ପରମେଶ୍ୱର କାହାର ଉପାସନା ଗ୍ରହଣ କରନ୍ତି ?
ଅଧ୍ୟାୟ ୫
ପରମେଶ୍ୱର କାହାର ଉପାସନା ଗ୍ରହଣ କରନ୍ତି ?
୧. ଉପାସନା ବିଷୟରେ ଜଣେ ସମରୀୟ ନାରୀ କʼଣ ଜାଣିବା ପାଇଁ ଚାହୁଁଥିଲା ?
ଆପଣ କେବେ ଭାବିଛନ୍ତି କି ‘ପରମେଶ୍ୱର କାହାର ଉପାସନା ଗ୍ରହଣ କରନ୍ତି ?’ ସେହି ନାରୀଟିର ମନରେ ହୁଏତ ଏପରି ପ୍ରଶ୍ନ ଆସିଥିଲା, ଯେତେବେଳେ ସେ ସମରୀୟର ଗରିଷୀମ ପର୍ବତ ନିକଟରେ ଯୀଶୁଖ୍ରୀଷ୍ଟଙ୍କ ସହିତ କଥାବାର୍ତ୍ତା କରୁଥିଲେ । ସମରୀୟ ଓ ଯିହୂଦୀମାନଙ୍କ ଉପାସନାର ଭିନ୍ନତା ଉପରେ ଧ୍ୟାନ ଆକର୍ଷଣ କରି ସେ କହିଥିଲେ: “ଆମ୍ଭମାନଙ୍କ ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ; ଆଉ ଆପଣମାନେ କହୁଛନ୍ତି, ଯେଉଁ ସ୍ଥାନରେ ଉପାସନା କରିବା ଉଚିତ, ତାହା ଯିରୂଶାଲମରେ ଅଛି ।” (ଯୋହନ ୪:୨୦) ପରମେଶ୍ୱର ସବୁ ଉପାସନାକୁ ଗ୍ରହଣ କରନ୍ତି ବୋଲି ସମରୀୟ ନାରୀକୁ ଯୀଶୁ କହିଲେ କି ? କିମ୍ବା ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ କେତେକ ନିର୍ଦ୍ଦିଷ୍ଟ ବିଷୟ ଆବଶ୍ୟକ ହୋଇଥାଏ ବୋଲି ସେ କହିଲେ ?
୨. ସମରୀୟ ନାରୀକୁ ଉତ୍ତର ଦେବାକୁ ଯାଇ ଯୀଶୁ କʼଣ କହିଥିଲେ ?
୨ ଯୀଶୁଙ୍କ ଆତଙ୍କିତ କରିଦେବା ଉତ୍ତର ଥିଲା: “ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଯିରୂଶାଲମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଛି ।” (ଯୋହନ ୪:୨୧) ସମରୀୟମାନେ ଯିହୋବା ଓ ଅନ୍ୟ ଦେବତାମାନଙ୍କୁ ଦୀର୍ଘକାଳ ଧରି ଗରିଷୀମ ପର୍ବତରେ ଉପାସନା କରୁଥିଲେ । (୨ ରାଜାବଳି ୧୭:୩୩) ବର୍ତ୍ତମାନ ଯୀଶୁଖ୍ରୀଷ୍ଟ କହିଲେ ଯେ ସେହି ସ୍ଥାନ କିମ୍ବା ଯିରୂଶାଲମ୍ କୌଣସିଟି ସତ୍ୟ ଉପାସନା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ଆତ୍ମା ଓ ସତ୍ୟର ସହିତ ଉପାସନା
୩. (କ) ସମରୀୟମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣି ନ ଥିଲେ କାହିଁକି ? (ଖ) ବିଶ୍ୱାସୀ ଯିହୂଦୀ ଓ ଅନ୍ୟମାନେ ପରମେଶ୍ୱରଙ୍କୁ କିପରି ଜାଣିପାରିଥାଆନ୍ତେ ?
୩ ଯୀଶୁ ସମରୀୟ ନାରୀକୁ ଆହୁରି କହିଲେ: “ଯାହା ତୁମ୍ଭେମାନେ ଜାଣ ନାହିଁ, ତାହା ଉପାସନା କରୁଥାଅ; ଯାହାଙ୍କୁ ଆମ୍ଭେମାନେ ଜାଣୁ, ତାହାଙ୍କୁ ଆମ୍ଭେମାନେ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୂଦୀମାନଙ୍କ ମଧ୍ୟରୁ ଆସେ ।” (ଯୋହନ ୪:୨୨) ସମରୀୟମାନଙ୍କ ମଧ୍ୟରେ ମିଥ୍ୟା ଧର୍ମ ଧାରଣା ଥିଲା ଏବଂ ସେମାନେ ବାଇବଲର କେବଳ ପ୍ରଥମ ପାଞ୍ଚଟି ପୁସ୍ତକକୁ ଅନୁପ୍ରାଣିତ ବୋଲି ଗ୍ରହଣ କରୁଥିଲେ—ଆଉ ଏଗୁଡ଼ିକ ମଧ୍ୟ କେବଳ ସେମାନଙ୍କ ଦ୍ୱାରା ସଂଶୋଧିତ ପାଠ ଯାହାକୁ ସମରୀୟ ପଞ୍ଚଗ୍ରନ୍ଥ କୁହାଯାଏ । ତେଣୁ ପ୍ରକୃତରେ ସେମାନେ ପରମେଶ୍ୱରଙ୍କୁ ଜାଣି ନ ଥିଲେ । କିନ୍ତୁ ଯିହୂଦୀମାନଙ୍କୁ ଶାସ୍ତ୍ରୀୟ ଜ୍ଞାନ ଅର୍ପଣ କରାଯାଇଥିଲା । (ରୋମୀୟ ୩:୧, ୨) ବିଶ୍ୱାସୀ ଯିହୂଦୀ ଓ ଶୁଣିବା ପାଇଁ ଇଚ୍ଛୁକ ଅନ୍ୟ ବ୍ୟକ୍ତିମାନଙ୍କୁ ପରମେଶ୍ୱରଙ୍କୁ ଜାଣିବା ପାଇଁ ଯାହାସବୁ ଆବଶ୍ୟକ, ତାହା ଶାସ୍ତ୍ର ସେମାନଙ୍କୁ ପ୍ରଦାନ କରିଥିଲା ।
୪. ଯୀଶୁଙ୍କ ଅନୁଯାୟୀ ଉଭୟ ଯିହୂଦୀ ଓ ସମରୀୟମାନଙ୍କୁ କʼଣ କରିବା ଆବଶ୍ୟକ ଥିଲା, ଯଦି ସେମାନଙ୍କ ଉପାସନା ପରମେଶ୍ୱରଙ୍କୁ ସ୍ୱୀକାରଯୋଗ୍ୟ ହେବାର ଥିଲା ?
