इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୬

ଆୟୁବ ନିଜ ସଚ୍ଚୋଟତା ବଜାୟ ରଖିଲେ

ଆୟୁବ ନିଜ ସଚ୍ଚୋଟତା ବଜାୟ ରଖିଲେ

ଶୟତାନ ଈଶ୍ୱରଙ୍କ ପାଖରେ ଆୟୁବଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ଥିଲା, କିନ୍ତୁ ଆୟୁବ ଯିହୋବାଙ୍କଠାରେ ନିଜ ବିଶ୍ୱସ୍ତତା ବଜାୟ ରଖିଲେ

ଯଦି କୌଣସି ମନୁଷ୍ୟକୁ ଅସହ୍ୟ ପରୀକ୍ଷା କରାଯାଏ ଓ ଈଶ୍ୱରଙ୍କ ଆଜ୍ଞାକାରିତାର ପ୍ରତିଫଳ କିଛି ନ ମିଳେ, ତାʼସତ୍ତ୍ୱେ ସେ, କʼଣ ଈଶ୍ୱରଙ୍କଠାରେ ନିଜ ବିଶ୍ୱସ୍ତତାକୁ ବଜାଇ ରଖିପାରିବ କି ? ଆୟୁବ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ ଏହି ପ୍ରଶ୍ନ ଉଠିଥିଲା ଏବଂ ଏହାର ଉତ୍ତର ମଧ୍ୟ ଦିଆଯାଇଥିଲା ।

ଇସ୍ରାଏଲ ଯେତେବେଳେ ମିସରରେ ରହିଥିଲେ, ସେହି ସମୟରେ ଅବ୍ରହାମଙ୍କ ଜଣେ ଆତ୍ମୀୟ ଆୟୁବ ନାମକ ଜଣେ ବ୍ୟକ୍ତି, ଆଜି ଯାହାକୁ ଆରବ କୁହାଯାଏ ସେଠାରେ ବାସ କରୁଥିଲେ । ଏହି ସମୟରେ ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ନିକଟରେ ଏକତ୍ରୀତ ହୋଇଥିଲେ ଏବଂ ବିଦ୍ରୋହୀ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ସ୍ୱର୍ଗୀୟ ସମାବେଶରେ ଯିହୋବା ତାହାଙ୍କର ବିଶ୍ୱସ୍ତ ଦାସ ଆୟୁବଙ୍କ ଉପରେ ନିଜର ଆସ୍ଥା ପ୍ରକାଶ କରିଥିଲେ । ସେହି ସମୟରେ ଯିହୋବା ଏହା ମଧ୍ୟ କହିଥିଲେ ଯେ ପୃଥିବୀରେ ଆୟୁବଙ୍କ ପରି ସଚ୍ଚୋଟ ବ୍ୟକ୍ତି ଆଉ କେହି ନାହାନ୍ତି । କିନ୍ତୁ ଶୟତାନ ଦାବିକରି କହିଥିଲା ଯେ, ଆୟୁବ କେବଳ ଏଥିପାଇଁ ଈଶ୍ୱରଙ୍କୁ ସେବା କରେ, ଯେହେତୁ ଈଶ୍ୱର ତାହାଙ୍କୁ ଆଶୀର୍ବାଦ ଦେବା ସହ ସୁରକ୍ଷା ମଧ୍ୟ ଦେଇଛନ୍ତି । ଶୟତାନ ଏହା ମଧ୍ୟ କହିଥିଲା ଯେ, ଯଦି ଆୟୁବଙ୍କଠାରୁ ସବୁକିଛି ଛଡ଼େଇ ନିଆଯାଏ ତେବେ ସେ ଈଶ୍ୱରଙ୍କୁ ପରିତ୍ୟାଗ କରିବ ।

ପ୍ରଥମେ ଈଶ୍ୱର ଶୟତାନକୁ ଆୟୁବଙ୍କ ଧନସମ୍ପତି, ସନ୍ତାନସନ୍ତତି ଏବଂ ତାʼପରେ ତାହାଙ୍କ ଶରୀର ଉପରେ ବିପଦ ଆଣିବାକୁ ଅନୁମତି ଦେଲେ । ଆୟୁବ କୌଣସି ପ୍ରକାରେ ଜାଣିପାରି ନ ଥିଲେ ଯେ ଏହି ବିପଦ ପଛରେ ଶୟତାନର ହାତ ରହିଛି, ସେ ଏହା ମଧ୍ୟ ଜାଣି ପାରୁନଥିଲେ ଯେ ଈଶ୍ୱର କାହିଁକି ଏହି ବିପଦ ତାʼଙ୍କ ଉପରେ ଆସିବାକୁ ଅନୁମତି ଦେଇଛନ୍ତି । ତଥାପି, ଆୟୁବ ଈଶ୍ୱରଙ୍କୁ ପରିତ୍ୟାଗ କରି ନ ଥିଲେ ।

