ପାଠ ୪୩
ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
ମଦ ପିଇବା ବିଷୟରେ ସାରା ଦୁନିଆର ଲୋକମାନେ ଅଲଗା ଅଲଗା କଥା କହନ୍ତି । କିଛି ଲୋକଙ୍କୁ ଲାଗେ ଯେ ବେଳେ ବେଳେ ନିଜ ସାଙ୍ଗସାଥୀମାନଙ୍କ ସହ ପିଇବା କିଛି ଖରାପ ନୁହେଁ, କିନ୍ତୁ ଆଉ କିଛି ଲୋକଙ୍କୁ ଲାଗେ ଯେ ମଦ ପିଇବା ବିଲକୁଲ୍ ଠିକ୍ ନୁହେଁ । ଆଉ କିଛି ଲୋକ ପୂରା ନିଶାରେ ବୁଡ଼ିବା ପର୍ଯ୍ୟନ୍ତ ମଦ ପିଅନ୍ତି । କିନ୍ତୁ ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
୧. କʼଣ ମଦ ପିଇବା ଭୁଲ ଅଟେ ?
ବାଇବଲ ମଦ ପିଇବାକୁ ଭୁଲ ବୋଲି କହେନି । ପ୍ରକୃତରେ ଦ୍ରାକ୍ଷାରସ ସେହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ, ଯାହା ଯିହୋବା ମଣିଷମାନଙ୍କର ଖୁସି ପାଇଁ ଦେଇଛନ୍ତି । ତେଣୁ ବାଇବଲରେ ଲେଖାଅଛି, “ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ ।” ଅର୍ଥାତ୍ ଦ୍ରାକ୍ଷାରସ ମନୁଷ୍ୟର ମନକୁ ଖୁସି ଦିଏ । (ଗୀତସଂହିତା ୧୦୪:୧୪, ୧୫) ବାଇବଲରେ ଯେଉଁ ବିଶ୍ୱସ୍ତ ପୁରୁଷ ଓ ସ୍ତ୍ରୀମାନଙ୍କ ବିଷୟରେ କୁହାଯାଇଛି, ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ମଧ୍ୟ ଦ୍ରାକ୍ଷାରସ ପିଉଥିଲେ ।—୧ ତୀମଥି ୫:୨୩.
୨. ମଦ ପିଇବା ବିଷୟରେ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ?
ବାଇବଲରେ ଲେଖାଅଛି, ‘ଦ୍ରାକ୍ଷାରସରେ ଆସକ୍ତ ଲୋକମାନଙ୍କ ଭଳି ହୁଅ ନାହିଁ ।’ (ହିତୋପଦେଶ ୨୩:୨୦) ଅତ୍ୟଧିକ ମଦ ପିଇବା କିମ୍ବା ମଦ ପିଇ ନିଶାରେ ବୁଡ଼ିଯିବା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । (ଗାଲାତୀୟ ୫:୨୧) ତେଣୁ ଆମେ ଏତେ ପିଇବା କଥା ନୁହେଁ ଯେ ଆମେ ଜାଣିପାରିବାନି, ଭୁଲ କʼଣ ଠିକ୍ କʼଣ, କʼଣ କହୁଛୁ ଓ କʼଣ କରୁଛୁ କିମ୍ବା ତାʼଯୋଗୁଁ ଆମ ଦେହ ଖରାପ ହୋଇଯିବ । ଯେତେବେଳେ ଆମେ ଏକୁଟିଆ ଥାଉ, ସେତେବେଳେ ମଧ୍ୟ ଆମକୁ ଏକଥା ପ୍ରତି ଧ୍ୟାନ ଦେବା ଜରୁରୀ । ଯଦି ଆମେ ନିଜ ଉପରେ ନିୟନ୍ତ୍ରଣ ରଖିପାରୁନୁ, ତାହେଲେ ମଦ ପିଇବା ପୂରାପୂରି ଛାଡ଼ିଦେବା ଭଲ ହେବ ।
୩. ମଦ ପିଇବା ମାମଲାରେ ଆମେ ଅନ୍ୟମାନଙ୍କର ନିଷ୍ପତ୍ତିଗୁଡ଼ିକୁ କିପରି ଆଦର କରିପାରିବା ?