୪ ପ୍ରକୃତରେ ଯୀଶୁ ଦେଖାଇଲେ, ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଉଭୟ ଯିହୂଦୀ ଓ ସମରୀୟମାନଙ୍କର ଉପାସନାରେ ସମନ୍ୱୟ ଆଣିବାର ଥିଲା । ସେ କହିଥିଲେ: “ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଅସୁଅଛି; ପୁଣି ବର୍ତ୍ତମାନ ସୁଧା ଉପସ୍ଥିତ; କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି । ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେମାନେ ଆତ୍ମାରେ ଓ ସତ୍ୟରେ ଉପାସନା କରିବା ଉଚିତ୍ ।” (ଯୋହନ ୪:୨୩, ୨୪) ଆମେ ବିଶ୍ୱାସ ଓ ପ୍ରେମ ପୂର୍ଣ୍ଣ ହୃଦୟ ଦ୍ୱାରା ପ୍ରବର୍ତ୍ତିତ ହୋଇ ପରମେଶ୍ୱରଙ୍କୁ “ଆତ୍ମାରେ” ଉପାସନା କରିବା ଆବଶ୍ୟକ । ପରମେଶ୍ୱରଙ୍କ ବାକ୍ୟ, ବାଇବଲକୁ ଅଧ୍ୟୟନ କରି ଓ ତାଙ୍କ ପ୍ରକାଶିତ ସତ୍ୟ ଅନୁସାରେ ଉପାସନା କରିବା ଦ୍ୱାରା “ସତ୍ୟରେ” ତାଙ୍କୁ ଉପାସନା କରିବା ସମ୍ଭବ । ଆପଣ କʼଣ ତାହା କରିବା ପାଇଁ ଆଗ୍ରହୀ ?
୫. (କ) “ଉପାସନାର” ଅର୍ଥ କʼଣ ? (ଖ) ପରମେଶ୍ୱର ଆମ ଉପାସନା ଗ୍ରହଣ କରନ୍ତୁ ବୋଲି ଯଦି ଆମେ ଚାହିଁବା, ତେବେ ଆମେ କʼଣ କରିବା ଉଚିତ୍ ?
୫ ପରମେଶ୍ୱର ସତ୍ୟ ଉପାସନା ଚାହାନ୍ତି ବୋଲି ଯୀଶୁ ଗୁରୁତ୍ୱ ଆରୋପ କରିଥିଲେ । ଏହା ଜଣାଇଥାଏ ଯେ, ପରମେଶ୍ୱର ଗ୍ରହଣ କରୁନଥିବା ଉପାସନା ପଦ୍ଧତିସବୁ ଅଛି । ପରମେଶ୍ୱରଙ୍କୁ ଉପାସନା କରିବା ଅର୍ଥ ହେଉଛି, ତାଙ୍କୁ ଶ୍ରଦ୍ଧାପୂର୍ଣ୍ଣ ଭକ୍ତି ଦେବା ଓ ତାଙ୍କ ପବିତ୍ର ସେବା କରିବା । ଯଦି ଆପଣ ଜଣେ ଶକ୍ତିଶାଳୀ ଶାସକଙ୍କୁ ଭକ୍ତି ଦେବା ପାଇଁ ଚାହାନ୍ତି, ସମ୍ଭବତଃ ଆପଣ ତାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟ କରିବେ ଓ ତାଙ୍କର ସେବା କରିବା ପାଇଁ ଆଗ୍ରହୀ ହେବେ । ତେବେ, ନିଶ୍ଚିତରୂପେ ଆମେ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଚାହିଁବା । ସେଥିପାଇଁ ‘ମୋ ଧର୍ମ ମୋ ପାଇଁ ଯଥେଷ୍ଟ,’ କେବଳ ମାତ୍ର ଏହା କହିବା ଆପେକ୍ଷା ବରଂ ଆମେ ନିଶ୍ଚିତ କରିବା ଆବଶ୍ୟକ ଯେ, ଆମ ଉପାସନା ପରମେଶ୍ୱରଙ୍କ ଆବଶ୍ୟକତା ପୂରଣ କରେ ।
ପିତାଙ୍କ ଇଚ୍ଛା ସାଧନ କରିବା
୬, ୭. କାହିଁକି ଯୀଶୁ ତାଙ୍କ ଶିଷ୍ୟବୋଲି ଦାବି କରୁଥିବା କେତେକ ଲୋକଙ୍କୁ ସ୍ୱୀକାର କରନ୍ତି ନାହିଁ ?
