃଶେଷ’ କରିଦେବେ, ସେତେବେଳେ ଆନନ୍ଦ ଖେଳିଯିବ