ଜଣେ ବ୍ୟକ୍ତି ମଦ ପିଇବ ନା ନାହିଁ, ଏହାର ନିଷ୍ପତ୍ତି ତାକୁ ନିଜେ ନେବାକୁ ପଡ଼ିବ । ଯଦି କେହି ନିଜ ସୀମାରେ ରହି ମଦ ପିଏ, ତାହେଲେ ତାକୁ ଆମେ ଭୁଲ କହିବାନି । ଯଦି କେହି ପିଇବାକୁ ଚାହେଁନି, ତାହେଲେ ଆମେ ତାକୁ ପିଇବା ପାଇଁ ବାଧ୍ୟ କରିବାନି । (ରୋମୀୟ ୧୪:୧୦) ଯଦି ଆମେ ମଦ ପିଇଲେ କାହାରିକୁ ଭଲ ଲାଗେନି, ତାହେଲେ ଆମେ ତାʼର ଭାବନାକୁ ଧ୍ୟାନରେ ରଖିବା ଓ ପିଇବାନି । (ରୋମୀୟ ୧୪:୨୧ ପଢ଼ନ୍ତୁ ।) ଯେପରି ବାଇବଲରେ ଲେଖାଅଛି, ଆମେ “ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।”—୧ କରିନ୍ଥୀୟ ୧୦:୨୩, ୨୪ ପଢ଼ନ୍ତୁ ।
ଭାବନ୍ତୁ ଓ ଶିଖନ୍ତୁ
ଏବେ ଆମେ କିଛି ବାଇବଲ ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା । ଏଗୁଡ଼ିକ ସାହାଯ୍ୟରେ ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ ମଦ ପିଇବା ନା ନାହିଁ । ଯଦି ଆମେ ପିଇବା ପାଇଁ ନିଷ୍ପତ୍ତି ନେଉଛୁ, ତାହେଲେ କେତେ ପିଇବା ଉଚିତ୍ । ଆମେ ଏହା ମଧ୍ୟ ଜାଣିବା ଯେ ଯଦି ଆମକୁ ପିଇବାର ଖରାପ ଅଭ୍ୟାସ ଅଛି, ତାହେଲେ ଆମେ ଏହି ଅଭ୍ୟାସକୁ କିପରି ଛାଡ଼ିପାରିବା ।
୪. ମଦ ପିଇବା ନା ପିଇବାନି, ଏହି ନିଷ୍ପତ୍ତି କିପରି ନେବା ?
ଯୀଶୁ ମଦ ପିଇବା ବିଷୟରେ କʼଣ ଭାବୁଥିଲେ ? ଏହା ତାଙ୍କ ପ୍ରଥମ ଚମତ୍କାରରୁ ଜଣାପଡ଼େ । ଯୋହନ ୨:୧-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ମଦ ଓ ମଦ ପିଉଥିବା ଲୋକମାନଙ୍କ ବିଷୟରେ ଯୀଶୁ କʼଣ ଭାବୁଥିଲେ ?
-
ଯୀଶୁ ମଦ ପିଇବାକୁ ଭୁଲ ବୋଲି କହିଲେ ନାହିଁ । ତାହେଲେ ଜଣେ ଖ୍ରୀଷ୍ଟିୟାନକୁ ସେହି ବ୍ୟକ୍ତି ବିଷୟରେ କʼଣ ଭାବିବା ଉଚିତ୍ ଯିଏ ମଦ ପିଇବା ପାଇଁ ନିଷ୍ପତ୍ତି ନିଏ ?