୬ ଆସନ୍ତୁ ମାଥିଉ ୭:୨୧-୨୩ ପଦ ପଢ଼ିବା ଓ ସବୁ ଉପାସନା ପରମେଶ୍ୱରଙ୍କ ଗ୍ରହଣଯୋଗ୍ୟ କି ନୁହେଁ, ଏହି ଅତିଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆମେ ନିର୍ଣ୍ଣୟକରି ଦେଖିବା । ଯୀଶୁ କହିଥିଲେ: “ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ [ଦୁଷ୍ଟ ଆତ୍ମିକ ପ୍ରାଣୀ] ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ, ମୋ ପାଖରୁ ଦୂର ହୁଅ ।”
୭ ସତ୍ୟ ଉପାସନାରେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବା ଆବଶ୍ୟକ । କିନ୍ତୁ ଯୀଶୁଙ୍କ ଶିଷ୍ୟ ବୋଲି ଦାବି କରୁଥିବା ଅନେକ ଲୋକଙ୍କର ଉପାସନାରେ କିଛି ଅଭାବ ରହିବ । ସେ କହିଥିଲେ, କେତେକ ଲୋକ ତଥାକଥିତ ଚମତ୍କାରିକ ଆରୋଗ୍ୟ ପରି ଅନେକ “ଶକ୍ତିର କାର୍ଯ୍ୟ” କରିବେ । କିନ୍ତୁ ଯୀଶୁ ଯାହାକୁ ଅତି ଗୁରୁତ୍ୱ ଦେଉଥିଲେ, ତାହା କରିବାରେ ସେମାନେ ବିଫଳ ହେବେ । ସେମାନେ “[ତାଙ୍କର] ପିତାଙ୍କ ଇଚ୍ଛା ସାଧନ” କରିବେ ନାହିଁ । ଯଦି ଆମେ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁ, ତେବେ ଆମେ ପରମେଶ୍ୱରଙ୍କ ଇଚ୍ଛା କʼଣ ତାହା ଶିଖିବା ଓ ତାହା ସାଧନ କରିବା ଉଚିତ୍ ।
ଯଥାର୍ଥ ଜ୍ଞାନ–ଏକ ସୁରକ୍ଷା
୮. ଯଦି ଆମେ ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବା ତେବେ ଏଥିପାଇଁ କʼଣ ଆବଶ୍ୟକ ଓ କେଉଁ ଭୁଲ୍ ଦୃଷ୍ଟିକୁ ଆମେ ପରିତ୍ୟାଗ କରିବା ଉଚିତ୍ ?
୮ ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବା ପାଇଁ ଉଭୟ ଯିହୋବା ପରମେଶ୍ୱର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଯଥାର୍ଥ ଜ୍ଞାନର ଆବଶ୍ୟକ ଅଛି । ଏପରି ଜ୍ଞାନ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିଥାଏ । ତେବେ, ନିଶ୍ଚିତରୂପେ ପରମେଶ୍ୱରଙ୍କ ବାକ୍ୟ ବାଇବଲରୁ ଯଥାର୍ଥ ଜ୍ଞାନ ଲାଭକରିବା ବିଷୟକୁ ଆମେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ମନେକରି ଗ୍ରହଣ କରିବା । କିଛି ଲୋକ କହନ୍ତି ଯେ, ଯେପର୍ଯ୍ୟନ୍ତ ଆମ ଉପାସନାରେ ଆମେ ନିଷ୍ଠାପର ଓ ଉତ୍ସାହୀ ଅଛୁ, ସେ ପର୍ଯ୍ୟନ୍ତ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟମାନେ ଦାବି କରନ୍ତି: ‘ଆପଣ ଯେତେ କମ୍ ଜାଣନ୍ତି, ଆପଣଙ୍କଠାରୁ ସେତେ କମ୍ ଆଶା କରାଯିବ ।’ କିନ୍ତୁ ବାଇବଲ ଆମକୁ ପରମେଶ୍ୱର ଓ ତାଙ୍କ ଉଦ୍ଦେଶ୍ୟ ବିଷୟକ ଜ୍ଞାନର ଅଭିବୃଦ୍ଧି ପାଇଁ ଉତ୍ସାହିତ କରିଥାଏ ।—ଏଫିସୀୟ ୪:୧୩; ଫିଲିପୀୟ ୧:୯; କଲସୀୟ ୧:୯.
୯. ଯଥାର୍ଥ ଜ୍ଞାନ ଆମ୍ଭମାନଙ୍କୁ କିପରି ରକ୍ଷା କରେ ଓ ଏପରି ସୁରକ୍ଷା ଆମେ କାହିଁକି ଆବଶ୍ୟକ କରିଥାଉ ?
୯ ଏପରି ଜ୍ଞାନ ଆମ ଉପାସନାକୁ ଭ୍ରଷ୍ଟାଚାରିତାରୁ ରକ୍ଷା କରେ । ପ୍ରେରିତ ପାଉଲ ଏପରି ଏକ ଆତ୍ମିକ ପ୍ରାଣୀ ବିଷୟରେ କହିଲେ, ଯିଏ ନିଜକୁ “ଦୀପ୍ତିମୟ ଦୂତର” ଛଳନାରୂପ ଦେଖାଏ । (୨ କରନ୍ଥୀୟ ୧୧:୧୪) ଏହି ଆତ୍ମିକ ପ୍ରାଣୀ—ଶୟତାନ—ଛଦ୍ମବେଶ ଧାରଣ କରି ଆମମାନଙ୍କୁ ପରମେଶ୍ୱରଙ୍କ ଇଚ୍ଛାବିରୁଦ୍ଧ ଭ୍ରାନ୍ତ ପଥରେ ପରିଚାଳିତ କରିବାପାଇଁ ଚେଷ୍ଟା କରେ । ଶୟତାନ ସହିତ ମିଶି ଅନ୍ୟ ଆତ୍ମିକ ପ୍ରାଣୀମାନେ ମଧ୍ୟ ଲୋକମାନଙ୍କ ଉପାସନାକୁ ଦୂଷିତ କରିଆସୁଛନ୍ତି, ପାଉଲ ଯେପରି କହିଛନ୍ତି: “ଯାହା ଯାହା ସେମାନେ ବଳିରୂପେ ଉତ୍ସର୍ଗ କରନ୍ତି, ସେହିସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି ।” (୧ କରନ୍ଥୀୟ ୧୦:୨୦) ସେହିପରି ଅନେକ ଲୋକ ପରମେଶ୍ୱରଙ୍କ ଇଚ୍ଛା ଅନୁଯାଇ କର୍ମ ନକଲେ ମଧ୍ୟ ସେମାନେ ସଠିକ୍ ରୂପେ ଉପାସନା କରୁଛନ୍ତି ବୋଲି ଭାବନ୍ତି । ସେମାନେ ଅଶୁଦ୍ଧ ମିଥ୍ୟା ଉପାସନାର ଭ୍ରାନ୍ତିରେ ପଡୁଥାଆନ୍ତି । ପରେ ଆମେ ଶୟତାନ ଓ ପିଶାଚମାନଙ୍କ ବିଷୟରେ ଅଧିକ ଶିଖିବା, କିନ୍ତୁ ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ଏହି ଶତ୍ରୁମାନେ ମାନବଜାତିର ଉପାସନାକୁ ଦୂଷିତ କରୁଛନ୍ତି ।
୧୦. ଯଦି କେହିଜଣେ ଜାଣିଶୁଣି ଆପଣଙ୍କ ଜଳ ଯୋଗାଣକୁ ବିଷାକ୍ତ କରିଦିଏ, ତେବେ ଆପଣ କʼଣ କରିବେ ଓ ପରମେଶ୍ୱରଙ୍କ ବାକ୍ୟର ଯଥାର୍ଥ ଜ୍ଞାନ ଆମକୁ କʼଣ କରିବା ପାଇଁ ସୁସଜ୍ଜିତ କରିବ ?