ଆୟୁବଙ୍କ ନିକଟକୁ ତିନି ଜଣ ବନ୍ଧୁ ଆସିଲେ । ବାଇବଲର ଆୟୁବ ନାମକ ଏକ ପୁସ୍ତକରେ ଏପରି ଗୋଟିଏ ପରେ ଗୋଟିଏ ବିଷୟର ଘଟଣାକ୍ରମେ ବର୍ଣ୍ଣିତ କରାଯାଇଛି । ଏହି ତିନି ବନ୍ଧୁ କିପରି ଆୟୁବଙ୍କ ମନରେ ଭୁଲଧାରଣା ଦେଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି, ଯେ ତାହାଙ୍କ ଗୁପ୍ତପାପ ଯୋଗୁଁ ଈଶ୍ୱର ଦଣ୍ଡ ଦେଉଛନ୍ତି । ସେମାନେ ଏହା ମଧ୍ୟ କହିଥିଲେ ଯେ କୌଣସି ଲୋକ କେବେ ଈଶ୍ୱରଙ୍କୁ ଖୁସୀ ଦେଇ ପାରନ୍ତି ନାହିଁ ଓ ଈଶ୍ୱର ମଧ୍ୟ କେବେହେଲେ ତାʼଙ୍କ ଉପରେ ନିର୍ଭର କରନ୍ତି ନାହିଁ । କିନ୍ତୁ ଆୟୁବ ସେମାନଙ୍କ କଥାକୁ କେବେ ଗ୍ରହଣ କଲେ ନାହିଁ । ବରଂ ଆୟୁବ ଦୃଢ଼ତାର ସହିତ କହିଲେ ଯେ, ସେ ମରିବା ପର୍ଯ୍ୟନ୍ତ ଈଶ୍ୱରଙ୍କ ପ୍ରତି ତାʼର ସଚ୍ଚୋଟତାକୁ ବଜାୟରଖିବେ !

କିନ୍ତୁ ଆୟୁବ ନିଜ ଧାର୍ମିକତାକୁ ପ୍ରମାଣ କରିବାକୁ ଯାଇ ଭୁଲ କରି ବସିଲେ । ଇଲୀହୂ ନାମକ ଜଣେ ଯୁବକ ଯିଏ କି ଏହି ସବୁ ଶୁଣୁଥିଲେ ସେ କହିବାକୁ ଲାଗିଲେ । ଇଲୀହୂ ଆୟୁବଙ୍କୁ ବୁଝେଇ କହିଥିଲେ ଯେ କୌଣସି ବ୍ୟକ୍ତି ନିଜର ଧାର୍ମିକତାକୁ ପ୍ରମାଣ କରିବା ଅପେକ୍ଷା ଯିହୋବା ଈଶ୍ୱରଙ୍କର ସାର୍ବଭୌମତ୍ୱର ସତ୍ୟତାକୁ ପ୍ରମାଣ କରିବା ଅତି ଗୁରୁତ୍ୱପୂର୍ଣ୍ଣ । ଇଲୀହୂ ଆୟୁବଙ୍କ ବାକି ଅନ୍ୟ ବଂଧୁମାନଙ୍କୁ ମଧ୍ୟ ତିରସ୍କାର କରିଥିଲେ ।

ଏହାପରେ ଯିହୋବା ଈଶ୍ୱର ଆୟୁବଙ୍କୁ ସଂଶୋଧନ କରିବାକୁ ଯାଇ କହିଲେ । ସୃଷ୍ଟିର ସମସ୍ତ ପ୍ରାକୃତିକ ବସ୍ତୁଆଡ଼କୁ ଦୃଷ୍ଟି ଆକର୍ଷଣ କରାଇ ଯିହୋବା ଆୟୁବକୁ ଶିକ୍ଷା ଦେଲେ, ଯେ ଏହି ବିଶାଳ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କ ଆଗରେ ମନୁଷ୍ୟ କେତେ ଯେ ନଗନ୍ୟ ଅଟେ । ଆୟୁବ ଈଶ୍ୱରଙ୍କ ସଂଶୋଧନକୁ ବିନମ୍ରତାର ସହିତ ଗ୍ରହଣ କଲେ । ଯେହେତୁ ଯିହୋବା “ଦୟାରେ ପରିପୂର୍ଣ୍ଣ ଓ କୃପାବାନ” ତେଣୁ ସେ ଆୟୁବଙ୍କୁ ସ୍ୱାସ୍ଥ୍ୟବାନ କରିବା ସହିତ ତାʼଙ୍କୁ ଦୁଇ ଗୁଣ ଧନ ସଂମ୍ପଦ ଦେଲେ ଓ ଦଶ ଜଣ ପୁଅ ଝିଅଙ୍କୁ ଦେଇ ଆଶୀର୍ବାଦ କଲେ । (ଯାକୁବ ୫:୧୧) ପରୀକ୍ଷାରେ ପଡ଼ିଲେ, କୌଣସି ମନୁଷ୍ୟ ଯିହୋବାଙ୍କ ଠାରେ ନିଜର ସଚ୍ଚୋଟତାକୁ ବଜାୟ ରଖିପାରିବେ ନାହିଁ ବୋଲି ଶୟତାନ ଯେ ଦାବି କରିଥିଲା, ଆୟୁବ ନାନା ତାଡ଼ନାର ସତ୍ତ୍ୱେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ବଜାୟ ରଖିବା ଦ୍ୱାରା ସେହି ମିଥ୍ୟା ଅଭିଯୋଗଟିକୁ ସଠିକ୍‌ ଭାବେ ଉତ୍ତର ଦେଇ ପାରିଥିଲେ ।

ଏହା ବାଇବଲର ଆୟୁବ ପୁସ୍ତକ ଉପରେ ଆଧାରିତ ।