ଜଣେ ଖ୍ରୀଷ୍ଟିୟାନ ମଦ ପିଇପାରେ, କିନ୍ତୁ କʼଣ ଏହାର ଅର୍ଥ ସେ ଯେତେବେଳେ ଇଚ୍ଛା ସେତେବେଳେ ମଦ ପିଇବ ? ହିତୋପଦେଶ ୨୨:୩ ପଢ଼ନ୍ତୁ, ତାʼପରେ ଧ୍ୟାନ ଦିଅନ୍ତୁ ଯେ କʼଣ ଆପଣ ଆଗକୁ ଦିଆଯାଇଥିବା ପରିସ୍ଥିତିରେ ମଦ ପିଇବେ:
-
ଆପଣଙ୍କୁ ଗାଡ଼ି ଚଳାଇବାର ଅଛି କିମ୍ବା କୌଣସି ମେସିନ୍ରେ କାମ କରିବାର ଅଛି ।
-
ଆପଣ ଗର୍ଭବତୀ ଅଛନ୍ତି ।
-
ଡାକ୍ତର ଆପଣଙ୍କୁ ମଦ ପିଇବା ପାଇଁ ମନା କରିଛନ୍ତି ।
-
ଆପଣ ଥରେ ପିଇବା ଆରମ୍ଭ କଲେ ନିଜକୁ ରୋକିପାରନ୍ତି ନାହିଁ ।
-
ଆପଣ ଯେଉଁଠାରେ ରହନ୍ତି, ସେଠାର ଆଇନ ମଦ ପିଇବାକୁ ଅନୁମତି ଦିଏ ନାହିଁ ।
-
ଆପଣଙ୍କ ସାଙ୍ଗରେ କୌଣସି ଏପରି ବ୍ୟକ୍ତି ଅଛନ୍ତି, ଯିଏ ବହୁତ କଷ୍ଟରେ ମଦ ପିଇବାର ଅଭ୍ୟାସକୁ ଛାଡ଼ିଛନ୍ତି ।
କʼଣ ଆପଣଙ୍କୁ ବିବାହର ଭୋଜିରେ କିମ୍ବା ଅନ୍ୟ କୌଣସି ଭୋଜିରେ ମଦ ରଖିବା ଉଚିତ୍ ? ଏହି ନିଷ୍ପତ୍ତି ନେବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିବ ? ଭିଡିଓ ଦେଖନ୍ତୁ ।
ରୋମୀୟ ୧୩:୧୩ ଓ ୧ କରିନ୍ଥୀୟ ୧୦:୩୧, ୩୨ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ଏହି ସିଦ୍ଧାନ୍ତ କିପରି ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିପାରେ ?
୫. ଆପଣ କେତେ ପିଇବେ, ତାହା ଆଗରୁ ଭାବନ୍ତୁ
ମନେ ରଖନ୍ତୁ ଯିହୋବା ମଦ ପିଇବାକୁ ଭୁଲ ବୋଲି କହନ୍ତି ନାହିଁ, କିନ୍ତୁ ବହୁତ ବେଶି ମଦ ପିଇବାକୁ ଭୁଲ ବୋଲି କହନ୍ତି । ଏପରି କାହିଁକି ? ହୋଶେୟ ୪:୧୧, ୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ବହୁତ ବେଶି ମଦ ପିଇଲେ କʼଣ ହୋଇପାରେ ?
ଆମେ ବହୁତ ବେଶି ମଦ ନ ପିଇବା ପାଇଁ କʼଣ କରିବା ଉଚିତ୍ ? ଆମେ ନିଜ ମର୍ଯ୍ୟାଦାରେ ରହିବା ଉଚିତ୍ ଅର୍ଥାତ୍ ନିଜ ସୀମା ଜାଣିବା ଉଚିତ୍ । ହିତୋପଦେଶ ୧୧:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ପିଇବା ମାମଲାରେ ଏକ ସୀମା ରଖିବା କାହିଁକି ଭଲ ହେବ ?
୬. ମଦ ପିଇବାର ଅଭ୍ୟାସକୁ କିପରି ଛାଡ଼ିବା ?
ଜଣେ ବ୍ୟକ୍ତି ବହୁତ ମଦ ପିଉଥିଲା । ଧ୍ୟାନ ଦିଅନ୍ତୁ ଯେ ସେ ଏହି ଅଭ୍ୟାସ କିପରି ଛାଡ଼ିପାରିଲା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
-
ମଦ ପିଇବା ପରେ ଦିମିତ୍ରୀ କିପରି ହୋଇଯାଉଥିଲା ?
-
କʼଣ ତାʼ ପାଇଁ ମଦ ଛାଡ଼ିବା ସହଜ ଥିଲା ?
-
ଶେଷରେ ସେ ନିଜ ଅଭ୍ୟାସ କିପରି ଛାଡ଼ିପାରିଲା ?
୧ କରିନ୍ଥୀୟ ୬:୧୦, ୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ଯିହୋବାଙ୍କ ଦୃଷ୍ଟିରେ ମତୁଆଳ ବା ଅତ୍ୟଧିକ ମଦ ପିଇବା କେତେ ଗମ୍ଭୀର କଥା ଅଟେ ?
-
କେଉଁ କଥାରୁ ଜଣାପଡ଼େ ଯେ ଯାହାକୁ ଅତ୍ୟଧିକ ମଦ ପିଇବାର ଅଭ୍ୟାସ ଅଛି, ସେ ବି ଏହା ଛାଡ଼ିପାରେ ?