୧୦ କେହି ଜଣେ ଜାଣିଶୁଣି ଆପଣଙ୍କ ଜଳ ଯୋଗାଣରେ ବିଶାକ୍ତ ଜିନିଷ ଦେଇଥିବାର ଯଦି ଆପଣ ଜାଣନ୍ତି, ଆପଣ କʼଣ ସେଇଠାରୁ ଜଳ ପାନ କରିବେ ? ନିଶ୍ଚୟ, ବିଶୁଦ୍ଧ ଓ ନିରାପଦ ଜଳ ପାଇବା ପାଇଁ ଆପଣ ଅତିଶୀଘ୍ର ବ୍ୟବସ୍ଥା କରିବେ । ପରମେଶ୍ୱରଙ୍କ ବାକ୍ୟର ଯଥାର୍ଥ ଜ୍ଞାନ ଆମ୍ଭମାନଙ୍କୁ ସତ୍ୟ ଧର୍ମ ଚିହ୍ନବା ପାଇଁ ସମର୍ଥ କରିଥାଏ ଓ ପରମେଶ୍ୱରଙ୍କ ଅଗ୍ରହଣୀୟ ଦୂଷିତ ଉପାସନାକୁ ବର୍ଜନ କରିବା ପାଇଁ ଶିକ୍ଷା ଦିଏ ।
ଧର୍ମର ଉପଦେଶ ରୂପେ ମନୁଷ୍ୟଙ୍କ ବିଧି
୧୧. ଯିହୂଦୀମାନଙ୍କ ଉପାସନାରେ କʼଣ ତ୍ରୁଟି ଥିଲା ?
୧୧ ଯେତେବେଳେ ଯୀଶୁ ଏହି ପୃଥିବୀରେ ଥିଲେ, ଅନେକ ଯିହୂଦୀ ପରମେଶ୍ୱରଙ୍କ ଯଥାର୍ଥ ଜ୍ଞାନ ଅନୁସାରେ କାର୍ଯ୍ୟ କରୁ ନ ଥିଲେ । ସେଥିପାଇଁ ସେମାନେ ଯିହୋବାଙ୍କ ସମ୍ମୁଖରେ ଏକ ସ୍ପଷ୍ଟ ସ୍ଥିତି ବଜାୟ ରଖିବାର ସୁଯୋଗ ହରାଇ ବସିଲେ । ସେମାନଙ୍କ ସମ୍ବନ୍ଧରେ ପାଉଲ ଲେଖିଥିଲେ: “ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ ।” (ରୋମୀୟ ୧୦:୨) ପରମେଶ୍ୱରଙ୍କ ଉପଦେଶ ଶୁଣିବା ପରିବର୍ତ୍ତେ ସେମାନେ ତାଙ୍କୁ କିପରି ଉପାସନା କରିବାକୁ ହେବ, ତାହା ସ୍ୱୟଂ ନିର୍ଣ୍ଣୟ କଲେ ।
୧୨. ଇଶ୍ରାୟେଲୀୟମାନଙ୍କ ଉପାସନାକୁ କʼଣ କଳୁଷିତ କରିଥିଲା ଓ ଏହାର ପ୍ରତିଫଳ କʼଣ ହେଲା ?
୧୨ ଇଶ୍ରାୟେଲୀୟମାନେ ଆରମ୍ଭରୁ ପରମେଶ୍ୱର-ପ୍ରଦତ୍ତ ଶୁଦ୍ଧ ଧର୍ମର ଅଭ୍ୟାସ କରୁଥିଲେ, କିନ୍ତୁ ମନୁଷ୍ୟମାନଙ୍କ ଶିକ୍ଷା ଓ ଦର୍ଶନ ଦ୍ୱାରା ଏହା କ୍ରମଶ କଳୁଷିତ ହୋଇଗଲା । (ଯିରିମିୟ ୮:୮, ୯; ମଲାଖି ୨:୮, ୯; ଲୁକ ୧୧:୫୨) ଫାରୂଶୀ ନାମରେ ଖ୍ୟାତ ଯିହୂଦୀ ଧାର୍ମିକ ନେତାମାନେ ଯଦିଓ ଭାବୁଥିଲେ ଯେ ପରମେଶ୍ୱରଙ୍କୁ ତାଙ୍କ ଉପାସନା ସ୍ୱୀକାର୍ଯ୍ୟ, କିନ୍ତୁ ଯୀଶୁ ସେମାନଙ୍କୁ କହିଥିଲେ: “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ । ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି ।’”—ମାର୍କ ୭:୬, ୭.
୧୩. ଫାରୂଶୀମାନେ ଯେପରି କଲେ ଆମେ ତାହା କିପରି କରିପାରିବା ?
୧୩ ଫାରୂଶୀଙ୍କଭଳି କରିବା କʼଣ ଆମ ପକ୍ଷରେ ସମ୍ଭବ ହେବ ? ଯଦି ଉପାସନା ବିଷୟରେ ପରମେଶ୍ୱର ଯାହା କହିଛନ୍ତି ତାହାକୁ ଆମେ ନିରୀକ୍ଷଣ କରିବା ପରିବର୍ତ୍ତେ ବଂଶାନୁଗତ ଧାର୍ମିକ ପରମ୍ପରାକୁ ମାନି ଚାଲିବା, ତାହାହେଲେ ଏହା ହୋଇ ପାରିବ । ଏହି ବାସ୍ତବିକ ମହାବିପଦ ବିଷୟରେ ସତର୍କ କରିବାକୁ ଯାଇ ପାଉଲ ଲେଖିଥିଲେ: “ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଉତ୍ତରକାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୁତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ ।” (୧ ତୀମଥି ୪:୧) ତେଣୁ କେବଳ ମାତ୍ର ଏହା ଧରିନେବା ଯଥେଷ୍ଟ ନୁହେଁ ଯେ, ଆମ ଉପାସନା ପରମେଶ୍ୱରଙ୍କୁ ପ୍ରସନ୍ନ କରେ । ଯୀଶୁଙ୍କୁ ସାକ୍ଷାତ କରିଥିବା ସମରୀୟ ନାରୀଙ୍କ ପରି ଆମ ଉପାସନାର ଶୈଳୀ ହୁଏତ ଉତ୍ତରାଧିକାରୀରୂପେ ଆମ ମାତାପିତାଙ୍କଠାରୁ ପାଇଅଛୁ । କିନ୍ତୁ ଆମେ ନିଶ୍ଚିତ ହେବା ଆବଶ୍ୟକ ଯେ, ଆମେ ପରମେଶ୍ୱରଙ୍କ ସ୍ୱୀକାରଯୋଗ୍ୟ କାର୍ଯ୍ୟ କରୁଅଛୁ ।
ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରିବାଠାରୁ ଦୂରେଇ ରହନ୍ତୁ
୧୪, ୧୫. ଯଦିଓ ପରମେଶ୍ୱରଙ୍କ ଇଚ୍ଛା ବିଷୟରେ ଆମର କିଛି ଜ୍ଞାନ ଅଛି, ଆମେ କାହିଁକି ସତର୍କ ରିହବା ଆବଶ୍ୟକ ?
୧୪ ସତର୍କ ନହେଲେ, ଆମେ ପରମେଶ୍ୱରଙ୍କ ଅଗ୍ରହଣୀୟ କିଛି କାର୍ଯ୍ୟ କରିପାରୁ । ଉଦାହରଣସ୍ୱରୂପ ପ୍ରେରିତ ଯୋହନ, “ଉପାସନା କରିବା ନିମନ୍ତେ” ଜଣେ ସ୍ୱର୍ଗଦୂତଙ୍କ ପାଦ ତଳେ ପଡ଼ିଥିଲେ । କିନ୍ତୁ ସ୍ୱର୍ଗଦୂତ ସତର୍କ କରିଦେଲେ: “ସାବଧାନ ! ଏହା କର ନାହିଁ ! ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭ୍ରାତୃଗଣ, ସେମାନଙ୍କର ସହଦାସ; କେବଳ ଈଶ୍ୱରଙ୍କୁ ଉପାସନା କର ।” (ପ୍ରକାଶିତ ବାକ୍ୟ ୧୯:୧୦, NW) ସେଥିପାଇଁ ଆପଣଙ୍କ ଉପାସନା କୌଣସି ପ୍ରତିମାପୂଜା ଦ୍ୱାରା କଳୁଷିତ ହେଉଛି କି ନାହିଁ, ତାହା ଜାଣିବାର ଆବଶ୍ୟକତା ମନେକରୁଛନ୍ତି କି ?—୧ କରିନ୍ଥୀୟ ୧୦:୧୪.
୧୫ ଯେତେବେଳେ କେତେକ ଖ୍ରୀଷ୍ଟିୟାନମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରୁନଥିବା ଧାର୍ମିକ ପ୍ରଥାଗୁଡ଼ିକୁ ଅଭ୍ୟାସ କରିବା ଆରମ୍ଭ କଲେ, ସେତେବେଳେ ପାଉଲ ପଚାରିଲେ: “କିପରି ଆଉଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ିକ ପ୍ରତି ଫେରିଯାଇ ପୁନର୍ବାର ସେହିସବୁର ଦାସ ହେବାକୁ ଇଚ୍ଛା କରୁଅଛ ? ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ । ତୁମ୍ଭମାନଙ୍କ ନିମନ୍ତେ ମୁଁ ଯେଉଁ ପରିଶ୍ରମ କରିଅଛି, କାଳେ ତାହା ବ୍ୟର୍ଥ ହେବ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି ।” (ଗାଲାତୀୟ ୪:୮-୧୧) ସେହି ବ୍ୟକ୍ତିମାନେ ପରମେଶ୍ୱରଙ୍କ ଜ୍ଞାନକୁ ଲାଭ କରିଥିଲେ, କିନ୍ତୁ ପରେ ଯିହୋବାଙ୍କ ଅଗ୍ରହଣୀୟ ଧାର୍ମିକ ପ୍ରଥା ଓ ପବିତ୍ର ଦିବସଗୁଡ଼ିକୁ ପାଳନ କରିବା ଦ୍ୱାରା ପଥଭ୍ରଷ୍ଟ ହୋଇଗଲେ । ଯେପରି ପାଉଲ କହିଥିଲେ, “ପ୍ରଭୁଙ୍କର କଅଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର ।”—ଏଫିସୀୟ ୫:୧୦.
୧୬. ଯୋହନ ୧୭:୧୬ ଓ ୧ ପିତର ୪:୩ ଆମକୁ ଏହା ନିର୍ଣ୍ଣୟ କରିବାରେ କିପରି ସାହାଯ୍ୟ କରେ ଯେ ପବିତ୍ର ଦିବସ ଓ ପ୍ରଥାଗୁଡ଼ିକ ପରମେଶ୍ୱରଙ୍କୁ ପ୍ରସନ୍ନ କରେ ନାହିଁ ?