ମାଥିଉ ୫:୩୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ଏଠାରେ ହାତକୁ କାଟି ଫୋପାଡ଼ି ଦେବାର ଅର୍ଥ ହେଉଛି, ଯିହୋବାଙ୍କୁ ଖୁସି କରିବା ପାଇଁ ହୁଏତ ଆମକୁ କିଛି ତ୍ୟାଗ କରିବାକୁ ପଡ଼ିବ । ଯଦି ଆପଣ ମଦ ପିଇବାର ଅଭ୍ୟାସ ଛାଡ଼ିପାରୁ ନାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? a
୧ କରିନ୍ଥୀୟ ୧୫:୩୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
ଯଦି ଆପଣ ଏପରି ଲୋକମାନଙ୍କ ସହ ସାଙ୍ଗ ହେଉଛନ୍ତି, ଯେଉଁମାନେ ଅତ୍ୟଧିକ ମଦ ପିଅନ୍ତି, ତାହେଲେ ଏହାର ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?
ହୁଏତ କେହି ପଚାରିପାରନ୍ତି: “କʼଣ ମଦ ପିଇବା ଭୁଲ ?”
-
ଆପଣ କʼଣ ଉତ୍ତର ଦେବେ ?
ଆମେ କʼଣ ଶିଖିଲୁ ?
ମଦ ସେହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ, ଯାହା ଯିହୋବା ମଣିଷମାନଙ୍କର ଖୁସି ପାଇଁ ଦେଇଛନ୍ତି । କିନ୍ତୁ ବହୁତ ବେଶି ମଦ ପିଇବା କିମ୍ବା ଅତ୍ୟଧିକ ପିଇ ନିଶାରେ ବୁଡ଼ିବା ତାଙ୍କ ଦୃଷ୍ଟିରେ ଭୁଲ ଅଟେ ।
ଆପଣ କʼଣ କହିବେ ?
-
ମଦ ପିଇବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
-
ବହୁତ ବେଶି ମଦ ପିଇଲେ କʼଣ ହୋଇପାରେ ?
-
ମଦ ପିଇବା ମାମଲାରେ ଆମେ ଅନ୍ୟମାନଙ୍କର ନିଷ୍ପତ୍ତିକୁ କିପରି ଆଦର କରିପାରିବା ?
ଅଧିକ ଜାଣନ୍ତୁ
ଯୁବାମାନେ ମଦ ପିଇବା ବିଷୟରେ ସଠିକ୍ ନିଷ୍ପତ୍ତି କିପରି ନେଇପାରିବେ ?
ମଦ ପିଇବାର ଅଭ୍ୟାସକୁ ଛାଡ଼ିବା ପାଇଁ ଆପଣ କେଉଁ କେଉଁ ପଦକ୍ଷେପ ନେଇପାରିବେ ? ଆସନ୍ତୁ ଜାଣିବା ।
ଲୋକମାନେ ପିଇବା ଆଗରୁ ଚିୟର୍ସ କରନ୍ତି । କʼଣ ଖ୍ରୀଷ୍ଟିୟାନମାନଙ୍କୁ ଏପରି କରିବା ଉଚିତ୍ ?
“ମୁଁ ଯେତେ ପିଇଲେ ବି ମୋ ମନ ଭରୁ ନ ଥିଲା,” ଏହି କାହାଣୀରେ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ପଢ଼ନ୍ତୁ, ଯିଏ ଯେତେ ପିଇଲେ ବି ଥକୁ ନ ଥିଲେ, କିନ୍ତୁ ପରେ ସେ ପିଇବା ଛାଡ଼ିଦେଲେ ।
a ଯେଉଁମାନଙ୍କୁ ମଦ ପିଇବାର ଅଭ୍ୟାସ ଅଛି, ସେମାନଙ୍କୁ ହୁଏତ ଏହା ଛାଡ଼ିବା ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିପାରେ । ଅନେକ ଡାକ୍ତର କହନ୍ତି ଯେ ଯେଉଁ ଲୋକ ମଦ ପିଇବାର ଅଭ୍ୟାସ ଛାଡ଼ି ସାରିଛି, ତାକୁ ଆଗକୁ ମଧ୍ୟ ବିଲକୁଲ୍ ମଦ ପିଇବା ଉଚିତ୍ ନୁହେଁ ।