୧୬ ପରମେଶ୍ୱରଙ୍କ ନୀତି ଲଂଘନ କରୁଥିବା ଧାର୍ମିକ ପବିତ୍ର ଦିବସଗୁଡ଼ିକୁ ବା ଅନ୍ୟ ପ୍ରଥାଗୁଡ଼ିକ ପରିତ୍ୟାଗ କରିବା ପାଇଁ ଆମେ ନିଶ୍ଚିତ ହେବା ଆବଶ୍ୟକ । (୧ ଥେସଲନୀକୀୟ ୫:୨୧) ଦୃଷ୍ଟାନ୍ତ ସ୍ୱରୂପ, ଯୀଶୁ ତାଙ୍କ ଅନୁଗାମୀମାନଙ୍କ ବିଷୟରେ କହିଥିଲେ: “ମୁଁ ଯେପରି ସଂସାରର ନୁହେଁ, ସେମାନେ ମଧ୍ୟ ସେହିପରି ସଂସାରର ନୁହନ୍ତି ।” (ଯୋହନ ୧୭:୧୬) ଏହି ସଂସାରର ବିଷୟଗୁଡ଼ିକ ନିରପେକ୍ଷ ନୀତିକୁ ଲଂଘନ କରୁଥିବା ଏପରି ଉତ୍ସବ ଓ ପବିତ୍ର ଦିନସବୁ ଆପଣଙ୍କ ଧର୍ମରେ ଜଡ଼ିତ ଅଛି କି ? କିମ୍ବା ପ୍ରେରିତ ପିତରଙ୍କ ଦ୍ୱାରା ବର୍ଣ୍ଣିତ ସମାନ ଆଚରଣରେ ଜଡ଼ିତଥିବା ଆପଣଙ୍କ ଧର୍ମର ଅନୁଗାମୀମାନେ କେବେ କେବେ ପ୍ରଥା ଓ ଉତ୍ସବଗୁଡ଼ିକରେ ଅଂଶ ଗ୍ରହଣ କରନ୍ତି କି ? ସେ ଲେଖିଥିଲେ: “ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ ।”—୧ ପିତର ୪:୩.
୧୭. ସଂସାରର ଆତ୍ମାକୁ ପ୍ରତିଫଳିତ କରୁଥିବା ଯେକୌଣସି ଜିନିଷକୁ ଆମେ ପରିତ୍ୟାଗ କରିବା ଉଚିତ୍ କାହିଁକି ?
୧୭ ପ୍ରେରିତ ଯୋହନ ଆମ ଚତୁର୍ଦିଗସ୍ଥ ଏହି ଈଶ୍ୱରଭକ୍ତିହୀନ ସଂସାରର ଆତ୍ମାକୁ ପ୍ରତିବିମ୍ବିତ କରୁଥିବା ଯେକୌଣସି ଅଭ୍ୟାସକୁ ପରିତ୍ୟାଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯୋହନ ଲେଖିଥିଲେ: “ସଂସାର କିଅବା, ସେଥିରେ ଥିବା ବିଷୟସବୁକୁ ପ୍ରେମ ନ କର । କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ; କାରଣ—ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ—ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ । ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ ।” (୧ ଯୋହନ ୨:୧୫-୧୭) ଯେଉଁମାନେ ‘ପରମେଶ୍ୱରଙ୍କ ଇଚ୍ଛା ପାଳନ କରନ୍ତି’ ସେମାନେ ଚିରକାଳ ରହିବେ, ତାହା ଆପଣ ଲକ୍ଷ୍ୟ କଲେ କି ? ହଁ, ଯଦି ଆମେ ଏହି ସଂସାରର ଆତ୍ମାକୁ ପ୍ରତିବିମ୍ବିତ କରୁଥିବା କାର୍ଯ୍ୟକଳାପକୁ ପରିତ୍ୟାଗ କରି ପରମେଶ୍ୱରଙ୍କ ଇଚ୍ଛାସାଧନ କରିବା, ତେବେ ଆମ ପାଇଁ ଅନନ୍ତ ଜୀବନର ଆଶା ରହିପାରେ ।
ପରମେଶ୍ୱରଙ୍କ ଉଚ୍ଚମାନଗୁଡ଼ିକୁ ପାଳନ କରନ୍ତୁ
୧୮. ଆଚରଣ ବିଷୟରେ କରନ୍ଥୀୟମାନେ କିପରି ଭ୍ରାନ୍ତ ହେଲେ ଓ ଆମେ ଏଥିରୁ କʼଣ ଶିକ୍ଷା ପାଇବା ଉଚିତ୍ ?
୧୮ ପରମେଶ୍ୱରଙ୍କ ଉଚ୍ଚ ନୈତିକ ମାନ ଅନୁଯାୟୀ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ପରମେଶ୍ୱର ନିଜ ଉପାସକ ଭାବରେ ସେହିପରି ଲୋକମାନଙ୍କୁ ଚାହାନ୍ତି । ପରମେଶ୍ୱର ଅନୈତିକ ଆଚରଣକୁ ସହ୍ୟ କରିନେବେ, ଏହା ପ୍ରାଚୀନ କରନ୍ଥୀର କେତେକ ଲୋକଙ୍କ ଭୁଲ ଧାରଣା ଥିଲା । ୧ କରନ୍ଥୀୟ ୬:୯, ୧୦ ପଦ ପଢ଼ିବା ଦ୍ୱାରା ଆମେ ଦେଖିପାରିବା ଯେ ସେମାନେ କେତେ ଭୁଲ ପଥରେ ଥିଲେ । ଯଦି ଆମେ ପରମେଶ୍ୱରଙ୍କ ଗ୍ରହଣଯୋଗ୍ୟ ଉପାସନା କରିବା, ତେବେ ଆମେ କଥା ଓ କର୍ମ ଉଭୟରେ ତାଙ୍କୁ ପ୍ରସନ୍ନ କରିବା ଉଚିତ୍ । ଆପଣଙ୍କ ଉପାସନା ଶୈଳୀ କʼଣ ଆପଣଙ୍କୁ ତାହା କରିବାରେ ସମର୍ଥ କରୁଛି ?—ମାଥିଉ ୧୫:୮; ୨୩:୧-୩.
୧୯. ଅନ୍ୟମାନଙ୍କୁ ସୁଧାରିବା ପାଇଁ ସତ୍ୟ ଉପାସନା କିପରି ଆମକୁ ପ୍ରଭାବିତ କରିଥାଏ ?
୧୯ ଅନ୍ୟ ଲୋକମାନଙ୍କ ସହିତ ଆମ ବ୍ୟବହାର ମଧ୍ୟ ପରମେଶ୍ୱରଙ୍କ ମାନ ଅନୁଯାଇ ହେବା ଉଚିତ୍ । ଆମେ ଅନ୍ୟମାନଙ୍କଠାରୁ ଯେପରି ବ୍ୟବହାର ଚାହୁଁ, ଅନ୍ୟମାନଙ୍କୁ ମଧ୍ୟ ଠିକ୍ ସେହିପରି ବ୍ୟବହାର କରିବା ପାଇଁ ଯୀଶୁ ଖ୍ରୀଷ୍ଟ ଉତ୍ସାହିତ କରିଥିଲେ, କାରଣ ଏହା ସତ୍ୟ ଉପାସନାର ଏକ ଅଂଶ ଅଟେ । (ମାଥିଉ ୭:୧୨) ଭ୍ରାତୃଭାବ ଦେଖାଇବା ବିଷୟରେ ମଧ୍ୟ ସେ ଯାହା କହିଥିଲେ, ସେଥିପ୍ରତି ଦୃଷ୍ଟି ଦିୟନ୍ତୁ: “ଯଦି ତୁମ୍ଭମାନଙ୍କର ପରସ୍ପରପ୍ରତି ପ୍ରେମ ଥାଏ, ତାହା ହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ୱାରା ଜ୍ଞାତ ହେବେ ।” (ଯୋହନ ୧୩:୩୫) ଯୀଶୁଙ୍କ ଶିଷ୍ୟମାନେ ପରସ୍ପର ପ୍ରତି ପ୍ରେମ କରିବା ଉଚିତ୍ ଏବଂ ସହଉପାସକ ଓ ଅନ୍ୟମାନଙ୍କ ପ୍ରତି ଯାହା ଉତ୍ତମ ତାହା କରିବା ଉଚିତ୍ ।—ଗାଲାତୀୟ ୬:୧୦.
ସଂପୂର୍ଣ୍ଣ ଆନ୍ତରିକ ଉପାସନା
୨୦, ୨୧. (କ) କେଉଁ ପ୍ରକାରର ଉପାସନା ପରମେଶ୍ୱର ଆବଶ୍ୟକ କରନ୍ତି ? (ଖ) ମଲାଖିଙ୍କ ସମୟରେ ଇଶ୍ରାୟେଲୀୟମାନଙ୍କ ଉପାସନାକୁ ଯିହୋବା କାହିଁକି ପ୍ରତ୍ୟାଖ୍ୟାନ କଲେ ?
୨୦ ଆପଣ ହୁଏତ ଆପଣଙ୍କ ହୃଦୟରେ ପରମେଶ୍ୱରଙ୍କ ଗ୍ରହଣଯୋଗ୍ୟ ଉପାସନା କରିବା ପାଇଁ ଚାହାନ୍ତି । ଯଦି ଏହା ସତ, ତେବେ ଆପଣ ଯିହୋବାଙ୍କ ଦୃଷ୍ଟିକୋଣ ଅନୁସାରେ ଉପାସନା କରିବା ଉଚିତ୍ । ଆମର ନୁହେଁ, ବରଂ ପରମେଶ୍ୱରଙ୍କ ଦୃଷ୍ଟିକୋଣ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଷ୍ୟ ଯାକୁବ ଗୁରୁତ୍ୱାରୋପ କରିଥିଲେ । ଯାକୁବ କହିଲେ: “ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି ସଂସାରରୁ ଆପଣାକୁ ନିଷ୍କଳଙ୍କରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ।” (ଯାକୁବ ୧:୨୭) ପରମେଶ୍ୱରଙ୍କୁ ପ୍ରସନ୍ନ କରିବା ଇଚ୍ଛା ସହିତ ଆମେ ପ୍ରତ୍ୟେକେ ଆମ ଉପାସନାକୁ ପରୀକ୍ଷା କରି ନିଶ୍ଚିତ ହେବା ଯେ, ଆମର ଉପାସନା ଈଶ୍ୱରଭକ୍ତିହୀନ ଅଭ୍ୟାସ ଦ୍ୱାରା କଳୁଷିତ ହୋଇ ନାହିଁ କିମ୍ବା ସେ ଯାହା ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି, ସେଥିରୁ ଆମେ କିଛି ହେଲେ ଛାଡ଼ିଯାଇ ନାହୁଁ ।—ଯାକୁବ ୧:୨୬.
୨୧ କେବଳ ସ୍ୱଚ୍ଛ ଓ ସଂପୂର୍ଣ୍ଣ ଆତ୍ମିକ ଉପାସନା ଯିହୋବାଙ୍କୁ ପ୍ରସନ୍ନ କରିଥାଏ । (ମାଥିଉ ୨୨:୩୭; କଲସୀୟ ୩:୨୩) ଯେତେବେଳେ ଇଶ୍ରାୟେଲ ରାଷ୍ଟ୍ର ପରମେଶ୍ୱରଙ୍କୁ ତାହା ଅପେକ୍ଷା କମ୍ ଦେଲେ, ସେ କହିଲେ: “ପୁତ୍ର ଆପଣା ପିତାକୁ ଓ ଦାସ ଆପଣା ମୁନିବକୁ ସମାଦର କରେ; ମାତ୍ର ଆମ୍ଭେ ଯେବେ ପିତା ଅଟୁ, ତେବେ ଆମ୍ଭ ସମାଦର କାହିଁ ? ଓ ଆମ୍ଭେ ଯେବେ ମୁନିବ ଅଟୁ, ତେବେ ଆମ୍ଭ ପ୍ରତି ଭୟ କାହିଁ ?” ଅନ୍ଧ, ବିକଳାଙ୍ଗ ଓ ରୁଗ୍ଣ ପଶୁବଳି ଦେଇ ସେମାନେ ପରମେଶ୍ୱରଙ୍କୁ ଅସନ୍ତୁଷ୍ଟ କରିଥିଲେ ଓ ସେ ଏପରି ଉପାସନା ରୀତିକୁ ଅସ୍ୱୀକାର କରିଦେଲେ । (ମଲାଖି ୧:୬-୮) ଯିହୋବା ସଂପୂର୍ଣ୍ଣ ଶୁଦ୍ଧ ଉପାସନାର ଯୋଗ୍ୟ ଅଟନ୍ତି ଓ କେବଳ ଏକାଗ୍ର ଭକ୍ତି ଗ୍ରହଣ କରନ୍ତି ।—ଯାତ୍ରାପୁସ୍ତକ ୨୦:୫; ହିତୋପଦେଶ ୩:୯; ପ୍ରକାଶିତ ବାକ୍ୟ ୪:୧୧.
୨୨. ପରମେଶ୍ୱର ଆମ ଉପାସନା ଗ୍ରହଣ କରନ୍ତୁ ବୋଲି ଯଦି ଆମେ ଚାହିଁବା ତେବେ ଆମେ କʼଣ ପରିତ୍ୟାଗ କରିବା ଓ କʼଣ ସାଧନ କରିବା ?
୨୨ ଯେଉଁ ସମରୀୟ ନାରୀ ଯୀଶୁଙ୍କ ସହିତ କଥାଭାଷା କରିଥିଲେ, ତାଙ୍କର ଐଶ୍ୱରିକ ଅନୁମୋଦିତ ନିୟମ ଅନୁସାରେ ପରମେଶ୍ୱରଙ୍କୁ ଉପାସନା କରିବାର ଆଗ୍ରହ ଥିଲା । ଯଦି ଆମମାନଙ୍କର ସେହି ଇଚ୍ଛା ଥାଏ, ଆମେ ସମସ୍ତ କଳୁଷିତ ଶିକ୍ଷା ଓ ଅଭ୍ୟାସଗୁଡ଼ିକୁ ପରିତ୍ୟାଗ କରିବା । (୨ କରନ୍ଥୀୟ ୬:୧୪-୧୮) ଏହାବ୍ୟତୀତ ଆମେ ପରମେଶ୍ୱରଙ୍କ ଯଥାର୍ଥ ଜ୍ଞାନ ପାଇବାରେ ଓ ତାଙ୍କ ଇଚ୍ଛା ସାଧନ କରିବାରେ ନିଜକୁ ପ୍ରୟୋଗ କରିବା । ଗ୍ରହଣଯୋଗ୍ୟ ଉପାସନା ପାଇଁ ଆମେ ତାଙ୍କ ଆବଶ୍ୟକଗୁଡ଼ିକ ସଙ୍ଗେ ଘନିଷ୍ଟ ହୋଇ ରହିବା । (୧ ତୀମଥି ୨:୩, ୪) ଯିହୋବାଙ୍କ ସାକ୍ଷୀମାନେ ଠିକ୍ ତାହାହିଁ କରିବାକୁ ଚେଷ୍ଟା କରୁଛନ୍ତି ଓ ସେମାନେ ଘନିଷ୍ଟ ଭାବରେ ତାଙ୍କ ସହିତ ପରମେଶ୍ୱରଙ୍କୁ “ଆତ୍ମାରେ ଓ ସତ୍ୟରେ” ଉପାସନା କରିବା ପାଇଁ ଆପଣଙ୍କୁ ଆହ୍ୱାନ କରନ୍ତି । (ଯୋହନ ୪:୨୪) ଯୀଶୁ କହିଥିଲେ: “ପିତା ଏହି ପ୍ରକାର ଉପାସକ ଚାହାନ୍ତି ।” (ଯୋହନ ୪:୨୩) ଆପଣ ଏପରି ଜଣେ ବ୍ୟକ୍ତି ବୋଲି ଆଶା କରାଯାଏ । ସେହି ସମରୀୟ ନାରୀ ପରି ନିସନ୍ଦେହରେ ଆପଣ ଅନନ୍ତ ଜୀବନ ପାଇବାକୁ ଚାହିଁବେ । (ଯୋହନ ୪:୧୩-୧୫) କିନ୍ତୁ ଆପଣ ଦେଖନ୍ତୁ, ଲୋକମାନେ ବୃଦ୍ଧ ହୋଇ ମୃତ୍ୟୁ ବରଣ କରନ୍ତି । ଏହା କାହିଁକି ହୁଏ, ପରବର୍ତ୍ତୀ ଅଧ୍ୟାୟ ଆଲୋଚନା କରିଥାଏ ।
ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ
ଯେପରି ଯୋହନ ୪:୨୩, ୨୪ ପଦରେ ଦର୍ଶାଯାଇଛି, ପରମେଶ୍ୱର କେଉଁ ପ୍ରକାର ଉପାସନା ଗ୍ରହଣ କରନ୍ତି ?
ପରମେଶ୍ୱର ଏପରି ନିର୍ଦ୍ଧିଷ୍ଟ ପ୍ରଥା ଓ ଉତ୍ସବ ଦ୍ୱାରା ପ୍ରସନ୍ନ ହୁଅନ୍ତି କି ନାହିଁ, ତାହା ଆମେ କିପରି ନିର୍ଣ୍ଣୟ କରିବା ?
ଗ୍ରହଣଯୋଗ୍ୟ ଉପାସନା ପାଇଁ କେତେକ ଆବଶ୍ୟକତା କʼଣ ?
[ଅଧ୍ୟୟନ ପ୍ରଶ୍ନ]
[୪୪ ପୃଷ୍ଠାରେ ପୂରା-ପୃଷ୍ଠା ଚିତ୍ର]